ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଗୁପ୍ତେଶ୍ୱର ପଞ୍ଚାୟତ ଅନ୍ତର୍ଗତ ସେମିଳିଅଟାଳ ଗ୍ରାମରେ ରହିଥିବା ଅଗଂନବାଡି କେନ୍ଦ୍ରରେ ଗ୍ରାମବାସୀମାନେ ତାଲା ପକାଇବା ଘଟଣାର ୧୧ ଦିନ ପୂରିଗଲାଣି। ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିବା ଫଳରେ ସମାଧାନର ବାଟ ଫିଟି ପାରୁନାହିଁ। ଗ୍ରାମବାସୀଙ୍କ ସହ ସଂପୃକ୍ତ ବିଭାଗ ଆଲୋଚନା କରିବାକୁ ଯାଇ ବିଫଳ ହେବା ପରେ ଘଟଣା ଭିନ୍ନ ମୋଡ ନେଇଛି।

Advertisment

ବୁଧବାର ଗ୍ରାମବାସୀମାନେ ନିଜ ଉଦ୍ୟମରେ ଏକ ପ୍ରାକ୍ ଶିକ୍ଷା କେନ୍ଦ୍ର ଖୋଲିବା ସହ ଅଙ୍ଗନବାଡ଼ିରେ ନାମ ଲେଖାଇଥିବା ଶିଶୁମାନଙ୍କୁ ନେଇ ଶିକ୍ଷାଦାନର ବିକଳ୍ପ ବ୍ୟବସ୍ଥା କରିବା ଫଳରେ ପ୍ରଶାସନର ଅଡୁଆ ବଢ଼ି ଯାଇଛି। ତେବେ ଗୁରୁବାର ଅଙ୍ଗନବାଡ଼ି କର୍ମୀ ସଂଘର କର୍ମକର୍ତ୍ତାମାନେ ସେମିଳିଅଟାଳ ଠାରେ ପହଞ୍ଚି ଗ୍ରାମବାସୀଙ୍କୁ ମନେଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି। ଦୀର୍ଘ ସମୟ ଧରି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ତାଲା ଖୋଲିବା ପାଇଁ ଅନୁରୋଧ କରିଥିଲେ।

ଆଗାମୀ ଦିନରେ ଅଙ୍ଗନବାଡ଼ି କର୍ମୀ ନିୟମିତ ଭାବେ କେନ୍ଦ୍ର ଖୋଲିବା ସହ ଠିକ୍ ଭାବେ ଦାୟିତ୍ଵ ନିର୍ବାହ କରିବେ ବୋଲି ସଂଘ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଗ୍ରାମବାସୀ ମାନେ ଅଙ୍ଗନବାଡ଼ି କର୍ମୀଙ୍କ ବଦଳି ପାଇଁ ଅଡ଼ି ବସିଥିଲେ। ଯାହାଫଳରେ ସମାଧାନର ସୂତ୍ର ବାହାରି ପାରିଲା ନାହିଁ। ଦୁଇ ମାସ ଧରି ଆଦୌ ନ ଖୋଲିବା ଏବଂ ଏସଂପର୍କରେ ସଂପୃକ୍ତ ବିଭାଗକୁ ଦୁଇ ଥର ଜଣାଇବା ପରେ ମଧ୍ୟ କୈାଣସି ପଦକ୍ଷେପ ନ ନିଆନଯିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଅଙ୍ଗନବାଡ଼ି କର୍ମୀଙ୍କ ବଦଳି ବ୍ୟତୀତ ଅନ୍ୟ କୌଣସି କଥା ଶୁଣିବେ ନାହିଁ ବୋଲି ରୋକ ଠୋକ ମନା କରିଦେଇଥିଲେ। ଯାହାଫଳରେ ସଂଘର ସଭାପତି ଶାନ୍ତିଲତା ପାଢ଼ୀ, ସଂପାଦକ ତଥା ସଂଘର କର୍ମକର୍ତ୍ତାଙ୍କୁ ଖାଲି ହାତରେ ଫେରିଥିବା ଜଣାପଡ଼ିଛି।