ସୁନ୍ଦରଗଡ଼/ଲେଫ୍ରିପଡା: ଜିଲ୍ଲାର ଅଙ୍ଗନବାଡ଼ି ଗୃହଗୁଡ଼ିକର ବାଲା ମୋଡେଲରେ ଉନ୍ନତି ବା ନବୀକରଣ କରାଯାଉଛି। ଏଥିପାଇଁ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି) ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଯୋଗାଇ ଦେଇଛି ଅର୍ଥ। କିନ୍ତୁ ନିର୍ମାଣ ଆରମ୍ଭ ନାମରେ ଅନେକ ସ୍ଥାନରେ ଅଙ୍ଗନବାଡ଼ି କୋଠାର କବାଟ ଝରକା ତାଡ଼ିବା, ଫ୍ଲୋରିଂ ଭାଙ୍ଗିବା ପରି ଭଙ୍ଗାରୁଜା କାମ କରାଯାଇଛି। ହେଲେ ଏଯାଏ କୋଠାଗୁଡ଼ିକର ନିର୍ମାଣ ଆଗେଇ ପାରିନି।
ଜିଲ୍ଲାର ୨୫୦୧ କେନ୍ଦ୍ରର ନବୀକରଣ କାମ ହାତକୁ ନିଆଯାଇଥିବା ବେଳେ ବୀରମିତ୍ରପୁର, ରାଉରକେଲା ସହର, ରାଉରକେଲା ସିଭିଲ ଟାଉନସିପ୍ ଓ ରାଉରକେଲା ଶିଳ୍ପାଞ୍ଚଳରେ ଥିବା ୨୭ଟି କେନ୍ଦ୍ର ବ୍ୟତୀତ ଅନ୍ୟ ୨୪୧୪ ଟି କେନ୍ଦ୍ରର ଉନ୍ନତୀକରଣ ପାଇଁ ୩ଟି ଠିକା ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା। କିନ୍ତୁ ଗୋଟିଏ ଅଙ୍ଗନବାଡ଼ି ଗୃହ କାମ ତିନି ତିନିଟି ଠିକା ସଂସ୍ଥା କରୁଥିବା ଅଭିଯୋଗ ହୋଇଥିଲା। ଟେଣ୍ଡର ପାଇଥିବା ମୂଳ ଠିକା ସଂସ୍ଥା ନିଜେ କାମ ନକରି ସ୍ବୟଂ ସହାୟିକା ଗୋଷ୍ଠୀ (ଏସଏଚଜି)କୁ କାମ ବାଣ୍ଟି ଦେଇଥିବା ଏବଂ ସ୍ବୟଂ ସହାୟିକା ଗୋଷ୍ଠୀ କିଛି ଲାଭ ରଖି ପୁଣି ଅନ୍ୟ ସ୍ଥାନୀୟ ଠିକାଦାରଙ୍କୁ କାମ ଦେଇଥିବା ଅଭିଯୋଗ ହୋଇଥିଲା।

Advertisment

ସେହିପରି ବାଲିଶଙ୍କରା, କୁତ୍ରା, କୁଆରମୁଣ୍ଡା, ନୂଆଗାଁ, ରାଜଗାଙ୍ଗପୁର ଓ ସବଡେଗା ବ୍ଲକର ପ୍ରାୟ ୯୦୬ଟି ଓ ବିଶ୍ରା, ବଣାଇ, ଗୁରୁଣ୍ଡିଆ, ଲାଠିକଟା, କୋଇଡ଼ା, ଲହୁଣିପଡା ବ୍ଲକର ୮୨୪ ଟି କୋଠା କାମର ଟେଣ୍ଡର ଦୁଇ ଜଣ ସ୍ଥାନୀୟ ଠିକାଦାର ପାଇଥିଲାବେଳେ ବଡ଼ଗାଁ, ସୁନ୍ଦରଗଡ଼ ସଦର ବ୍ଲକ୍, ଟାଙ୍ଗରପାଲି, ଲେଫ୍ରିପଡା ଓ ହେମଗିର ବ୍ଲକର ୬୮୪ଟି କେନ୍ଦ୍ର କାମ ରାଜ୍ୟ ବାହାରର ଏକ ଠିକା ସଂସ୍ଥାକୁ ଦିଆଯାଇଥିଲା। ଏହା ମଧ୍ୟରେ କିଛି ବ୍ଲକରେ ନିର୍ମାଣ ଶେଷ ହୋଇଥିବାବେଳେ ସଦର ଓ ଲେଫ୍ରିପଡ଼ା ବ୍ଲକରେ ସଂପୃକ୍ତ ଠିକା ସଂସ୍ଥାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି।

ସୁନ୍ଦରଗଡ଼ ସଦର ବ୍ଲକର ସମସ୍ତ ଓ ଲେଫ୍ରିପଡ଼ା ବ୍ଲକର ୧୩୧ଟି କେନ୍ଦ୍ର ମଧ୍ୟରୁ ୪୨ଟି କେନ୍ଦ୍ରର ନବୀକରଣ କାମ ବିଭାଗୀୟ ସମ୍ପାଦନ (ଡିପାର୍ଟମେଣ୍ଟାଲ)ରେ କରିବାକୁ ଜିଲ୍ଲାପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟରେ ବ୍ଲକ ପ୍ରଶାସନ ଆରମ୍ଭ କରିଥିବା କାମ ଦ୍ରୁତଗତିରେ ଆଗେଇ ଚାଲିଛି। କିନ୍ତୁ ଠିକା ସଂସ୍ଥା ହାତରେ ଥିବା ଲେଫ୍ରିପଡ଼ାର ୮୯ଟି କେନ୍ଦ୍ର ଭଙ୍ଗା‌ରୁଜା ଅବସ୍ଥାରେ ପଡ଼ିଛି। ଶୁଣିବାକୁ ମିଳିଛି ଯେ, ଠିକା ସଂସ୍ଥାର ଅବହେଳା ଯୋଗୁଁ ପୂର୍ବ ଟେଣ୍ଡରକୁ ରଦ୍ଦ କରି ରିଟେଣ୍ଡର କରାଯାଇଛି। ଏବେ ନୂଆ ଠିକା ସଂସ୍ଥା ଏସବୁ କାର୍ଯ୍ୟର ନିର୍ବାହ କରିବ। ଅପରପକ୍ଷେ ଏଭଳି ଠିକାଦାରି ଅବହେଳା ମଧ୍ୟରେ ହୋଇଥିବା ଅହେତୁକ ବିଳମ୍ବକୁ ନେଇ ନେଇ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।