ଅନୁଗୁଳ: ପାଖାପାଖି ୪ ଶହ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ। ଅଧାରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ରର ଶୌଚାଳୟ ସୁବିଧା କରାଯାଇନି। ପ୍ରାୟ ୫ ଶହ ଅଙ୍ଗନବାଡ଼ି କେନ୍ଦ୍ର ଅନ୍ଧାରରେ ଚାଲିଛି। ଦେଶ ଓ ରାଜ୍ୟକୁ ବିପୁଳ ରାଜସ୍ବ ଦେଉଥିବା ଅନୁଗୁଳ ଜିଲ୍ଲାରେ ପ୍ରାକ୍-ବିଦ୍ୟାଳୟ ଶିକ୍ଷାର ଏମିତି ବିକଳ ଚିତ୍ର ଏବେ ସାମ୍ନାକୁ ଆସିଛି। ଜିଲ୍ଲାରେ ସମୁଦାୟ ୧୬୮୫ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏକ ତୃତୀୟାଂଶ କେନ୍ଦ୍ରରେ ମୌଳିକ ସେବା ଅପହଞ୍ଚ ହୋଇ ରହିଛି।
ସରକାରୀ ତଥ୍ୟ ଅନୁସାରେ, ଅନୁଗୁଳ ଜିଲ୍ଲାରେ ଥିବା ୧୬୮୫ ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ୧୨୯୯ଟି କେନ୍ଦ୍ରର ନିଜସ୍ବ ଗୃହ ରହିଛି। ବାକି ଉଧାରରେ ଚାଲିଛି। ଏପଟେ ନିଜସ୍ବ ଘର ଥିବା ସତ୍ତ୍ବେ ବହୁ କେନ୍ଦ୍ରରେ ପିଲାଙ୍କ ପାଇଁ ସବୁ ସୁବିଧା ଖଞ୍ଜିବାରେ ପ୍ରଶାସନ ବିଫଳ ହୋଇଛି। ଏହି ୧୨୯୯ ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ମାତ୍ର ୫ଶହ କେନ୍ଦ୍ରରେ ଶୌଚାଳୟ ବ୍ୟବସ୍ଥା ରହିଛି। ବାକି କେନ୍ଦ୍ରରେ ପିଲାମାନେ ପାଖ ବୁଦାକୁ ଯାଇ ଏକ, ଦୁଇ କାମ ସାରିବାକୁ ବାଧ୍ୟ ହେଉଛନ୍ତି। କେବଳ ଏହି ଗୋଟିଏ ଉଦାହରଣ ନୁହେଁ, ପ୍ରାୟ ୪ ଶହ ଅଙ୍ଗନବାଡ଼ି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଫଳରେ ପିଲାଙ୍କ ପିଇବାଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ରାନ୍ଧିବା ପର୍ଯ୍ୟନ୍ତ ଯାବତୀୟ ସମସ୍ୟା ହେଉଛି। ପିଲାମାନେ ବାହାର ନଳକୂପକୁ ପାଣି ପାଇଁ ଯାଉଛନ୍ତି। ନ ହେଲେ ଘରୁ ପାଣି ଆଣିବାକୁ ପଡ଼ୁଛି। ଛୋଟ ପିଲାଙ୍କୁ ପାନୀୟ ଜଳ ଓ ଶୌଚାଳୟ ପରି ମୌଳିକ ସୁବିଧା ଯୋଗାଇବା ପାଇଁ ସରକାରଙ୍କୁ ଆହୁରି କେତେ ଦିନ ଲାଗିବ ବୋଲି ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି। ଏପଟେ ମାତ୍ର ୯୧୦ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ବିଜୁଳି ବ୍ୟବସ୍ଥା ହୋଇଛି। ବାକି ସବୁ ଅନ୍ଧାର। ବର୍ଷା ଦିନେ ଏଠି ପିଲାମାନେ ଅନ୍ଧାରରେ ପଢ଼ିବା ସହ ଖରା ଦିନେ ଗରମରେ ସିଝୁଛନ୍ତି। ଏହା ପ୍ରାକ୍ ବିଦ୍ୟାଳୟ ଶିକ୍ଷାକୁ ବାଟବଣା କରିବାରେ ଲାଗିଛି।
୪ ଶହ କେନ୍ଦ୍ରର ନିଜସ୍ବ ଘର ନାହିଁ
ଅର୍ଦ୍ଧାଧିକ କେନ୍ଦ୍ରରେ ନାହିଁ ଶୌଚାଳୟ
ଅନ୍ଧାରରେ ୫ଶହ କେନ୍ଦ୍ର
ଜିଲ୍ଲାରେ ୩୮୬ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନ ଥିଲା ବେଳେ ଏଥିରୁ ୧୪୪ଟି କେନ୍ଦ୍ର ସ୍କୁଲ ଘରେ ଚାଲିଛି। ଏଥିପାଇଁ ଏହି କେନ୍ଦ୍ରଗୁଡ଼ିକର ସମୟ ସାରଣୀ ବି ବଦଳାଇବାକୁ ପଡ଼ୁଛି। ବିଦ୍ୟାଳୟ ଖୋଲିବା ଆଗରୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବାକୁ ପଡ଼ୁଛି। କେତେବେଳେ କେମିତି ବିଦ୍ୟାଳୟ ବାରଣ୍ଡାରେ କାମ ଚଳାଇବାକୁ ପଡ଼ୁଛି। ଏପଟେ ୧୦୧ଟି କେନ୍ଦ୍ର ଭଡ଼ା ଘରେ ଓ ୧୪୧ଟି କେନ୍ଦ୍ର ଗୋଷ୍ଠୀ କେନ୍ଦ୍ରରେ ଚାଲିଛି। ଉଭୟ ସ୍ଥାନରେ ବି ଅନେକ ସମସ୍ୟା ହେଉଛି। ଜନବସତି ଭିତରେ ଭଡ଼ା ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଥିବାରୁ ପାଠପଢ଼ାରେ ଗୁରୁତର ସମସ୍ୟା ହେଉଛି। ଏପଟେ ଗୋଷ୍ଠୀ କେନ୍ଦ୍ରରେ ଚାଲିଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗୋଷ୍ଠୀ କେନ୍ଦ୍ରରେ କିଛି କାମ ରହିଲେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବାକୁ ପଡ଼ୁଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହି ସ୍ଥାନଗୁଡ଼ିକ ନିରାପଦ ରହୁନି। ପିଲାଙ୍କ ସୁବିଧା ଅନୁସାରେ ଏହି ଗୋଷ୍ଠୀ କେନ୍ଦ୍ର ଓ ଭଡ଼ାଘର ପ୍ରସ୍ତୁତ ହୋଇ ନ ଥିବାରୁ କେବଳ କାମଚଳା ନ୍ୟାୟରେ ପାଠପଢ଼ା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/anganawadi.jpg)