ଅଙ୍ଗନବାଡ଼ି ଚାଉଳ ହରିଲୁଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବଦଳିଲେ ଡିଏସ୍‌ଡବ୍ଲୁଓ, ଅନ୍ୟ ୨ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଅଙ୍ଗନବାଡ଼ି ଚାଉଳ ହରିଲୁଟକୁ ନେଇ ‘ସମ୍ବାଦ’ରେ ବାରମ୍ବାର ତଥ୍ୟଭିତ୍ତିକ ରିପୋର୍ଟ ପ୍ରକାଶ କରିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ତଥା ବର୍ତ୍ତମାନର ଡିଏସ୍‌ଡବ୍ଲୁଓ ବିଦ୍ୟୁତଲତା ପାତ୍ରଙ୍କୁ କୋରାପୁଟ ଜିଲ୍ଲାକୁ ବଦଳି କରାଯାଇ ଥିବାବେଳେ ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ କୁହାଯାଉ ଥିବା ଏଡିଏସ୍‌ଡବ୍ଲୁଓ ନାନକୁ ସା ଏବଂ ସେକ୍ସନ ଅଫିସର ପଞ୍ଚାନନ ପୂଝାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍‌ଡବ୍ଲୁଓ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ତିନିଦିନ ଭିତରେ ନୋଟିସର ଉତ୍ତର ରଖିବାକୁ ମହଲତ ଦିଆଯାଇଛି। ନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏସ୍‌ଡବ୍ଲୁଓ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, କିଛିଦିନ ତଳେ ପୁଇଁତଲା ବ୍ଲକ୍‌ର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ତତ୍କାଳୀନ ପରିବହନ ଠିକାଦାର ରାଜେଶ ରଂଜନ ପାତ୍ର ଚାଉଳ ଯୋଗାଣ କରିଥିଲେ। ଯୋଗାଣ ଚାଉଳର ପ୍ରତି ବସ୍ତାରୁ ୭ ରୁ ୮ କେଜି କମ ଚାଉଳ ବାହାରିଥିଲା। ଯାହାକୁ ନେଇ ଅଙ୍ଗନବାଡ଼ି କର୍ମୀ ଆପତ୍ତି ଉଠାଇଥିଲେ। ଅଭିଯୋଗକୁ ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ସବୁ ବସ୍ତାରେ କମ ଚାଉଳ ଥିବା ଜଣାପଡ଼ିଥିଲା। ଏହାପରେ ପୁଇଁତଲା ଥାନାରେ ପରିବହନ ଠିକାଦାର ରାଜେଶ ପାତ୍ରଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ରାଜେଶ ଜାମିନରେ ଆସିଥିଲେ। ଜାମିନରେ ଆସିବା ପରେ ପୁଲିସ ତାଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା।

ସମ୍ବନ୍ଧିତ ଖବର