କୁଆମରା: ଗରିବ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଛି। ତେବେ ଏହି ଯୋଜନାରେ ଘର ପାଇଥିବା ଜଣେ ଗରୀବ ହିତାଧିକାରୀ ନିଜେ ଭଙ୍ଗା କୁଡ଼ିଆରେ ରହି ପାଇଥିବା ଘରକୁ ମାସିକ ୨ଶହ ଟଙ୍କାରେ ଭଡ଼ାରେ ଲଗାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା; ଉକ୍ତ ଘରେ ଚାଲିଛି ସରକାରୀ ଅଙ୍ଗନବାଡ଼ି କେନ୍ଦ୍ର। ଏପରି ଘଟଣା ଦେଖିବାକୁ ମିଳିଛି ଖୁଣ୍ଟା ବ୍ଲକ୍‌ ସପନଚୁଆ ପଞ୍ଚାୟତ ସୋନପୋଖରୀ ଗ୍ରାମରେ।

Advertisment

୧୯୮୬ ମସିହାରେ ସୋନପୋଖରୀ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ଏହା ପ୍ରଥମେ ଗ୍ରାମର ଯୁବକ ସଂଘ ଘରେ ଚାଲିଥିଲା। ୨୦୦୭ ମସିହାରେ ଏହି କେନ୍ଦ୍ର ପାଇଁ ନୂତନ ଘର ନିର୍ମାଣ ହୋଇଥିଲା। ତେବେ ୨୦୧୯ ମସିହା ବେଳକୁ ଘରଟି ଜରାଜୀର୍ଣ୍ଣ ହୋଇ ପଡ଼ିବାରୁ ଏହାକୁ ବିପଦସଙ୍କୁଳ ଘୋଷଣା କରି ଏଠାରୁ କାର୍ଯ୍ୟାଳୟକୁ ଉଠାଇ ଦିଆଗଲା। ସେବେଠାରୁ ଏହି ଗ୍ରାମର ଉମେଶ ଚନ୍ଦ୍ର ସିଂ’ଙ୍କ ପ୍ରଧାନମନ୍ତ୍ରୀ ଆବାସ ଘରେ ଭଡ଼ାରେ ଚାଲିଛି ଅଙ୍ଗନବାଡ଼ି କାର୍ଯ୍ୟାଳୟ।

ଏକ ଛୋଟିଆ ଘରେ ୩ ବର୍ଷ ହେଲା କାମ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହି କେନ୍ଦ୍ରରେ ଅଗ୍ନିକୁଆଁରୀ ଓ ସନପୋଖରୀ ଦୁଇଟି ଗ୍ରାମର ୨୧ ଜଣ ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ସହ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ସେହିପରି ଦୁଇ ଗ୍ରାମର ଗର୍ଭବତୀ ଓ ପ୍ରସୂତିମାନେ ମଧ୍ୟ ଏହି କେନ୍ଦ୍ର ଉପରେ ନିର୍ଭରଶୀଳ। ହେଲେ ଏଠାରେ ଶିଶୁ ଓ ମା’ମାନଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ ଭଳି ସାମାନ୍ୟତମ ସୁବିଧା ବି ନାହିଁ। ପାଣି ପାଇଁ କେନ୍ଦ୍ରଠାରୁ ୫୦୦ ମିଟର ଦୂରକୁ ଯିବାକୁ ପଡୁଛି। ଏ ସଂପର୍କରେ ଅଙ୍ଗନବାଡ଼ି କର୍ମୀ ମୁଗୁନି ସିଂ ଅନେକ ଥର ସିଡିପିଓ ଏବଂ ବିଡିଓଙ୍କୁ ଜଣାଇଥିବାର କହିଛନ୍ତି। ମାତ୍ର କୌଣସି ପଦକ୍ଷେପ ନିଆଯାଉନି। ଗତ ପଞ୍ଚାୟତ ସମିତି ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ତଥାପି କିଛି ଫଳ ହେଲାନି। ତେଣୁ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଗ୍ରାମବାସୀ।