ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି

ଭୁବନେଶ୍ବର : ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟ ସରକାର ଏହାକୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଙ୍ଗନବାଡ଼ି କର୍ମୀ/ସହାୟିକାମାନେ ଟେକ୍‌-ହୋମ୍‌ ରାସନ୍‌ ବାବଦରେ ଛତୁଆ, ଲଡ଼ୁ ଆଦି ଶୁଖିଲା ଖାଦ୍ୟ ୬ ମାସରୁ ୩ ବର୍ଷର ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ଘରେ ପହଞ୍ଚାଇବେ। ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆ ଓ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବାବଦକୁ ଶୁଖିଲା ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ। ପ୍ରତ୍ୟେକ ପରିବାରକୁ ସେମାନଙ୍କ ପ୍ରାପ୍ୟ ବାବଦକୁ ଅଣ୍ଡା ପ୍ରତି ସପ୍ତାହରେ ଘରେ ବଣ୍ଟନ କରାଯିବ। ଛତୁଆ ପ୍ରସ୍ତୁତକାରୀ ସ୍ବୟଂସହାୟକ ଗୋଷ୍ଠୀ ଓ ଅଙ୍ଗନବାଡ଼ି କର୍ମୀ/ସହାୟିକାମାନେ ସାମାଜିକ ଦୂରତ୍ବ ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ଆବଶ୍ୟକ ପ୍ରୋଟୋକଲ୍‌ ନିଶ୍ଚିତ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର