ବଢ଼ୁଛି ଦାମଙ୍କ ଅଡ଼ୁଆ

ମନ୍ତ୍ରୀଙ୍କ ବହିଷ୍କାର ଦାବି, ୨୮ରୁ ବିଜେପି ଆନ୍ଦୋଳନ

ଅଙ୍ଗନବାଡି ଦିଦିଙ୍କ ବିକ୍ଷୋଭ, ପୁଲିସ ଜଗିଲା ମନ୍ତ୍ରୀଙ୍କ ଘର

 

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଯାଜପୁରରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜଟିଳ ରୂପ ନେଲାଣି। ଗୋଟିଏ ପଟେ ବିଜେପି ଏହି ପ୍ରସଙ୍ଗକୁ ନେଇ ସ୍ୱର ଉଚ୍ଚା କରିଛି ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ଓହ୍ଲାଇବାକୁ ଧମକ ଦେଇଛି। ଅଙ୍ଗନବାଡି ଦିଦି ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ମନ୍ତ୍ରୀଙ୍କୁ କୁଶପୁତ୍ତଳିକା ଦାହ କରିଛନ୍ତି।

ଅନ୍ୟପଟେ ବିଜେଡି ମଧ୍ୟ ମନ୍ତ୍ରୀଙ୍କ ଠାରୁ ନିଜ ହାତ କାଢି ନେଇଛି। ଦଳର ଦୁଇ ଦୁଇ ଜଣ ମନ୍ତ୍ରୀ ଆଜି ଗଣମାଧ୍ୟମକୁ ଏ ସଂପର୍କରେ ପ୍ରତିକ୍ରିୟା ଦେବା ବେଳେ ମନ୍ତ୍ରୀ ଡାକ୍ତର ରାଉତଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି। ଫଳରେ ଡାକ୍ତର ରାଉତ ଏକ ଘରିକିଆ ହୋଇପଡିବା ଭଳି ସ୍ଥିତି ଉପୁଜିଛି। ଆଜି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ମନ୍ତ୍ରୀଙ୍କ ଫରେଷ୍ଟ ପାର୍କ ସ୍ଥିତ ବାସଭବନକୁ ପୁଲିସ ଘେରରେ ରଖାଯାଇଥିଲା। କାଳେ ବିଜେପି କର୍ମୀ ଓ ଅଙ୍ଗନବାଡି କର୍ମୀ ମନ୍ତ୍ରୀଙ୍କ ବାସଭବନ ଘେରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ, ଏଥିପାଇଁ ଏଭଳି ପ୍ରସ୍ତୁତି କରିଥିଲା କମିସନରେଟ୍‌ ପୁଲିସ।

ଉଲ୍ଲେଖଯୋଗ୍ୟ, ଯାଜପୁର ଜିଲ୍ଲାରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ମନ୍ତ୍ରୀ ଡାକ୍ତର ରାଉତ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସଙ୍କେତ କରି ସ୍ୱାମୀ ଛାଡ଼ି ଅଙ୍ଗନବାଡି ବୋଲି ଦେଇଥିବା ମନ୍ତବ୍ୟ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଗତକାଲି ବିଜେପି ଆହ୍ଵାନ ଦେଇ ୨୪ ଘଣ୍ଟାର ମହଲତ ଦେଇଥିଲା। ଆଜି ଦଳ ସାମ୍ବାଦିକ ସମ୍ମିଳନୀ କରି ଗର୍ଜିଛି। ବିଜେପି ନେତାମାନେ କହିଛନ୍ତି, ମନ୍ତ୍ରୀ ନିଜର ମାନସିକ ସନ୍ତୁଳନ ହରାଇ ବସିଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଅପାରଗତା ଓ ସ୍ଥାଣୁତା କାରଣରୁ ନିନ୍ଦିତ ହେବା ଫଳରେ ରାଜ୍ୟବାସୀଙ୍କ ଧ୍ୟାନ ଅନ୍ୟତ୍ର ହଟାଇବା ପାଇଁ ଜାଣିଶୁଣି ଏହି ପ୍ରସଙ୍ଗରେ ନିରବତା ଅବଲମ୍ବନ କରୁଛନ୍ତି। ଏହି ଘଟଣା ସୂଚାଇ ଦେଇଛି ଯେ ରାଜ୍ୟର ମା’, ଭଉଣୀଙ୍କ ପ୍ରତି ସରକାରଙ୍କ ସମ୍ମାନ କେତେ?

ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ମହିଳାଙ୍କ ପ୍ରତି ଏଭଳି ହୀନ ଆଭିମୁଖ୍ୟ ରଖୁଥିବା ମନ୍ତ୍ରୀଙ୍କର ଆଉ ଶାସନ କ୍ଷମତାରେ ରହିବାର ଆଦୌ ଆବଶ୍ୟକତା ନାହିଁ। ଏହା ଗଣତନ୍ତ୍ର ପ୍ରତି ସଂପୂର୍ଣ୍ଣ ବିପଦ । ତେଣୁ ଡା.ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ।

ଇତିମଧ୍ୟରେ ବିଜେପି ଦେଇଥିବା କଣ୍ଟ ପୂରିଯାଇଥିବାରୁ ଆଜି ଦଳର ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଶ୍ରୀମତୀ ପରିଡାଙ୍କ ନେତୃତ୍ୱରେ ତାଙ୍କ ବାସଭବନକୁ ଜବାବ୍‌ ମାଗିବା ପାଇଁ ଯାଇଥିଲେ । ମାତ୍ର ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କ ବାସଭବନର ଯଥେଷ୍ଟ ପୂର୍ବରୁ ପୁଲିସ ଛାଉଣି କରି ରଖାଯାଇଥିଲା ବୋଲି ବିଜେପି କହିଛି। କେବଳ ସେତିକି ନୁହେଁ, ଏହି ମହିଳା ପ୍ରତିନିଧି ଦଳକୁ ପୋଲିସ ସହାୟତାରେ ଜୋର ଜବରଦସ୍ତ ଅଟକ ରଖାଯାଇ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା ବୋଲି ଦଳ ସାନି ଅଭିଯୋଗ ଆଣିଛି। ଏପରିକି ପୁଲିସ ଲାଠିଚାଳନାରେ ମହିଳା ମୋର୍ଚ୍ଚାର ବହୁ କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ଦଳୀୟ ନେତାମାନେ ଅଭିଯୋଗ କରିଛନ୍ତି।

ବିଜେପି ଆଜି ଚେତାବନୀ ଦେଇଛି ଯେ ଯଦି ଏହି ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ନେତାମାନେ ତୁରନ୍ତ କ୍ଷମା ପ୍ରାର୍ଥନା ନ କରନ୍ତି, ତେବେ ଆସନ୍ତା ୨୮ରୁ ୩୦ ତାରିଖ ଯାଏ ମହିଳା ମୋର୍ଚ୍ଚା ତରଫରୁ ସମସ୍ତ ଜିଲ୍ଲାସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡାଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦିକା ପ୍ରତିଭା ଶତପଥୀ, ସଂପାଦିକା ରଶ୍ମୀରେଖା ଦାଶ, ମନିଷା ଚିନ୍ମୟୀ ବେହେରା, କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର, ରାଜ୍ୟ କାଯ୍ୟର୍କାରିଣୀ ସଦସ୍ୟା ଅମ୍ରିତା ଦାଶ, ନିରୁପମା ଜେନା, ମନ୍ଦାକିନୀ ପାତ୍ର, ସୁବାଷିନୀ ପୃଷ୍ଟି, ମାନସୀ ମଂଜରୀ ରାୟ, କବିତା ଲେଙ୍କା, ତନୁଶ୍ରୀ ପଟେଲ, ଯାଜ୍ଞସାନୀ ଜେନା, ଇନ୍ଦିରା ଦାଶ, ଶାନ୍ତିଲତା ସେଠୀ, କୃଷ୍ନାପ୍ରିୟା ମିଶ୍ର, ଦିପ୍ତୀମୟୀ ଦାଶ, ମମତା ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ। ସେହିଭଳି ଲୋୟର ପିଏମ୍‌ଜିି ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅଙ୍ଗନବାଡି କର୍ମୀ ବିକ୍ଷୋଭ କରିବା ସହିତ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିବା ଖବର ମିଳିଛି।

ଏପଟେ ଆଜି ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ସମର୍ଥନ କରିବା ଲାଗି ବିଜେଡି ଆଗ୍ରହ ଦେଖାଇନାହିଁ। ବରଂ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଯଦି ଦାମ ବାବୁ ଏପରି କହିଥିବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜନୀତିରେ କେହି ବି ଲକ୍ଷଣରେଖା ଡେଇଁବା ଅନୁଚିତ୍‌ ବୋଲି ସେ କହିଛନ୍ତି। ମନ୍ତ୍ରୀ ଅନନ୍ତ ଦାସ ମଧ୍ୟ ଏଭଳି ମନ୍ତବ୍ୟକୁ ପସନ୍ଦ କରିନାହାନ୍ତି। ହେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କିନ୍ତୁ ଦାମଙ୍କ ମନ୍ତବ୍ୟ ଭିତରକୁ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ନବୀନଙ୍କ ବିନା ଇଙ୍ଗିତରେ କୌଣସି ପତ୍ର ହଲେନି। ତେଣୁ ତାଙ୍କ ଇଂଗିତରେ ଦାମ ଏଭଳି ବୟାନ ଦେଇଥାଇପାରନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମହିଳାମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ଘେରାଉ ଖବର ମିଳିବା ପରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ମନ୍ତ୍ରୀଙ୍କ ବାସଭବନ ଆଗରେ ୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ପୁଲିସ କ୍ୟାପିଟାଲ ହସ୍ପିଟାଲ ଛକରୁ ଶିଶୁଭବନ ଛକ ରାସ୍ତାକୁ ବ୍ୟାରିକେଡ ଦେଇ ସିଲ କରି ଦେଇଥିଲା। ମନ୍ତ୍ରୀଙ୍କ ବାସଭବନ ଚାରିପଟେ ପୁଲିସ ଛାଉଣିରେ ପରିଣତ ହୋଇଥିଲା। ତେବେ ଲାଠି ଚାର୍ଜ ଖବରକୁ ପୁଲିସ ପକ୍ଷରୁ ଖଣ୍ଡନ କରାଯାଇଛି।

ସମ୍ବନ୍ଧିତ ଖବର