ଅଙ୍ଗନବାଡ଼ି ସୁପର୍‌ଭାଇଜର୍‌ଙ୍କ ଅସ୍ୱାଭାବିକ ମୃତ୍ୟୁ, କୋଭିଡ୍‌ ଡ୍ୟୁଟି ସାରି ଗୃହ ସଙ୍ଗରୋଧରେ ଥିଲେ

ବ୍ରହ୍ମପୁର : କୋଭିଡ୍‌ ଡ୍ୟୁଟି ସାରି ଗୃହ ସଙ୍ଗରୋଧରେ ଥିବା ଜଣେ ଅଙ୍ଗନବାଡ଼ି ସୁପର୍‌ଭାଇଜର୍‌ଙ୍କ ମୃତ୍ୟୁ ଘଟିଛି। ଆବଶ୍ୟକ ଚିକିତ୍ସା ସୁବିଧା ନପାଇ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପରେ ଶବ ସତ୍କାର କରାଯାଇ ନପାରି କିଛି ସମୟ ପର୍ଯ୍ୟନ୍ତ ମଶାଣି ନିକଟରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ମର ଶରୀରରୁ ସ୍ବାବ୍‌ ସଂଗ୍ରହ କରାଯାଇ ପ୍ରଶାସନ ଶବ ସତ୍କାର କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ତି ବ୍ଲକରେ ଅଙ୍ଗନବାଡ଼ି ସୁପରଭାଇଜର ଭାବେ କାମ କରୁଥିବା ଜନୈକା ମହିଳା(୫୫) କଙ୍କୋରଡ଼ା ପଞ୍ଚାୟତରେ କୋଭିଡ୍‌ ଡ୍ୟୁଟିରେ ଥିଲେ। ଡ୍ୟୁଟି ସାରି ସେ ଶ୍ରୀରାମନଗରସ୍ଥିତ ଘରକୁ ଫେରି ଗୃହ ସଙ୍ଗରୋଧରେ ଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାରବର୍ଗ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ କୌଣସି ସହଯୋଗ ମିଳି ନଥିଲା। ଆଜି ସକାଳେ ପରିବାରବର୍ଗ ତାଙ୍କୁ ଏକ ଅଟୋରେ କୋଭିଡ୍‌ ହସପିଟାଲକୁ ନେଇଥିଲେ। ହସ୍‌ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରୁ ମରଶରୀର ଘରକୁ ଅଣାଯାଇଥିବା ବେଳେ ସାହି ବାସିନ୍ଦାଙ୍କ ତରଫରୁ କୌଣସି ସହଯୋଗ ମିଳି ନଥିଲା। ସ୍ବାମୀ ପତ୍ନୀଙ୍କ ଶବକୁ ସିଧାସଳଖ ଶ୍ମଶାନକୁ ନେଇ ଯାଇଥିଲେ। କିନ୍ତୁ ଶବ ଦାହ କରାଯାଇ ପାରି ନଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଶବ ପଡ଼ିଥିବା ଖବର ପାଇ ପୂର୍ବତନ କର୍ପୋରେଟର ଅନିଲ ନାୟକ ପ୍ରଶାସନକୁ ଜଣାଇବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ବାବ୍‌ ସଂଗ୍ରହ ପରେ ପିପିଇ କିଟ୍‌ ପିନ୍ଧି ଅନ୍ୟ ଏକ ଟିମ୍‌ ଶବକୁ ଆମ୍ବୁଲାନ୍ସରେ ନେଇ ଅନ୍ୟତ୍ର ସତ୍କାର କରିଥିବା ଜଣାପଡ଼ିଛି। ଏହି ଘଟଣା ଆଜି ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି।

ସମ୍ବନ୍ଧିତ ଖବର