ଗାର୍ଗୀ ଶତପଥୀ
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ ଏବେ କୌଣସି ନିର୍ଦ୍ଦିଷ୍ଟ ଜାତି କି ସଂପ୍ରଦାୟର ବୃତ୍ତି ହୋଇ ରହିନାହିଁ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ବଲପୁରୀ ପୋଷାକ ପ୍ରସ୍ତୁତି ପାଇଁ ମେହେର ଏବଂ କୁଷ୍ଠା ଜାତିର ବୁଣାକାରଙ୍କ ବିଶେଷ ଖ୍ୟାତି ରହିଛି। ଯେଉଁମାନେ କୌଳିକ ବୃତ୍ତି ଭାବରେ ନିଜ ପୂର୍ବଜଙ୍କ ଠାରୁ ଏହି କଳା ଶିଖି ପରବର୍ତ୍ତୀ ପିଢ଼ିକୁ ଶିକ୍ଷା ଦିଅନ୍ତି। କିନ୍ତୁ କିଛି ବର୍ଷ ହେଲା ଅନୁସୂଚିତ ଜାତି, ଜନଜାତି ସମେତ ବିଭିନ୍ନ ସମୁଦାୟର ଲୋକେ ସୂତା ବାନ୍ଧିବା, ସୂତା ଉପରେ ଡିଜାଇନ ଏବଂ ବାନ୍ଧ ରଙ୍ଗ ସମେତ ସମ୍ବଲପୁରୀ ବାନ୍ଧର ସହଯୋଗର କାର୍ଯ୍ୟରେ ଲାଗିଛନ୍ତି। ଅର୍ଥାତ୍ ବର୍ତ୍ତମାନ ହସ୍ତତନ୍ତ ସମୃଦ୍ଧ ଅଞ୍ଚଳରେ ସହଯୋଗୀ ବୁଣାକାର ଭାବରେ ନୂତନ ଗୋଷ୍ଠୀ ସୃଷ୍ଟି ହୋଇଛନ୍ତି। କିନ୍ତୁ ମୂଳ ବୁଣା କାର୍ଯ୍ୟ ଏବେ ମଧ୍ୟ ବୁଣାକାରଙ୍କ ପରିବାରରେ ରହିଛି।
ବରଗଡ଼ ଜିଲ୍ଲା ଭଟଲି ଅନ୍ତର୍ଗତ ସହଁରାପଡ଼ାର ଇନ୍ଦୁମତୀ ସାହାଣୀ ଦୁଇ ବର୍ଷ ହେଲା ସୂତା କାମରେ ଲାଗିଛନ୍ତି। ସେ ମେସିନ ଜରିଆରେ ବଣ୍ଡଲ ସୂତାରୁ ସିଙ୍ଗଲ ସୂତାରେ ପରିଣତ କରି ବୁଣାକାରଙ୍କୁ ଦେଉଛନ୍ତି। ଯାହା ପରବର୍ତ୍ତୀ ସମୟରେ ସମ୍ବଲପୁରୀ ପୋଷାକର ବିଭିନ୍ନ ରୂପ ନେଉଛି। ପୂର୍ବରୁ ବୁଣାକାର ପରିବାରରେ ଏହି କାର୍ଯ୍ୟ କରୁଥିଲେ, ବର୍ତ୍ତମାନ ସେମାନେ ତାଙ୍କ ପରିବାର ବାହାରେ ଇନ୍ଦୁମତୀଙ୍କ ଭଳି ଅନେକ ଅଣମେହେର ପରିବାରଙ୍କୁ ମେସିନ ଦେଇ ଏହି କାର୍ଯ୍ୟ କରାଉଛନ୍ତି। ଇନ୍ଦୁମୀ କହନ୍ତି, ତାଙ୍କ ସ୍ବାମୀ ରାଜମିସ୍ତ୍ରି ଅଟନ୍ତି। ସେମାନେ ଅନୁସୂଚିତ ଜନଜାତି। ପରିବାରର କେହି ମଧ୍ୟ ଏହି କାର୍ଯ୍ୟ ପୂର୍ବରୁ କରି ନାହାନ୍ତି। ଝିଅ, ପୁଅଙ୍କ ଉଚ୍ଚଶିକ୍ଷା ପାଇଁ ଟଙ୍କାର ଆବଶ୍ୟକତା ପଡ଼ିବାରୁ ପ୍ରଥମ କରି ବୁଣାକାରଙ୍କ ସହଯୋଗୀ ଭାବରେ ସୂତା କାର୍ଯ୍ୟ କରୁଛନ୍ତି। ଆଦିବାସୀ ଝିଅ ବେବି ଭୁଏ ମଧ୍ୟ ନିଜ ପରିବାରର ପ୍ରଥମ ଝିଅ ଭାବରେ କମବନ୍ଧ କାର୍ଯ୍ୟ କରୁଛନ୍ତି। ମାଟ୍ରିକ ସରିବା ପରେ ଟଙ୍କା ଅଭାବରୁ କଲେଜରେ ନାମ ଲେଖାଇ ପାରିଲେ ନାହିଁ। ତେଣୁ କମବନ୍ଧ କାର୍ଯ୍ୟ ଶିଖି ଏବେ ପ୍ରାୟ ୯ ମାସ ହେଲା ଏହା କରୁଛନ୍ତି। ବୁଣାକାରଙ୍କ ଠାରୁ ଡିଜାଇନ ଆଣି ସେଥିରେ ସୂତା ବାନ୍ଧୁଛନ୍ତି। ସମ୍ବଲପୁରୀ ପୋଷାକ ବ୍ୟବସାୟୀ ଜଗୁ ମେହେର କହନ୍ତି, ୩ ବର୍ଷ ହେଲା, ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେହେର, କୁଷ୍ଟା ସମୁଦାୟ ବ୍ୟତୀତ ଅନ୍ୟମାନେ ମଧ୍ୟ ବୁଣାକାରଙ୍କ ସହଯୋଗୀ କାର୍ଯ୍ୟ କରୁଛନ୍ତି।
ପୂର୍ବରୁ ଏହା ଆଖିଦୃଶିଆ ନଥିଲା ଏକ ବର୍ଷ ହେଲା ଏହି ସଂଖ୍ୟା ବଢୁଛି। ତାଙ୍କ ସଂସ୍ଥା ପକ୍ଷରୁ ବାନ୍ଧ ରଙ୍ଗ ପ୍ରଶିକ୍ଷଣରେ ବିଭିନ୍ନ ବର୍ଗର ସହଯୋଗୀ ବୁଣାକାର ଅଛନ୍ତି। ସାମାଜିକ କର୍ମକର୍ତ୍ତା ସୌମ୍ୟରଞ୍ଜନଙ୍କ ଅନୁସାରେ, ସମ୍ବଲପୁରୀ ହସ୍ତତନ୍ତ ଏକ ଜଟିଳ କାର୍ଯ୍ୟ। ସମୁଦାୟ ପରିବାର ଏଥିରେ ନିୟୋଜିତ ହୋଇ ପାରିଲେ ହିଁ ସୁନ୍ଦର ଶାଢ଼ି କିମ୍ବା ଡ୍ରେସ ତିଆରି ହୋଇ ପାରେ। କିନ୍ତୁ ବର୍ତ୍ତମାନ ପରିବାର ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବୁଣାକାରମାନଙ୍କୁ ସହଯୋଗୀ ବୁଣାକାରଙ୍କ ସହାୟତା ସେମାନଙ୍କୁ ନେବାକୁ ପଡ଼ୁଛି। ଲକ୍ଡାଉନ୍ ସମୟରେ ବିଭିନ୍ନ ବର୍ଗର ଲୋକେ ଘରେ ବସି ଏହି କାର୍ଯ୍ୟ ପାଇବାରୁ ଏଥିପ୍ରତି ଆଗ୍ରହ କରୁଛନ୍ତି। ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଅଟେ। ସରକାର ଏବଂ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ବୁଣାକାରଙ୍କ ସହାୟତା ପାଇଁ ପ୍ୟାକେଜ ପ୍ରସ୍ତୁତ ବେଳେ ସହଯୋଗୀ ବୁଣାକାରମାନଙ୍କ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏପରିକି ସେମାନଙ୍କୁ ନେଇ ନିର୍ବାଚନ ପ୍ରସଙ୍ଗ କରାଯାଇ ପାରିଲେ ମଧ୍ୟ ବୁଣାକାରଙ୍କ ଶକ୍ତି ବୃଦ୍ଧି ହେବ। ବୁଣା କାର୍ଯ୍ୟ ନିର୍ଦ୍ଦିଷ୍ଟ ଜାତି କିମ୍ବା ଗୋଷ୍ଠୀରେ ସୀମିତ ନ ରହି ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଗଲେ ଅନେକ ସ୍ବାବଲମ୍ବୀ ହୋଇପାରିବେ।