ସମ୍ବଲପୁର : ଚାକିରି ସମୟରେ ମୃତ୍ୟୁ ହେଲେ ଅଙ୍ଗନବାଡ଼ି କର୍ମୀଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା। ମୋବାଇଲ୍ ଭାଉଚର୍ ବାବଦରେ ବି ମାସକୁ ୫୦୦ ଟଙ୍କା ମିଳିବ। ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ପ୍ରତିନିଧିମଣ୍ଡଳୀ ସୋମବାର ଦିନ ନୂଆଦିଲ୍ଲୀଠାରେ ଭେଟିବା ଅବସରରେ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ସଚିବ ଇନ୍ଦର ପାଣ୍ଡେ।
ସଂଘ ଆବାହକ ପ୍ରଶାନ୍ତ ପାଢ଼ୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଶାସ୍ତ୍ରୀ ଭବନସ୍ଥିତ କାର୍ଯ୍ୟାଳୟରେ ମହିଳା ଓ ଶିଶୁ ବିକାଶ ସଚିବ ଇନ୍ଦର ପାଣ୍ଡେଙ୍କୁ ଭେଟି ଆଲୋଚନା କରିବା ସହ ୨୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କୁ ଶିକ୍ଷା ନୀତିରେ ଚାକିରି ସର୍ତ୍ତାବଳୀ, ପ୍ରାଥମିକ ଶିକ୍ଷୟତ୍ରୀ ମାନ୍ୟତା, ୨୧ ହଜାର ଭତ୍ତା, ୧୦ ହଜାର ପେନସନ, ଏସ୍ଏନ୍ପି ଦର ବୃଦ୍ଧି, ଶ୍ରମିକ ମାନ୍ୟତା, ବିଭିନ୍ନ ବିଭାଗରେ ଖାଲି ରହୁଥିବା ପଦବିରେ ନିଯୁକ୍ତି, ୧୦ ଲକ୍ଷ ଟଙ୍କା ମୃତ୍ୟକାଳୀନ ସହାୟତା, ମିନିଙ୍କୁ କର୍ମୀ ମାନ୍ୟତା ଦେବା ଆଦି ପ୍ରସଂଗରେ ଆଲୋଚନା କରା ଯାଇଥିଲା। ଚାକିରି ସମୟରେ ମୃତ୍ୟୁ ହେଲେ ୨ ଲକ୍ଷ ଦେବା, ମୋବାଇଲ୍ ଭାଉଚର୍ ବାବଦରେ ମାସକୁ ୫୦୦ ଟଙ୍କା ଶହ ଦେବାକୁ ସଚିବ ଶ୍ରୀ ପାଣ୍ଡେ ପ୍ରତିଶ୍ରୁତି ଦେଇଥିଲେ।
ଶ୍ରୀ ପାଢ଼ୀ ଏବଂ କର୍ମୀ ମାନେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ନୂତନ ଶିକ୍ଷା ନୀତି ଉପରେ ଆଲୋଚନା କରିଥିଲେ। ପରେ ଶ୍ରମ ମନ୍ତ୍ରୀ ଭୂପିନ୍ଦର ଯାଦବଙ୍କୁ ଭେଟି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ଶ୍ରମିକର ମାନ୍ୟତା ଦେବା ସକାଶେ ଅନୁରୋଧ ଜଣାଇଥିଲେ। ପ୍ରତିନିଧି ଦଳରେ ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ, ଯୁଗ୍ମ ଆବାହକ ବାଳକୃଷ୍ଣ ଭୋଇ, କନକ ପ୍ରଧାନ, ମମତା ପ୍ରଧାନ, କ୍ୟୁଟାମାଲା କାଲୋ, ରନ୍ଥି ତିର୍କି, ତରୁଣୀ ନାୟକ ପ୍ରମୁଖ ସାମିଲ ଥିଲେ।