ସାଢ଼େ ଚାରି ଲକ୍ଷରେ ଅଙ୍ଗନବାଡ଼ି ଚାକିରି ଘଟଣା: ଅବୁଝା ଗାଁ, ଅଡ଼ୁଆରେ ପ୍ରଶାସନ

ଅନୁଗୁଳ : ସାଢ଼େ ଚାରି ଲକ୍ଷ ଟଙ୍କାରେ ଅଙ୍ଗନବାଡ଼ି ଚାକିରି ନିଲାମ! ଏ ସମ୍ପର୍କିତ ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବାପରେ ପ୍ରଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଛି। ବଅଁରପାଳ ବ୍ଲକ୍‌ ସିଡିପିଓ ଲିଲି ଦାଶ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଗଁାଲୋକଙ୍କର ଗୋଟିଏ ଜିଦ୍‌, ସରକାର ଯାହାଙ୍କୁ ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ଦେଇଛନ୍ତି ଆମେ ତାଙ୍କୁ ଗ୍ରହଣ କରିବୁ ନାହିଁ। ସେ ଅଙ୍ଗନବାଡ଼ି ଚଳାଇଲେ, ପିଲାଙ୍କୁ ପଠାଇବୁ ନାହିଁ। ଫଳରେ, ସିଡିପିଓ ନିରୁପାୟ ହୋଇ ଉପ-ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପାଇଁ ସିଡିପିଓ ଶ୍ରୀମତୀ ଦାଶ ଅନୁଗୁଳ ସହର ଉପକଣ୍ଠ ବଅଁରପାଳ ବ୍ଲକ୍‌ର ଏହି ଗାଁ ଗାଁକୁ ଯାଇଥିଲେ। କିନ୍ତୁ, ଆଲୋଚନାକୁ କେହି ଆସିଲେନି। ଯିଏ ବି ଆସିଲେ, କାହା କଥା ଶୁଣିବୁନି ବୋଲି କହିଲେ। ଏ ସମ୍ପର୍କରେ ସିଡିପିଓ ସିଡିପିଓ ଶ୍ରୀମତୀ ଦାଶ କହିଛନ୍ତି, ଅବୁଝା ଗ୍ରାମବାସୀ ଶୁଣିବାକୁ ବି ରାଜି ହେଲେ ନାହିଁ କି ସରକାରଙ୍କର କୌଣସି ଆଇସିଡିଏସ୍‌ କାର୍ଯ୍ୟକ୍ରମରେ ସହଯୋଗ କଲେନାହିଁ। ଏନେଇ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଲିଖିତ ଭାବେ ଆମ ନିକଟରେ ଅଭିଯୋଗ କରିଛନ୍ତି। ଅଙ୍ଗନବାଡ଼ି ଚାକିରି ପାଇଁ ଗ୍ରାମବାସୀ ଟଙ୍କା ମାଗୁଛନ୍ତି ବୋଲି ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ‘ଗ୍ରାମବାସୀଙ୍କ ସହ ଆଲୋଚନା ବିଫଳ ହେଲା ପରେ ଆମେ ଆଜି ଅନୁଗୁଳ ଉପ-ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛୁ। ଘଟଣା ସମ୍ପର୍କିତ ସବୁ ତଥ୍ୟ ତାଙ୍କୁ ଦିଆଯାଇଛି। ଗ୍ରାମବାସୀଙ୍କୁ ଡକାଇ ସମସ୍ୟାର ସମାଧାନ ପନ୍ଥା ବାହାର କରିବାକୁ ଉପ-ଜିଲ୍ଲାପାଳ ଆଶ୍ବାସନା ଦେଇଛନ୍ତି,’ ବୋଲି ସିଡିପିଓ ଶ୍ରୀମତୀ ଦାଶ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଗଁାରେ ଅଙ୍ଗନବଡ଼ି ପଦ ପୂରଣ ପାଇଁ ପ୍ରାଶାସନିକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତା’ ପରଠାରୁ ଗାଁରେ ମୂଲଚାଲ ଆରମ୍ଭ ହୋଇଥିଲା। ଯିଏ ଅଧିକ ଟଙ୍କାଦେବେ, ସେ ଚାକିରି କରିବେ ବୋଲି ଗଁା ଲୋକ ନିଷ୍ପତ୍ତି ନେଇଥିଲେ। ଟଙ୍କା ଦେବାକୁ ରାଜି ହୋଇଥିବା ହିତାଧିକାରୀ ବାଦ୍‌ ଅନ୍ୟ କେହି ଏ ପଦବି ପାଇଁ ଆବେଦନ କରିବେ ନାହିଁ ବୋଲି ବି ସ୍ପଷ୍ଟ କରିଥିଲେ। କିନ୍ତୁ, ଟଙ୍କା ଦେବାକୁ ରାଜି ହୋଇଥିବା ମହିଳାଙ୍କ ସହିତ ଅନ୍ୟ ଦୁଇଜଣ ଏଥିପାଇଁ ଆବେଦନ କଲେ। ଦୁର୍ଭାଗ୍ୟକୁ ଗାଁ ବାଛିଥିବା ମହିଳା ହିଁ ଏ ପଦବିରୁ କଟିଗଲେ। ଗାଁର ଅନ୍ୟ ଜଣେ ମହିଳାଙ୍କୁ ସରକାର ଏହି ପଦରେ ନିଯୁକ୍ତି ଦେଲେ, ଯାହାକୁ କି ଗ୍ରାମବାସୀ ଗ୍ରହଣ କରିନାହାନ୍ତି। ସେଥିପାଇଁ ଗଲା ୮ ତାରିଖରୁ ସେମାନଙ୍କ ପିଲାଙ୍କୁ ଅଙ୍ଗନବାଡ଼ିକୁ ଛାଡ଼ୁ ନ ଥିବାବେଳେ ବଅଁରପାଳ ଆଇସିଡିଏସ୍‌ ବିଭାଗର ଚିନ୍ତା ବଢ଼ିଛି।

ସମ୍ବନ୍ଧିତ ଖବର