ରାୟଗଡା: ସରକାରଙ୍କ ଫୋକସ୍‌ରେ ରାୟଗଡ଼ା ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ପାଣି ଭଳି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଜନଜାତିଙ୍କ ଜୀବନ କିମ୍ବା ଜୀବିକାରେ ବିଶେଷ ପରିବର୍ତ୍ତନ ହୋଇପାରିନି। ବିଡ଼ମ୍ବନା ହେଲା ପରମ୍ପରା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଏହି ଜନଜାତିଙ୍କୁ ଏଯାଏଁ ଘର ପାଖରେ ମିଳିଲା ନାହିଁ ସର୍ବନିମ୍ନ ତଥା ଜରୁରୀ ସ୍ବାସ୍ଥ୍ୟସେବା। ତେଣୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସଫଳତାକୁ ନେଇ ଏବେଠାରୁ ଆଶଙ୍କା ପ୍ରକାଶ ପାଇଲାଣି।

Advertisment

କଲ୍ୟାଣସିଂହପୁର, ମୁନିଗୁଡ଼ା ଓ ବିଷମକଟକ ବ୍ଲକ୍‌ରେ ବ୍ୟାପିଥିବା ନିୟମଗିରି ପାହାଡ଼ରେ ରହିଛି ଡଙ୍ଗରିଆଙ୍କ ୯୯ ଗାଁ। ଜନଜାତିଙ୍କ ଜନସଂଖ୍ୟା ୧୦,୨୨୧ ‌ବୋଲି ଜଣାପଡ଼ିଛି। ପ୍ରକୃତି କୋଳରେ ବସବାସ କରୁଥିବା ଏହି ଜନଜାତି ବର୍ଷ ତମାମ ସ୍ବାସ୍ଥ୍ୟଜନିତ ସମସ୍ୟା ଭୋଗୁଛନ୍ତି। ବର୍ଷାଦିନେ ମ୍ୟାଲେରିଆ ଏବଂ ଜ୍ବର ହେବା ଅତି ସାଧାରଣ କଥା। ତେବେ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପାହାଡ଼ ନିକଟରେ କୌଣସି ସ୍ବାସ୍ଥ୍ୟକେନ୍ଦ୍ର ନାହିଁ। ଦୂରରେ ରହିଥିବା ଡାକ୍ତରଖାନା ଯିବାକୁ ହେଲେ ଅଧିକ ଖର୍ଚ୍ଚାନ୍ତ ସହ କଷ୍ଟ ଭୋଗିବାକୁ ପଡ଼ୁଛି। ତେଣୁ ରୋଗରେ ପଡ଼ିଲେ ଡାକ୍ତରଖାନା ଯିବାକୁ ଅମଙ୍ଗ। ରୋଗୀ କମ ଆସୁଥିବାରୁ ଏହି ଅଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିକାଂଶ ସମୟରେ ତାଲା ଝୁଲୁଛି। କେବଳ ହାଟ ଦିନରେ କିଛି ସ୍ବାସ୍ଥ୍ୟକର୍ମୀ ହାଟକୁ ଆସି ଔଷଧ ଦେଇ ଚାଲିଯାଉଛନ୍ତି। ଏଥିପାଇଁ ଡଙ୍ଗରିଆ ଅସୁସ୍ଥ ହେଲେ ଯନ୍ତ୍ରଣା ସତ୍ତ୍ବେ ହାଟ ପାଳିକୁ ଅପେକ୍ଷା କରିଥାନ୍ତି। 
ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ପିଏମ୍‌ ଜନମନ ଯୋଜନାରେ ବିଷମକଟକ, ମୁନିଗୁଡ଼ା ଓ କଲ୍ୟାଣସିଂହପୁର ବ୍ଲକରେ ୩ଟି ମୋବାଇଲ ମେଡିକାଲ ୟୁନିଟ୍‌ (ଏମ୍‌ଏମ୍‌ୟୁ) ନିୟୋଜିତ କରାଯାଇଛି। ପରିତାପର ବିଷୟ‌ ହେଲା ଏଯାଏଁ ସଂପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନି ଯୋଜନା। କାରଣ ଏମ୍‌ଏମ୍‌ୟୁଗୁଡିକ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ କାର୍ଯ୍ୟ କରୁଥିବା କୁହାଯାଉଥିଲେ ମଧ୍ୟ‌ ଆରବିଏସ୍‌କେର ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ରର ସଂପୂର୍ଣ୍ଣ ସହାୟତା ନେଉଛି। ଅନ୍ୟପଟେ ନିୟମଗିରି ପାହାଡ଼ରେ ଶିଶୁ ଓ ମହିଳାଙ୍କ ମଧ୍ୟରେ ରକ୍ତହୀନତା ସମସ୍ୟା ବହୁମାତ୍ରାରେ ଦେଖିବାକୁ ମିଳୁଛି। ସଚେତନତା ଅଭାବରୁ ଡଙ୍ଗରିଆ କନ୍ଧ ମହିଳା ଡାକ୍ତରଖାନା ବଦଳରେ ବିପଜ୍ଜନକ ଭାବେ ଘରେ ପ୍ରସବ କରୁଛନ୍ତି। ଫଳରେ ମା’ ଏବଂ ନବଜାତର ଜୀବନ ବିପଦରେ ରହୁଛି। ସେହିପରି ପାହାଡ଼ରେ ମ୍ୟାଲେରିଆର ପ୍ରକୋପ ମଧ୍ୟ କମ୍‌ ନୁହେଁ। ତଥାପି ପିଏମ୍‌ ଜନମନ ଯୋଜନା ଅନ୍ତର୍ଗତ ଏମ୍‌ଏମ୍‌ୟୁ ଗୁଡ଼ିକ ନିୟମଗିରି ପାହାଡ଼ର ସମସ୍ତ ଗାଁରେ ସ୍ବାସ୍ଥ୍ୟସେବା ପହଞ୍ଚାଉଛି ବୋଲି ସରକାରୀ ରେକର୍ଡରେ ଦର୍ଶାଯାଉଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ତଥ୍ୟ ଦିଆଯାଉଛି। ଏନେଇ ବିଏସ୍‌ପି ଜିଲ୍ଲା ସଭାପତି ଜିତୁ ଜାକେଶିକାଙ୍କ କହିବା ହେଲ‌ା, ଡଙ୍ଗରିଆ ଅତ୍ୟନ୍ତ ସରଳ ହୋଇଥିବାରୁ ଡାକ୍ତରଖାନା ଗଲେ ମଧ୍ୟ କେହି ଦୃଷ୍ଟି ଦିଅନ୍ତି ନାହିଁ। ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଉଥିଲା ବେଳେ ଡଙ୍ଗରିଆଙ୍କ ପାଖରେ ପହଞ୍ଚି ପାରୁନି। ଏନେଇ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ ନିୟମଗିରି ଅଞ୍ଚଳରେ ରକ୍ତହୀନତା ଏବଂ ମ୍ୟାଲେରିଆ ଭଳି ସମସ୍ୟା ରହିଛି। ‌ଖୁବ୍‌ଶୀଘ୍ର ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ଟିମ୍‌ ପହଞ୍ଚିବ ବୋଲି ସେ କହିଛନ୍ତି।