ଭୁବନେଶ୍ବର : ଭତ୍ତା ବୃଦ୍ଧି, ଶତପ୍ରତିଶତ ସୁପରଭାଇଜର୍ ପ୍ରମୋସନ୍, ଉନ୍ନତମାନର ମୋବାଇଲ ଯୋଗାଣ, ଦରମା ପ୍ରଦାନରେ ତ୍ରୁଟି ସମାଧାନ, ମାର୍ଚ୍ଚ ମାସର ଦରମା ପ୍ରଦାନ, ଅବସର ବୟସସୀମା ବୃଦ୍ଧି, ଅବସରକାଳୀନ ସହାୟତା ୫ଲକ୍ଷ ଟଙ୍କା ପ୍ରଦାନ, ସର୍ବନିମ୍ନ ୨୧ଜହାର ଟଙ୍କା ଭତ୍ତା, ୱାର୍କର୍ ମାନ୍ୟତା ଆଦି ୧୭ ଦଫା ଦାବିରେ ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ଲୋୟର୍ ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି।
ସଂଘ ପକ୍ଷରୁ କୁହାଯାଇଛି ଯେ ୨୦୧୭ ମସିହାରେ ଅଙ୍ଗନୱାଡ଼ି କର୍ମୀଙ୍କ ଭତ୍ତା ବୃଦ୍ଧି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ବର୍ଦ୍ଧିତ ଭତ୍ତା ଦିଆଯାଇନାହିଁ। ବିଭିନ୍ନ ପ୍ରକଳ୍ପରେ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ପୋଷାକ ଓ ସ୍ବେଟର୍ ବଣ୍ଟନ କରାଯାଉଛି। ଗତ ସେପ୍ଟେମ୍ବର ୨୦୧୯ରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ୍ ସଂଯୋଗ ନିମନ୍ତେ ଜିଲ୍ଲାଗୁଡ଼ିକୁ ଅନୁଦାନ ପଠା ଯାଇଥିଲା। କିନ୍ତୁ ଅଦ୍ୟାବଧି ଗ୍ୟାସ୍ ସଂଯୋଗ ମିଳିପାରିନାହିଁ। ନିମ୍ନମାନର ମୋବାଇଲ ଯୋଗାଣ କରି ପୋଷଣ ଟ୍ରାକ୍ କରିବାକୁ ବାଧ୍ୟ କରାଯାଉଛି ଏବଂ ପ୍ରତିବାଦ କଲେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସଂଘ ଅଭିଯୋଗ କରିଛି। ସଂଘର ଏହି ଦାବିଗୁଡ଼ିକ ଶୀଘ୍ର ପୂରଣ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ସଭାପତି ଅଶୋକ ଦାସଙ୍କ ସଭାପତିତ୍ବରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସହାୟିକା ସଂଘର କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ ପାଢ଼ୀ, ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ହରପ୍ରିୟା ସ୍ବାଇଁ, ଏଆଇଟିୟୁସିର କେନ୍ଦ୍ରୀୟ ସଂପାଦକ ରାମକୃଷ୍ଣ ପଣ୍ଡା, ଏନ୍ଏଫ୍ଆଇଟିୟୁର ଯୁଧିଷ୍ଠିର ମହାରଣା, ସଂଯୁକ୍ତ ମୋର୍ଚ୍ଚା ରାଜ୍ୟ ଆବାହକ ବିଜୟ ଜେନା, ପ୍ରଭାସିନୀ ପାଢ଼ୀ, ମମତାଜ୍ ଖୁଣ୍ଟିଆ, ବିଷ୍ଣୁପ୍ରିୟା ଜେନା, ମୀରାବତୀ ଦଳବେହେରା, ପ୍ରତିଭା ପାଲ, ଯାଜ୍ଞସେନୀ ପ୍ରଧାନ, ମଳୟମଞ୍ଜରୀ ଜେନା, ସୁର ଜେନା, ସୌଦାମିନୀ ଦାସ, ପଙ୍କଜିତା ଶବର, ନିତମ୍ବିନୀ ଦାସ, ଶାନ୍ତିଲତା ରାୟ, ଅଞ୍ଜନା ପଣ୍ଡା, ମାନସୀ ପ୍ରଧାନ, ଜ୍ୟୋତ୍ସ୍ନା ସାମନ୍ତରାୟ, ନିର୍ଝରବାଳା ସାହୁ, ମାଣିକେଶ୍ବରୀ ପଟ୍ଟନାୟକ, ନର୍ମଦା ନାହାକ, ଲକ୍ଷ୍ମୀପ୍ରିୟା ଦାସ, ଯଶୋବନ୍ତୀ ବେହେରା, ଇସାକ୍ଷୀ ପତି ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।