ରାୟଗଡା: ଓଡ଼ିଶାରେ ପଶି ଓଡ଼ିଶା ମାଟିରେ ଆନ୍ଧ୍ର ନିର୍ମାଣ କରିଛି ଆଡ଼ିବନ୍ଧ। କେନାଲ ମାଧ୍ୟମରେ ପାଣିକୁ ଶୋଷି ନିଜ ରାଜ୍ୟକୁ କରୁଛି ଶସ୍ୟଶ୍ୟାମଳା। ଅନ୍ୟପଟେ ଓଡ଼ିଶା ସରକାର ଲକ୍ଷାଧିକ ଟଙ୍କା ବିନିଯୋଗ ଆଡ଼ିବନ୍ଧ ନିର୍ମାଣ କରିଥିଲେ ସୁଦ୍ଧା ଚାଷୀଙ୍କ କୌଣସି କାମରେ ଲାଗିଛି। ଓଡ଼ିଶା ଏବଂ ଆନ୍ଧ୍ର ଜଳସେଚନ ପ୍ରକଳ୍ପରେ ଏମିତି ପାର୍ଥକ୍ୟ ସହ ଆନ୍ଧ୍ରର ଅନୁପ୍ରବେଶ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ରାୟଗଡ଼ା ସଦର ବ୍ଲକ ଡାଙ୍ଗଲୋଡ଼ି ପଞ୍ଚାୟତର କୁଣ୍ଡମ ଗାଁରେ ଦୁଇଟି ପ୍ରକଳ୍ପ ଓଡ଼ିଶା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଇଛି। ପ୍ରଥମ ପ୍ରକଳ୍ପ ପ୍ରାୟ ୫ବର୍ଷ ତଳେ ନିର୍ମାଣ ହୋଇଥିଲା। ତେବେ ନିମ୍ନମାନର କାମ ସହ ରକ୍ଷଣାବେକ୍ଷଣ ଅଭାବରୁ ଚାଷୀଙ୍କ ଜମିରେ ପାଣି ମାଡ଼ିଲାନି। ଶେଷରେ ପ୍ରକଳ୍ପ ଭାଙ୍ଗିରୁଜି ଯାଇଛି। ପ୍ରଥମ ପ୍ରକଳ୍ପର ମାତ୍ର ୩ଶହ ମିଟର ଦୂରରେ ଦ୍ବିତୀୟ ପ୍ରକଳ୍ପ ପାଇଁ ସ୍ଥାନ ଚିହ୍ନଟ କଲା। ଉଚ୍ଚା ସ୍ଥାନରେ ପାହାଡ଼ିଆ ନାଳ ପାଣିକୁ ଅଟକାଇବା ବଦଳରେ ଖାଲୁଆ ସ୍ଥାନରେ ଗଚ୍ଛିତ କରିଥିଲା। ତେଣୁ ଏହି ପ୍ରକଳ୍ପର ପାଣି ଆଦୌ ଚାଷୀଙ୍କ ଜମିରେ ପହଞ୍ଚିଲା ନାହିଁ। ଯାହାଫଳରେ କୁଣ୍ଡମ, ଗୌଡ଼କୁଣ୍ଡମ ଏବଂ ଖିଜିଲିଙ୍ଗ ଗ୍ରାମର ପ୍ରାୟ ୬ଶହ ହେକ୍ଟର ଜମିରେ ଚାଷ ପାଇଁ ବର୍ଷା ଜଳ ଉପରେ ଚାଷୀ ନିର୍ଭର କରୁଛନ୍ତି।
ଆନ୍ଧ୍ର ଶସ୍ୟଶ୍ୟାମଳା, ଓଡ଼ିଶା ଚାଷୀ ଜଳକା
ହଜାରେ ହେକ୍ଟର ହେଉଛି ଜଳସେଚିତ
ଓଡ଼ିଶା ଚାଷୀଙ୍କୁ ମିଳୁନି ଟୋପାଏ ପାଣି
ଖତ ଖାଉଛି ରାଜ୍ୟ ସରକାରଙ୍କ ପ୍ରକଳ୍ପ
ଓଡ଼ିଶାର ଜଳ ପରିଚାଳନାରେ ଏଭଳି ତ୍ରୁଟିର ସୁଯୋଗ ନେଇ ପ୍ରାୟ ୪ବର୍ଷ ତଳେ ସୀମାନ୍ତ ଗାଁ କୁଣ୍ଡମ ନିକଟସ୍ଥ ଖିଜିଲିଙ୍ଗ ଗାଁରେ ଆନ୍ଧ୍ର ଅନୁପ୍ରବେଶ କରିଥିଲା। ପାହାଡ଼ି ନାଳରେ ବର୍ଷ ତମାମ ପାଣି ରହୁଥିବାରୁ ପାଣିକୁ ଅଟକାଇ ଜଳସେଚନ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ପ୍ରକଳ୍ପ ସଂପର୍କରେ କେହି ଟେର୍ ପାଇନଥିଲେ। ଦ୍ରୁତଗତିରେ କାମ ଶେଷ କରିବା ସହ କେନାଲ ଦ୍ବାରା ନିଜ ରାଜ୍ୟକୁ ପାଣି ନେଇଯାଉଛି। ଯାହାଫଳରେ ଆନ୍ଧ୍ରର ସୀମାନ୍ତ ଗାଁ ଲାଡ଼ିରେ ଏକହଜାର ହେକ୍ଟର ଜମି ଜଳସେଚିତ ହେଉଛି। ଏତେ ପରିମାଣରେ ପାଣି ମିଳୁଛି ଯେ ଚାଷୀ ଦୁଇ ଥର ଧାନ ସହ ଥରେ ପରିବା ଚାଷ କରୁଛନ୍ତି। ସରକାର ଜଳସେଚନ ସୁବିଧା କରିବା ପରେ ଚାଷ କ୍ଷେତ୍ରରେ କୌଣସି ଅସୁବିଧା ହେଉନଥିବା ଆନ୍ଧ୍ରର ଚାଷୀ ସାଲପୁ କିଲାକା ଓ ଗଜେନ୍ଦ୍ର ଟିମିକା କହିଛନ୍ତି।
ଖାଲୁଆ ଜମିରେ ପ୍ରକଳ୍ପ ହେଲେ କୌଣସି କାମରେ ଲାଗିବ ନାହିଁ ବୋଲି ସେତେବେଳେ ବିଭାଗୀୟ ଅଧିକାରୀଙ୍କୁ ଚାଷୀ କହିଥିଲେ। କିନ୍ତୁ ଠିକାଦାରଙ୍କ ସ୍ବାର୍ଥକୁ ସେହି ସମୟରେ ଗୁରୁତ୍ବ ଦିଆଗଲା ବୋଲି ସ୍ଥାନୀୟ ଚାଷୀ ପିମାନା ପୁଆଲା ଏବଂ ରାଉତ ପୁଆଲା କହିଛନ୍ତି। ବଡ଼କଥା ହେଲା ଆନ୍ଧ୍ର ଓଡ଼ିଶାରେ ପଶି ପ୍ରକଳ୍ପ କରି ପାଣି ନେଉଥିଲେ ସୁଦ୍ଧା କ୍ଷୁଦ୍ର ଜଳସେଚନ ବିଭାଗ ଓ ପ୍ରଶାସନ ନିରବ। ଏନେଇ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଆନ୍ଧ୍ର ସରକାର ଓଡ଼ିଶାରେ ଆଡ଼ିବନ୍ଧ ନିର୍ମାଣ କରିବା କଥା ଆଦୌ ଜାଣିନଥିବା କହିଥିଲେ। ଏହାର ତଦନ୍ତ ହେବ ବୋଲି ସଫେଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/hfshfhsfhfhsfh.jpg)