ନବରଙ୍ଗପୁର : ୩ ବର୍ଷ ହେଲା ସ୍କୁଲ ବାରଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ନବରଙ୍ଗପୁର : ୩ ବର୍ଷ ହେଲା ଅଙ୍ଗନୱାଡି କେନ୍ଦ୍ରର କୋଠା ଭାଙ୍ଗିଯାଇଛି। ଫଳରେ ଗାଁ ସ୍କୁଲ ବାରଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ସେହିପରି ରୋଷେଇ ଘର ମଧ୍ୟ ନାହିଁ। ଏପରି ସ୍ଥିତିରେ କର୍ମୀଙ୍କୁ ନାନା ଅସୁବିଧା ଭୋଗିବାକୁ ପଡୁଛି। କୋଷାଗୁମୁଡା ବ୍ଲକ ଦୁଗଲାହାଣ୍ଡି ଗ୍ରାମରେ ବହୁ ବର୍ଷ ପୂର୍ବେ ଏକ ଅଙ୍ଗନୱାଡି କେନ୍ଦ୍ର କୋଠା ନିର୍ମାଣ ହୋଇଥିଲା। ଏହି କୋଠା କାନ୍ଥରେ ଫାଟ ସୃଷ୍ଟି ହେବା ସହ ଛାତରୁ ପାଣି ଗଳିବା ଫଳରେ ଏହି କୋଠା ଅସୁରକ୍ଷିତ ହେବାରୁ ଗାଁ ଲୋକେ ଓ ପ୍ରଶାସନ ପକ୍ଷରୁ ଏହି କୋଠାକୁ ବନ୍ଦ କରିଦିଆଗଲା। ସେବେ ଠାରୁ ପ୍ରାୟ ୩ ବର୍ଷ ହେବ ବିଦ୍ୟାଳୟର ବାରଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ଏହି ଅଙ୍ଗନୱାଡି କେନ୍ଦ୍ରରେ ୨୮ ଜଣ କୁନି କୁନି ଶିଶୁ ଆସି ପାଠ ପଢ଼ୁଛନ୍ତି। ଅଙ୍ଗନୱାଡି କେନ୍ଦ୍ର ପାଇଁ ବିଦ୍ୟାଳୟ ପକ୍ଷରୁ ଏକ ଛୋଟିଆ କୋଠରୀ ଦିଆଯାଇଛି। ସେଠାରେ କେନ୍ଦ୍ରର ସମସ୍ତ ଜିନିଷପତ୍ର ରଖାଯାଉଛି। ରୋଷେଇ ଘର ନଥିବାରୁ ସ୍କୁଲ ବାରଣ୍ଡାରେ ଚାଲିଛି ରୋଷେଇ। ଏପଟେ ଯେଉଁ ସ୍କୁଲ ଅଛି ତାର ଅବସ୍ଥା ନକହିଲେ ଭଲ। ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୮ମ ପର୍ଯ୍ୟନ୍ତ ୧୭୬ ଜଣ ପାଠ ପଢ଼ୁଛନ୍ତି। ସେଥିରେ ପୁଣି ୪୦ ସଂଖ୍ୟା ବିଶିଷ୍ଟ ଛାତ୍ରାବାସ। ସ୍କୁଲରେ ୮ଟି ଶ୍ରେଣୀ ପାଇଁ ମାତ୍ର ୨ଟି କୋଠା ରହିଛି। ଗୋଟିଏ ଛାତ ଏବଂ ଅନ୍ୟଟି ପୁରୁଣା ଆଜବେଷ୍ଟ ଆଛାଦିତ କୋଠା। ଆଜବେଷ୍ଟ କୋଠାରେ ୨ଟି କୋଠରୀ ଓ ଛାତ କୋଠାରେ ୨ଟି କୋଠରୀ ରହିଛି। ଏପରି ମୋଟ ୪ଟି କୋଠରୀରେ ୮ଟି ଶ୍ରେଣୀ ଚାଲିବା ସମ୍ଭବପର ହେଉନଥିବା ବେଳେ ପୁଣି ଅଙ୍ଗନୱାଡି କେନ୍ଦ୍ର ପାଇଁ କୋଠରୀ ଦେବାକୁ ପଡୁଥିବାରୁ ସ୍କୁଲରେ ନାନା ଅସୁବିଧା ଦେଖାଦେଇଛି। ବନ୍ୟା ସମୟରେ ଇନ୍ଦ୍ରାବତୀ ନଦୀର ପାଣି ସ୍କୁଲ ପରିସର ଏବଂ ବାରଣ୍ଡାରେ ଜମି ରହୁଛି। ଏଣୁ ତୁରନ୍ତ ଅଙ୍ଗନୱାଡି କେନ୍ଦ୍ରର ଏକ ନୂତନ କୋଠା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର