କ୍ଷତିପୂରଣ ପାଇଁ ହାଇକୋର୍ଟରେ ମାମଲା

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଅଭିଯୋଗ

କଟକ : ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁ ମହିଳାଙ୍କ ପ୍ରାଣ ଯିବା ଅଭିଯୋଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ନୟାଗଡ଼ ଜିଲ୍ଲା ଚାନ୍ଦପୁରର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ ପତ୍ନୀ କ୍ଷଣପ୍ରଭା ହରିଚନ୍ଦନ ହଠାତ ଅସୁସ୍ଥ ହୋଇ ପଡିବାରୁ ସେ ଖୋର୍ଦ୍ଧା ଟାଙ୍ଗୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ହସ୍ପିଟାଲରେ କ୍ଷଣପ୍ରଭାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ୨୦୧୭, ସେପ୍ଟେମ୍ବର ୨୮ରେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ପତ୍ନୀଙ୍କ ଏପରି ଅକାଳ ବିୟୋଗ ଘଟିଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଡାକ୍ତର ଏହି ଅସ୍ତ୍ରୋପଚାର କରିଥିଲେ ଓ ପତ୍ନୀଙ୍କ ମୃତ୍ୟୁ ପାଇଁ ସେ ଦାୟୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପତ୍ନୀ ଅଙ୍ଗନବାଡି କର୍ମୀ ଥିବା ବେଳେ ତାଙ୍କ ରୋଜଗାର ଉପରେ ପରିବାର ନିର୍ଭର କରୁଥିଲା। ତାଙ୍କ ମୃତ୍ୟୁ ପରେ ପରିବାରର ଅର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏପରି ପରିସ୍ଥିତିରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜୟଦେବ ବେହେରା ମାମଲା ପରିଚାଳନା କରୁଛନ୍ତି। ମାମଲାରେ ସ୍ୱାସ୍ଥ୍ୟ ସଚିବ, ନୟାଗଡ ଜିଲ୍ଲାପାଳ, ଖୋର୍ଦ୍ଧା ଜିଲ୍ଲାପାଳ, ଘରୋଇ ହସ୍ପିଟାଲକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର