ଅଙ୍ଗନବାଡ଼ି ଲେଡିଜ ୱାର୍କର୍ସ ଆସୋସିଏସନ୍‌ର ଧାରଣା ତୃତୀୟ ଦିନରେ

ଭୁବନେଶ୍ବର : ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍‌ ପକ୍ଷରୁ ଲୋୟର ପିଏମ୍‌ଜିରେ ଚାଲିଥିବା ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି। ଜିଲ୍ଲାୱାରି ଏହି ଧାରଣା ଜାରି ରହିଛି। ଆଜି କଟକ ଜିଲ୍ଲାରୁ ହଜାର ହଜାର ଅଙ୍ଗନବାଡ଼ି କର୍ମଚାରୀ ଏହି ଧାରଣାରେ ସାମିଲ ହୋଇଛନ୍ତି। ସଭାପତି ଗୀତାରାଣୀ ମହାନ୍ତି ଓ ସଂପାଦିକା ଜ୍ୟୋତ୍ସ୍ନାରାଣୀ ସିଂଙ୍କ ନେତୃତ୍ବରେ ଅଙ୍ଗନବାଡ଼ି କର୍ମଚାରୀମାନେ ଧାରଣାରେ ବସିଥିଲେ।

ସଂଘର ଦାବି ମଧ୍ୟରେ ରହିଛି, ଅଙ୍ଗନବାଡ଼ି କର୍ମୀ, ସହାୟିକା ତଥା ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ସର୍ବନିମ୍ନ ମାସିକ ୧୮ହଜାର ଓ ସହାୟିକାଙ୍କ ପାଇଁ ୯ହଜାର ଟଙ୍କା ପ୍ରଦାନ, ସୁପରଭାଇଜର୍‌ ପଦବିକୁ କେବଳ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ବାରା ପଦୋନ୍ନତି କରାଯିବା, ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ଅଙ୍ଗନବାଡ଼ି କର୍ମୀର ମାନ୍ୟତା ପ୍ରଦାନ କରିବା ସହିତ ସେହି କେନ୍ଦ୍ରରେ ଜଣେ ସହାୟିକା ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଉ। ଏହାସହ ନୂତନ ଖାଦ୍ୟ ତାଲିକାର ମୂଲ୍ୟ ବୃଦ୍ଧି, ଗାଁ କଲ୍ୟାଣ ସମିତି କାର୍ଯ୍ୟଗୁଡ଼ିକରୁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ବାଦ୍ ଦେବା, ଖରା ଦିନେ ୧ମାସ ଗ୍ରୀଷ୍ମ ଛୁଟି ଦେବା ଭଳି ଦାବିକୁ ସଂଘ ଜୋର ଦେଇଛି। ଯଦି ରାଜ୍ୟ ସରକାର ସଂଘର ଦାବି ପୂରଣ ଦିଗରେ ଅବହେଳା କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କର୍ମୀମାନେ ଚେତାବନୀ ଦେଇଛନ୍ତି। ଧାରଣାରେ କବିତା ଦାଶ, ଝୁନୁ ମହାନ୍ତି, ପ୍ରମିଳା ଦାସ, ସବିତା ସାହୁ, ପୁଷ୍ଣଲତା ସୁବୁଦ୍ଧିରାୟ, ସ୍ବର୍ଣ୍ଣଲତା ସାହୁ, ଉର୍ମିଳା ମିଶ୍ର, ରୀତାରାଣୀ ରଥ, ସୁହାସିନୀ ଖଟୁଆ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର