ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଅଙ୍ଗନବାଡି ଚାକିରି, ବହିଷ୍କାର ଦାବି

ରାୟଗଡ଼ା: ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରି ଦୀର୍ଘ ବର୍ଷ ଧରି ନିଯୁକ୍ତି ପାଇ ଚାକିରି କରି ଆସୁଥିବା ଜଣେ ଅଙ୍ଗନବାଡି କର୍ମୀଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ରାୟଗଡା ଜିଲ୍ଳାପାଳଙ୍କୁ ଭେଟି ମୁନିଗୁଡା ବ୍ଳକର ଭୈରବଗଡ ହରିଜନ ସାହିର ଗାୟତ୍ରୀ ପାଲକିଆ ଦାବି କରିଛନ୍ତି। ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଳାପାଳ। ମୁନିଗୁଡା ଶିଶୁ ବିକାଶ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ, କମିସନର ତଥା ସଚିବ ମହିଳା ଓ ଶିଶୁ ବିକାଶ ବିଭାଗ, ଭୁବନେଶ୍ୱର ସମେତ ରାୟଗଡା ଜିଲ୍ଳାପାଳଙ୍କୁ ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଭୈରବଗଡ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଅନୀତା ବେହେରାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ମହାମହୀମ ରାଜ୍ୟପାଳଙ୍କୁ ସମସ୍ତ ପ୍ରମାଣ ସହ ତଥ୍ୟ ଗତ ମାର୍ଚ୍ଚ ୧୫ ତାରିଖରେ ପ୍ରଦାନ କରାଯାଇ ଅଭିଯୋଗ କରାଯାଇଥିଲା। ଏନେଇ ରାଜ୍ୟପାଳଙ୍କ ସଚିବାଳୟ ଓଡ଼ିଶା, ରାଜଭବନ, ଭୁବନେଶ୍ୱର ପରିପତ୍ର ସଂଖ୍ୟା ୬୯/୨୩/୨୮୯୦ ଏସ.ଜି ପ୍ରକାରେ ଜିଲ୍ଳାପାଳଙ୍କୁ ଚିଠି କରାଯାଇ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ ପାଇଁ ଗତ ଏପ୍ରିଲ ୧୩ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା।ତେବେ ଏକ ମାସରୁ ଉର୍ଦ୍ଧ୍ବ  ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନିକ କ୍ଷେତ୍ରରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ପୁଣିଥରେ ଜିଲ୍ଳାପାଳଙ୍କୁ ଘଟଣାର ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି ଗାୟତ୍ରୀ ପାଲକିଆ।

ସମ୍ବନ୍ଧିତ ଖବର