ପିପିଲି: ଦିଦି ହେବ ତ ଏମିତି! ପିପିଲିର ଏକ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ପ୍ରତିମା ମହାରଣା କୁନି କୁନି ପିଲାଙ୍କ ପାଇଁ ତାଙ୍କର ସ୍ନେହ-ଶ୍ରଦ୍ଧା ଦେଖାଇ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ଏମିତି କିଛି କାମ କରିଛନ୍ତି ଯାହାକୁ ନେଇ ପୂରା ଅଞ୍ଚଳରେ ପ୍ରତିମାଙ୍କୁ ନେଇ ଚର୍ଚ୍ଚା। ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ପଣ୍ଡାସାହିରେ ସେ ନିଜ ଉଦ୍ୟମରେ ତିଆରି କରିଛନ୍ତି ଏକ ଆଦର୍ଶ ଅଙ୍ଗନବାଡ଼ୀ କେନ୍ଦ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ଘୂର୍ଣ୍ଣିଝଡ଼ରେ ଗାଁର ଅଙ୍ଗନବାଡ଼ି କେନ୍ଦ୍ର ଭାଙ୍ଗି ପଡ଼ିଥିଲା। କୁନିକୁନି ପିଲାମାନେ ପାଠ ପଢ଼ିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। କୁନି ପିଲାମାନଙ୍କୁ ଅବହେଳିତ ହେବାର ଦେଖି ପ୍ରତିମା ଆଉ ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ଦରମା କାମରେ ଆରମ୍ଭ କରିଥିଲେ ଘର କାମ। ଝାଟିମାଟିରେ ତିଆରି କରିଥିଲେ ଏକ ଛୋଟିଆ ଘର। ଉପରେ ପକାଇ ଦେଇଥିଲେ ତମ୍ବୁ। କେବଳ ସେତିକି ନୁହେଁ, ପରିବେଶକୁ ସୁନ୍ଦର କରିବା ପାଇଁ କେନ୍ଦ୍ର ଆଗରେ ତିଆରି କରିଥିଲେ ଏକ ଫୁଲ ବଗିଚା। ପିଲାମାନଙ୍କ ପାଇଁ କିଛି ଖେଳଣା ବି କିଣି ଆଣିଲେ। କେନ୍ଦ୍ର ପିଲାମାନେ କିପରି ଶାନ୍ତିରେ ପଢ଼ିବେ ଓ ଖୁସିରେ ଖେଳିବେ ସେ ନେଇ ସବୁ ପ୍ରକାରର ବ୍ୟବସ୍ଥା କରିିଛନ୍ତି।
ରାଜ୍ୟ ଶିଶୁ ବିକାଶ ମନ୍ତ୍ରୀ ଏ ସଂପର୍କରେ ଜାଣିବା ପରେ ଅଙ୍ଗନବାଡ଼ି କେନ୍ଦ୍ରକୁ ପରିଦର୍ଶନରେ ଆସି ପ୍ରତିମାଙ୍କର ବହୁ ପ୍ରଶଂସା କରିଛନ୍ତି। ଏହା ସହ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସରକାର ଖୁବ୍ ଶୀଘ୍ର ପଦକ୍ଷେପ ନେବେ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।