ଅନୁଗୁଳ : ପିଲାଙ୍କ ନାଁରେ ଚାଉଳ ଚଳୁ। ଅଙ୍ଗନବାଡ଼ି ପିଲାଙ୍କୁ ଚାଉଳ ଯୋଗାଣର ଦାୟିତ୍ବ ମୁଣ୍ଡାଇ ନିଜେ ମାରିନେଲେ। ସରକାରୀ ଅଡିଟ୍ରୁ ଅନୁଗୁଳ ଜିଲ୍ଲାରେ ହୋଇଥିବା ୩୫ଲକ୍ଷ ଟଙ୍କାର ଚାଉଳ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଦୁଇ ଜଣ ଟ୍ରାନ୍ସପୋର୍ଟର୍ ହିଁ ଚାଉଳ ଚଳୁ କରିଛନ୍ତି। ଏନେଇ ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍ଡବ୍ଲୁଓ) ୩ ତାରିଖରେ ଟ୍ରାନ୍ସପୋର୍ଟରଙ୍କ ନାମରେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ବିଭାଗୀୟ ତଥ୍ୟ ମୁତାବକ, ଏ ବାଟମାରଣା ହୋଇଛି ୨୦୧୬ରୁ ୨୦୧୯ ଆର୍ଥିକ ବର୍ଷ ମଧ୍ୟରେ। ଏଫ୍ସିଆଇ ଚାଉଳ ଗୋଦାମରୁ ଚାଉଳ ଉଠାଣ କରି ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚାଇବା ପାଇଁ ଦୁଇ ଟ୍ରାନ୍ସପୋର୍ଟରଙ୍କୁ ଦାୟିତ୍ବ ଦିଆଯାଇଥିଲା। ସେମାନେ ହେଲେ, ଦେବାଶିଷ ଥମ୍ବ ଏବଂ ଘନଶ୍ୟାମ ସାହୁ। ଚାଉଳ ଉଠାଣ ପୂର୍ବରୁ ତିନୋଟି ସ୍ଲିପ୍ ତିଆରି କରାଯାଉଥିଲା। ଗୋଟିଏ ସ୍ଲିପ୍ ଟ୍ରାନ୍ସପୋର୍ଟର୍କୁ ଦିଆଯାଉଥିବା ବେଳେ ଚାଉଳ ଯୋଗାଣକୁ ତଦାରଖ ପାଇଁ ଗୋଟିଏ ସ୍ଲିପ୍ ସିଡିପିଓଙ୍କୁ ଏବଂ ଅନ୍ୟଟିକୁ ଡିଏସ୍ଡବ୍ଲୁଓକୁ ଦିଆଯାଉଥିଲା। ଚାଉଳ ଯୋଗାଣର ଅଡିଟ୍ ପ୍ରତିବର୍ଷ ହୁଏ। ନିକଟରେ ସରକାରୀ ଅଡିଟ୍ ବେଳେ ଏ ହେରଫେର କଥା ପଦାକୁ ଆସିଛି। ୨୦୧୬-୧୭ଆର୍ଥିକ ବର୍ଷରୁ ୨୦୧୮-୧୯ଆର୍ଥିକ ବର୍ଷ ମଧ୍ୟରେ ଉଭୟ ଟ୍ରାନ୍ସପୋର୍ଟର ମୋଟ୍ ୧୦୪୭.୧୧କୁଇଣ୍ଟାଲ୍ ଚାଉଳ ସରକାରୀ ଗୋଦାମରୁ ଉଠାଣ କରି ଯୋଗାଣ କରିନାହାନ୍ତି। ଯାହାର ମୂଲ୍ୟ ପ୍ରାୟ ୩୫ଲକ୍ଷ ଟଙ୍କା ହେବ ବୋଲି ଅଡିଟ୍ ହିସାବରୁ ଜଣାପଡ଼ିଛି।
ସେଥିମଧ୍ୟରୁ ଟ୍ରାନ୍ସପୋର୍ଟର୍ ଦେବାଶିଷଙ୍କ ନାମରେ ୧୭୯.୫୩କୁଇଣ୍ଟାଲ୍ ଚାଉଳ ହଡ଼ପ ହୋଇଥିବା ଅଡିଟ୍ରୁ ସ୍ପଷ୍ଟ ହୋଇଛି। ଯାହାର ମୂଲ୍ୟ ୫ ଲକ୍ଷ ୫୭ହଜାର ୪୩୩ ବୋଲି ଦର୍ଶାଯାଇଛି। ସେହିପରି ଘନଶ୍ୟାମଙ୍କ ନାମରେ ସର୍ବାଧିକ ୮୬୭.୫୮କୁଇଣ୍ଟାଲ୍ର ଚାଉଳ ହେରଫେର ହୋଇଥିବା ଜଣାପଡ଼ିଛି। ଯାହାର ମୂଲ୍ୟ ପ୍ରାୟ ୨୯ଲକ୍ଷ ୮ହଜାର ୧୫ଟଙ୍କା ବୋଲି ବିଭାଗ ଦର୍ଶାଇଛି। ତନ୍ମଧ୍ୟରୁ ୧୦ଲକ୍ଷ ଟଙ୍କା ତାଙ୍କଠାରୁ ଆଦାୟ ହୋଇଥିବା ବେଳେ ୫ଲକ୍ଷ ୨୧ହଜାର ୩୭୩ଟଙ୍କାର ଚେକ୍ ଦାଖଲ କରିଛନ୍ତି। ତଥାପି, ଏ ପ୍ରକାର ହେରଫେର ନେଇ ଉଭୟ ଟ୍ରାନ୍ସପୋର୍ଟରଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା।