ଜିଲ୍ଲାପାଳଙ୍କୁ ଅଙ୍ଗନବାଡ଼ି ପରିଦର୍ଶିକାଙ୍କ ଦାବିପତ୍ର

ନୂଆପଡ଼ା : ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଠିକା ପରିଦର୍ଶିକାମାନେ ଚାକିରି ନିୟମିତ ପାଇଁ ଶୁକ୍ରବାର ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କୁ ଦାବିପତ୍ର ଦେଇଛନ୍ତି।

ସେମାନଙ୍କର ଅଭିଯୋଗ ହେଲା ଯେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିଭାଗ ପତ୍ର ସଂଖ୍ୟା ୫୩୨/୪ ଅକ୍ଟୋବର ୨୦୦୮ ନିର୍ଦେଶ ଅନୁସାରେ ୫୫୭ ଜଣ ସ୍ନାତକ (ବିଏ) ୫ବର୍ଷ ଅଭିଜ୍ଞତା ଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ଠିକା ସୁପରଭାଇଜର ପଦବିରେ ନିଯୁକ୍ତ ଦିଆଯାଇଛି। ଚାକିରିର କାର୍ଯ୍ୟକାଳ ୧୩ ବର୍ଷ ବିତିଯାଇ ଥିଲେ ମଧ୍ୟ ଆମ ଚାକିରି ନିୟମିତ ହୋଇପାରୁ ନାହିଁ। ଅନ୍ୟପଟେ ଆମ ସହିତ ଚାକିରି ପାଇଥିବା ମାଟ୍ରିକ ପାସ୍‌ ମହିଳା ପରିଦର୍ଶିକାଙ୍କ ଚାକିରି ନିୟମିତ କରାଯାଇ ସମସ୍ତ ସୁବିଧା ଦିଆଯାଉଛି। ସରକାର ଠିକା କର୍ମଚାରୀଙ୍କୁ ମାତ୍ର ୧୬ ହଜାର ୮୮୦ ଟଙ୍କା ଦେଉଛନ୍ତି। ଏଥିରେ ପରିବାର ଚଳାଇବା ବହୁ କଷ୍ଟକର ହେଉଛି। ସମାନ କାମକୁ ସମାନ ଦରମା ଦେବାକୁ ଦାବି କରିଛନ୍ତି।

ସେହିପରି କରୋନାରେ ମୃତ୍ୟୁବରଣ କରିଥିବା ସୁପରଭାଇଜର ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ତୁଳସୀଲତା ରାଉତ, ବୈଜୟନ୍ତୀ ମହାନ୍ତି, ସରସ୍ବତୀ ବିଶି, ପ୍ରେମଲତା ମାନିକପୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର