ଆଣ୍ଡ୍ରୋଲୋଜି ସମ୍ମିଳନୀ: ‘ଚିକିତ୍ସା ପଦ୍ଧତିରେ ବିକାଶ ହୋଇଛି, ଲୋକେ ସଚେତନ ହୋଇଛନ୍ତି’

ପୁରୀ : ପୁରୁଷ ରୋଗ ଚିକିତ୍ସା (ଆଣ୍ଡ୍ରୋଲୋଜି) ଉନ୍ନତ ହୋଇଛି। ଯୌନ ସମସ୍ୟା ଓ ବନ୍ଧ୍ୟାତ୍ବ ବାବଦରେ ଲୋକେ ମୁହଁ ଖୋଲି କହିପାରୁନଥିବା ବ‌େଳେ ଏବେ ଏଥିରେ ସୁଧାର ଆସିଛି। ଲୋକେ ସଚେତନ ହୋଇଛନ୍ତି। ଚିକିତ୍ସା ପ୍ରଣାଳୀ ବି ଉନ୍ନତ ହୋଇଛି। ୟୁରୋଲୋଜିକାଲ୍‌ ସୋସାଇଟି ଅଫ୍‌ ଇଣ୍ଡିଆ (ୟୁଏସ୍‌ଆଇ) ଅଧୀନରେ ଥିବା ପୁରୁଷ ରୋଗ (ଆଣ୍ଡ୍ରୋଲୋଜି ସେକ୍ସନ) ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଚିକିତ୍ସା ବିଶେଷଜ୍ଞମାନେ ଏହା କହିଛନ୍ତି। ତୋଷାଳି ସ୍ୟାଣ୍ଡସ ସମ୍ମିଳନୀ କକ୍ଷରେ ଉଦ୍‌ଘାଟିତ ଦୁଇଦିନିଆ ସମ୍ମିଳନୀରେ ବହୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପୁରୁଷ ରୋଗ କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ବାବଦରେ ଆଲୋକପାତ କରିଛନ୍ତି।

ଡାକ୍ତର ଡେଭିଲ ରାଲ୍‌ଫ ଉଦ୍‌ଘାଟନୀ ଭାଷଣରେ ପୁରୁଷ ରୋଗ ଓ ଏହାର ନିରାକରଣର ଅତ୍ୟାଧୁନିକ ପଦ୍ଧତି ବାବଦରେ କହିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୟୁଏସ୍‌ଆଇର ସଭାପତି ଡାକ୍ତର ରବୀନ୍ଦ୍ର ସବ୍‌ନିସ, ୟୁଏସ୍‌ଆଇ ସମ୍ପାଦକ ଡାକ୍ତର କେଶବ ମୂର୍ତ୍ତି ଅତିଥି ଭାବେ ଯୋଗଦେଇ କହିଲେ, ପୂର୍ବରୁ ପୁରୁଷ ରୋଗ ବିଭାଗ ଉପେକ୍ଷିତ ଥିଲା। ଏବେ କିନ୍ତୁ ଏଥିରେ ପରିବର୍ତ୍ତନ ଆସିଛି। ପୁରୁଷଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଯୌନ ସମସ୍ୟା, ବନ୍ଧ୍ୟା ଦୋଷ ଏବଂ ଏ କ୍ଷେତ୍ରରେ ଆପଣା ଯାଉଥିବା ସଫଳ ଚିକିତ୍ସା ବ୍ୟବସ୍ଥା ଉପରେ ସେମାନେ ଆଲୋକପାତ କରିଥିଲେ। ଆଣ୍ଡ୍ରୋଲୋଜି ସେକ୍ସନର ସର୍ବଭାରତୀୟ ଅଧ୍ୟକ୍ଷ ଭାବେ ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସମ୍ପାଦକ ଭାବେ ଡାକ୍ତର ବିନିତ ମାଲହୋତ୍ରାଙ୍କୁ ଚୟନ କରାଯାଇଥିଲା। ଡ. ଦୀପକ ଗୁପ୍ତେ ବକ୍ତବ୍ୟ ରଖିଥିଲେ।

ପୂର୍ବାହ୍ଣରେ ଆୟୋଜିତ ପ୍ରଥମ ଅଧିବେଶନରେ ପୁରୁଷ ରୋଗ ଓ ଏହାର ଅତୀତର ଚିକିତ୍ସା ପଦ୍ଧତି, ପୁରୁଷଙ୍କ ଯୌନ ରୋଗ, ବନ୍ଧ୍ୟାତ୍ବ ବାବଦରେ ଆଲୋଚନା ହୋଇଥିଲା। ଡାକ୍ତର ଦତ୍ତେଶ୍ବର ହୋତା, ଡାକ୍ତର ହରପ୍ରିତ ସିଂହ, ଡାକ୍ତର ବିନୋଦ କେଭି ଆଲୋଚନା କରିଥିଲେ। ଦ୍ବିତୀୟ ଅଧିବେଶନରେ ଡାକ୍ତର ଲଳିତ ଶାହ, ଡାକ୍ତର ଗଣେଶ କାମଥ, ଡାକ୍ତର ଅନିଲ ବ୍ରାଦୁ, ଡାକ୍ତର ଦୀପକ ଗୁପ୍ତେ, ଡାକ୍ତର ପ୍ରବୀଣ ଯୋଶୀ, ଡାକ୍ତର ଅରୁଣ କାର୍ତ୍ତିକ, ଡାକ୍ତର ଅସିତ ଶାହ, ଡାକ୍ତର ବିବେକ ଖଣ୍ଡେଲୱାଲ, ଡାକ୍ତର ବିଜୟନ୍ତ ଗୋବିନ୍ଦ ଗୁପ୍ତା, ଡାକ୍ତର ରାମଗୋପାଳ ସରାବୁ, ଡାକ୍ତର ଅଜିତ ସାକ୍‌ସେନା, ଡାକ୍ତର ନିରଞ୍ଜନ ମିତ୍ର ପ୍ରମୁଖ ଆଲୋଚନା କରିଥିଲେ। ଏହି ଅବସରରେ ଡାକ୍ତର ରୁପିନ ଶାହଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା। ଡାକ୍ତର ବିନିତ ମାଲହୋତ୍ରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଥିଲା।

ସମ୍ବନ୍ଧିତ ଖବର