ଦଶପଲ୍ଲା : ପାଠ ପଢ଼ିବା ପାଇଁ ଶ୍ରେଣୀ ଗୃହଟିଏ ନଥିବା ବେଳେ କୋମଳମତି ଶିଶୁଙ୍କୁ ମୌଳିକ ସୁବିଧା ସୁଯୋଗ ମିଳିପାରୁନି। କେତେବେଳେ କୋଠଘରେ ତ ଆଉ କେତେବେଳେ ପର ଘର ବାରଣ୍ତାରେ ବସି ପିଲାମାନେ ପାଠ ପଢ଼ୁଛନ୍ତି। ଏପରିକି ଖାଦ୍ୟ ଖାଇବାକୁ କୌଣସି ସୁବିଧା ନଥିବାରୁ ରାସ୍ତା ଉପରେ ଧୂଳିବା‌ଲିରେ ବସି ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଣିଗୋଚ୍ଛା ପଞ୍ଚାୟତ ଅନ୍ତର୍ଗତ ଫାଲ୍‌ପାଜୁ ଅଙ୍ଗନବାଡ଼ି କେନ୍ଦ୍ରରେ। କୋମଳମତି ଶିଶୁଙ୍କୁ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଶିକ୍ଷାଦାନ କରାଇବା ସହ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବକୁ ନେଇ ବିକାଶ ବାଟବଣା ହୋଇଛି। ମାସେ ନୁହେଁ କି ବର୍ଷେ ନୁହେଁ, ପ୍ରାୟ ୧୦ ବର୍ଷ ହେବ ଏଭଳି ଖରା, ବର୍ଷା ଓ ଶୀତ କାକରରେ ଶିଶୁଙ୍କୁ କାଳାତିପାତ କରିବାକୁ ପଡ଼ୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।

Advertisment

ଗ୍ରାମବାସୀଙ୍କ କହିବା କଥା ହେଲା, ଏହି ଗ୍ରାମର ଶିଶୁମାନେ ପ୍ରାୟ ୧ କିମି ଦୂର ତାକୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଉଛନ୍ତି। ଅଧିକ ବାଟ ହେତୁ ଅଧିକାଂଶ ସମୟ ଶିଶୁମାନେ ଅଙ୍ଗନବାଡ଼ି ବାରଣ୍ତା ମାଡ଼ୁ ନଥିଲେ। ଏପଟେ ଶିଶୁମାନଙ୍କୁ ଗାଁରେ ଏକତ୍ର କରିବା ସହ କୁନ୍ତଳା ମଳିକ ନାମକ ଅଙ୍ଗନବାଡ଼ି କର୍ମୀ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରାଇଥିଲେ। ଗ୍ରାମବାସୀଙ୍କ ବହୁ ଦାବି ପରେ ଏହି ଗ୍ରାମରେ ଏକ ମିନି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ନେଇ କୁନ୍ତଳା ମଧ୍ୟ ନିଯୁକ୍ତି ପାଇଥିଲେ। ତେବେ ନିଜସ୍ୱ ଗୃହ ନଥିବା ହେତୁ କିଛି ବର୍ଷ ଗାଁର କୋଠ ଘରେ ଶିଶୁଙ୍କୁ ପାଠପଢ଼ା ଯାଇଥିଲା। ମାତ୍ର କୋଠଘରଟି ବର୍ତ୍ତମାନ ବିପଦସଂକୁଳ ଭାବେ ରହିଥିବା ହେତୁ ଏଠାରେ ପାଠପଢ଼ା ବନ୍ଦ କରାଯିବା ପରେ ପର ଘର ବାରଣ୍ତାରେ ପାଠପଢ଼ା ଯାଉଛି। ଖରା, ବର୍ଷା, ଶୀତ କାକରରେ ବର୍ଷତମାମ୍ ଶିଶୁମାନଙ୍କୁ ଏଭଳି ବାରଣ୍ତାରେ ବସାଇ ପାଠ ପଢ଼ାଯାଉଥିବା ବେଳେ ଶିଶୁଙ୍କ ସୁରକ୍ଷା ଦୃଷ୍ଟିରୁ ଅଙ୍ଗନବାଡ଼ି କର୍ମୀ ନିଜ ଘରେ ରୋଷେଇ କରି ଶିଶୁଙ୍କୁ ଖାଇବାକୁ ଦେଉଛନ୍ତି। ଅପରପକ୍ଷେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ପ୍ରାୟ ୫ ବର୍ଷ ହେବ ଆରମ୍ଭ ହୋଇଥିଲେ ମଧ୍ୟ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିବା ସହ ସଂପନ୍ନ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।