ଅଙ୍ଗନବାଡ଼ିରେ ଶିଶୁକୁ ଓଲଟା କରି ମାଡ଼, ଭିଡିଓ ଭାଇରାଲ୍‌ ପରେ ଉତ୍ତେଜନା

ହାଟଡିହି: ଅଙ୍ଗନବାଡ଼ିରେ ଦୁଇ ଶିଶୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଅଙ୍ଗନବାଡ଼ି କର୍ମୀ ଜଣଙ୍କ ରୋଷେଇରେ ବ୍ୟସ୍ତ ଥିବାବେଳେ ଏହାର ସୁଯୋଗ ନେଇ ଝଗଡ଼ା ହେଉଥିବା ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ଘରକୁ ‌ଯାଇ ବାପାଙ୍କୁ ଡାକି ଆଣିଥିଲା। ସମ୍ପୃକ୍ତ ଶିଶୁର ବାପା କିଛି ବୁଝିବା‌ ବଦଳରେ ଅନ୍ୟ ଶିଶୁଟିକୁ ଓଲଟା କରି ନିସ୍ତୁକ ମାଡ଼ ମାରିଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ। ଏହି ସମୟର ଭିଡିଓ ଭାଇରାଲ ହେବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନା ଅନୁସାରେ ୨ ତାରିଖ ଦିନ ଅଙ୍ଗନବାଡ଼ି ଯାଇଥିଲେ ପ୍ରମୋଦ ପାଳ ଓ ସନାତନ ଘଡ଼େଇଙ୍କ ପୁଅ। ଉଭୟଙ୍କ ଭିତରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏ ସମ୍ପର୍କରେ ସନାତନଙ୍କ ପୁଅ ଯାଇ ଘରେ ଜଣାଇବା ପରେ ସନାତନ ଅଙ୍ଗନବାଡି କେନ୍ଦ୍ରକୁ ଆସି ବିନା ଅନୁମତିରେ ଭି‌ତରେ ପଶିଥିଲେ। ଅନ୍ୟ ଶିଶୁଟିର ଗୋଡ଼ ଦୁଇଟିକୁ ଧରି ଉପରକୁ ଟେକି ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ଏହି ସମୟର ଦୃଶ୍ୟକୁ କେହି ମୋବାଇଲ‌ରେ ସୁଟିଂ କରି ଭିଡିଓ ଭାଇରାଲ କରିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମାଡ଼ ଖାଇଥିବା ଶିଶୁର ବାପା ପ୍ରମୋଦ ପାଳ ଏନେଇ ଅଭିଯୋଗ କରିବା ପରେ ଅଙ୍ଗନବାଡ଼ି ସୁପରଭାଇଜର ଗାଁରେ ପହଞ୍ଚି ଅଙ୍ଗନବାଡି କର୍ମୀଙ୍କୁ ଘଟଣାକୁ ଚପାଇବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ‌ହୋଇନି। ଏଭଳି ଘଟଣାକୁ ଗ୍ରାମବାସୀ ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର