ଧର୍ମଶାଳା: ଧର୍ମଶାଳା ଥାନା ଚୋରମୁହାଁ ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ର–୧ର କର୍ମୀ ତିଳୋତ୍ତମା ବେହେରାଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ରାକେଶ ଦାସ ଓରଫ୍ ମୂଷାକୁ ପୁଲିସ୍ ଗିରଫ କରିଛି। ମୂଷାକୁ ଆଜି ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ରଗଡ଼ି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଯୋଗ୍ୟ, ତିଳୋତ୍ତମା ଗତ ଜୁନ୍ ୨୮ତାରିଖ ପୂର୍ବାହ୍ନ ୧୦ଟାରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିବା ବେଳେ ମୂଷା ତାଙ୍କୁ ଆକ୍ରମଣ କରିଥିଲା।
ତିଲୋତ୍ତମା ଅଙ୍ଗନବାଡ଼ି କେନ୍ଦ୍ର ବାରଣ୍ତାରେ ଅଚେତ ହୋଇଯିବାରୁ ମରିଗଲେ ବୋଲି ଭାବି ଘଟଣାସ୍ଥଳରୁ ମୂଷା ଚମ୍ପଟ ମାରିଥିଲା। ସ୍ବାମୀ କାର୍ତ୍ତିକ ଚନ୍ଦ୍ର ବେହେରା ପତ୍ନୀଙ୍କୁ ନେଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ପୁଲିସ୍ କେସ ନମ୍ବର ୩୭୬/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତେବେ ଅଙ୍ଗନବାଡ଼ି କର୍ମଚାରୀ ସଂଘ ପକ୍ଷରୁ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି ସହିତ ଅନ୍ଦୋଳନ ଡାକରା ଦିଆଯିବା ପରେ ପୁଲିସ୍ ପାଇଁ ଅଡ଼ୁଆ ବଡ଼ିଥିଲା। ଘଟଣାର ୪ଦିନ ପରେ ପୁଲିସ୍ ଅଭିଯୁକ୍ତକୁ ଗତକାଲି ପାଣିକୋଇଲି ଅଞ୍ଚଳରୁ ଗିରଫ କରିଥିବା ସୂଚନା ଦେଇଛି।