ବିଜୁ ଶ୍ରମିକ ସାମ୍ମୁଖ୍ୟର ଆକାର ବଢିଲା : ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଗଠିତ

ପ୍ରଥମ ସମ୍ମିଳନୀରେ ୨୦୦୦ ପ୍ରତିନିଧିଙ୍କ ଯୋଗଦାନ, ସଭାପତି, ସଂପାଦକ ବି ମନୋନୟନ ହେଲା

ଭୁବନେଶ୍ୱର : ବିଜୁ ଶ୍ରମିକ ସାମ୍ମୁଖ୍ୟ ଉଦ୍ୟମରେ ‘ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ’ ଗଠନ ହୋଇଛି। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରଥମ ସମ୍ମିଳନୀରେ ୩୧୪ଟି ବ୍ଲକ, ୧୧୦ଟି ମ୍ୟୁନସିପାଲିଟି, ଏନଏସି ଓ ୫ଟି ମହାନଗର ନିଗମରୁ ୨ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। କଟକ-ବାରବଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ସୁଦାମ ମାର୍ଣ୍ଡି, ଶ୍ରୀକାନ୍ତ ସାହୁ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ଅଙ୍ଗନବାଡ଼ି ନେତ୍ରୀ ନନ୍ଦିନୀ ପଣ୍ଡା, ମନୋରମା ନନ୍ଦୀ, ରଶ୍ମୀବାଳା ମହାନ୍ତି, ମଞ୍ଜୁଲତା ଦାସ, ସଂଗୀତା ମହାପାତ୍ର, ଜୟପ୍ରଭା ଜେନା, ବୀଣାପାଣି ରାଉତ ପ୍ରମୁଖ ଭାଷଣ ଦେଇ କହିଥିଲେ, ଅଙ୍ଗନବାଡ଼ି କର୍ମୀମାନଙ୍କ ପ୍ରତି କେନ୍ଦ୍ର ସରକାର ୪୩ବର୍ଷ ଧରି ଘୋର ଅବିଚାର କରିଚାଲିଛନ୍ତି। ଜାତିସଂଘ ଦ୍ୱାରା ଗୃହୀତ ପ୍ରସ୍ତାବକୁ ଉପେକ୍ଷା କରି କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ ନକରିବା, ନିଜ ଦେୟ ୬୦ ଭାଗ ପ୍ରଦାନ ନକରିବା ଫଳରେ କର୍ମୀମାନେ ୯ ହଜାର ଟଙ୍କା ପାଇବା ପରିବର୍ତ୍ତେ ବର୍ତମାନ ୬ ହଜାର ଟଙ୍କା ପାଉଛନ୍ତି।

ନେତାମାନେ କହିଥିଲେ, ଆଜି ଦିନରେ ରାଜ୍ୟ ସରକାର ୭୦ ଭାଗ ଓ କେନ୍ଦ୍ର ସରକାର ୩୦ ଭାଗ ପ୍ରଦାନ କରୁଛନ୍ତି। ପେନ୍‌ସନ୍‌ ବ୍ୟବସ୍ଥା ନକରିବା, ସ୍ଥାୟୀ ନିଯୁକ୍ତି ପ୍ରତି କୌଣସି ଗୁରୁତ୍ୱ ନଦେବା, ଅବସରକାଳୀନ ବୟସ ସୀମା ବୃଦ୍ଧି କରିବା କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। କେନ୍ଦ୍ରୀୟ ଯୋଜନାରେ କୌଣସି ଆଇନଗତ ବ୍ୟବସ୍ଥା ନକରି ଓଡ଼ିଶାର ୭୬ ହଜାର ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରତାରିତ କରିଆସୁଛନ୍ତି।

ଅଙ୍ଗନବାଡ଼ି କର୍ମୀଙ୍କୁ ସହାୟତା ପାଇଁ କେନ୍ଦ୍ର ଉପରେ ଚାପ ପକାଇବା ସହ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା, ଅବସରକାଳୀନ ସମୟ ସୀମା ବୃଦ୍ଧି କରିବା, ସ୍ଥାୟୀ ଚାକିରି ପାଇଁ କେନ୍ଦ୍ରକୁ ଚିଠି ଲେଖିବା, ପଦୋନ୍ନତି କ୍ଷେତ୍ରରେ ଅଧିକ ସୁବିଧା ପ୍ରଦାନ କରିବା, ଗ୍ରୀଷ୍ମକାଳୀନ ଛୁଟି ବ୍ୟବସ୍ଥା ଲାଗୁ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବକ୍ତାମାନେ ନିବେଦନ କରିଥିଲେ। ବଜାର ଦର ଅନୁଯାୟୀ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମୂଲ୍ୟ ବୃଦ୍ଧି କରିବା କ୍ଷେତ୍ରରେ ସଠିକ୍‌ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା।

ଏହି ସମ୍ମିଳନୀରେ ସର୍ବସମ୍ମତିକ୍ରମେ ନନ୍ଦିନୀ ପଣ୍ଡା ସଭାପତି ଭାବେ, ମଞ୍ଜୁଲତା ଦାସ ସାଧାରଣ ସଂପାଦିକା ଓ ସୁଶ୍ରୀ ସଂଗୀତା ମହାପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଉପ-ସଭାପତି ଭାବରେ ଜ୍ୟୋତ୍ସ୍ନାରାଣୀ ମିଶ୍ର, ମଞ୍ଜୁଲତା ପଟ୍ଟନାୟକ, ମନୋରମା ନନ୍ଦୀ, ରଶ୍ମୀବାଳା ମହାନ୍ତି, ପ୍ରଭାତ ନନ୍ଦିନୀ ଜେନା, ଭାନୁମତି ନାୟକ, ସ୍ୱର୍ଣ୍ଣଲତା ସାହୁ, ଜୟପ୍ରଭା ଜେନା, ସବିତା ପରିଡ଼ା, ଧାର୍ମିକା ହରିଜନ,ଉଷାରାଣୀ ମହାନ୍ତି, ସୁକାନ୍ତି ସୁନା ନିର୍ବାଚିତ ହୋଇଛନ୍ତି। ସେହିପରି ସଂପାଦିକା ଭାବେ ପ୍ରଜ୍ଞାପାରିମିତା ଜେନା, ପ୍ରଭାତୀ ରାୟସିଂହ, ଇ. ପୂର୍ଣ୍ଣିଆମ୍ମା, ମଞ୍ଜୁଳା କୁମାରୀ ଦେବୀ, ବବିନା ବେହେରା, ତୃପ୍ତିମୟୀ ପାଇକରାୟ, ବୀଣାପାଣି ରାଉତ, ସଂଯୁକ୍ତା ମହାନ୍ତି, ଶାନ୍ତିଲତା

କର, ଝୁନୁ ମହାନ୍ତି, ଜୟଶ୍ରୀ ଦାସ, ସ୍ମୃତିଶ୍ରୀ ଷଡ଼ଙ୍ଗୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଉପଦେଷ୍ଟା ଭାବରେ ପ୍ରମିଳା ମଲ୍ଲିକ ଓ ସୁବାସ ସିଂହ ନିର୍ବାଚିତ ହୋଇଛନ୍ତି। କାଗଜପତ୍ର ପରିଚାଳନା କରିବା ପାଇଁ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ୫୦ ଜଣିଆ କର୍ମକର୍ତା ନିର୍ବାଚିତ ହୋଇଥିବା ଶ୍ରୀ ସିଂହ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର