ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ବର : ଦାବି ପୂରଣ ପରେ ଆଜି ଅଙ୍ଗନବାଡ଼ି କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ଅଙ୍ଗନବାଡ଼ି କର୍ମୀ କ୍ୟାପିଟାଲ ହସ୍ପିଟାଲ ଛକରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ।

ମାସିକ ଭତ୍ତା ସର୍ବନିମ୍ନ ୧୮ ହଜାର ଟଙ୍କା, ସହାୟିକାମାନଙ୍କୁ ମାସିକ ୯ ହଜାର ଟଙ୍କା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡ଼ି କର୍ମୀଙ୍କୁ ବାଦ୍‌, ଅବସର ବୟସସୀମା ୬୫ ବର୍ଷକୁ ବୃଦ୍ଧି, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୫ ଲକ୍ଷ ଟଙ୍କା, ଗ୍ରୀଷ୍ମ ଦିନେ ଏକ ମାସ ଛୁଟି ପ୍ରଦାନ ଆଦି ୧୩ ଦଫା ଦାବି ନେଇ ସଂଘ ଲୋୟର୍ ପିଏମ୍‌ଜିରେ ଧାରଣା ଦେଇଥିଲା। ଧାରଣାର ୪୯ ଦିନ ପରେ ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଥିଲେ। ଅଙ୍ଗନବାଡ଼ି କର୍ମୀମାନଙ୍କୁ ମାସିକ ୬ହଜାର ବଦଳରେ ସାଢ଼େ ୭ ହଜାର ଟଙ୍କା, ମିନି ଅଙ୍ଗନବାଡ଼ି କର୍ମୀମାନଙ୍କୁ ୪୨୧୫ ଟଙ୍କା ବଦଳରେ ୫୩୭୫ ଟଙ୍କା ଏବଂ ଅଙ୍ଗନବାଡ଼ି ହେଲପରମାନଙ୍କୁ ୩ହଜାର ଟଙ୍କା ପରିବର୍ତ୍ତେ ୩୭୫୦ ଟଙ୍କା ମିଳିବ। ଏହି ବର୍ଦ୍ଧିତ ପାରିଶ୍ରମିକ ୨୦୧୮ ଅକ୍ଟୋବରରୁ ପିଛିଲା ଭାବରେ ଲାଗୁ ହେବ। ସେହିପରି ଅଙ୍ଗନବାଡ଼ି କର୍ମୀଙ୍କ ଅବ୍ୟାହତି ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରାଯାଇଛି। ଅଙ୍ଗନବାଡ଼ିରେ କାର୍ଯ୍ୟରତ କର୍ମୀ ଓ ହେଲପରମାନେ ୧୫ ଦିନ ପାଇଁ ଖରା ଛୁଟିରେ ରହିବେ। କେବଳ ସେତିକି ନୁହେଁ, କର୍ମୀ ଓ ହେଲପରମାନଙ୍କୁ ଅବସର ପରେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇବେ। ଏହି ଆଧାରରେ ଅଙ୍ଗନବାଡ଼ି କର୍ମୀମାନେ ୨୦,୦୦୦ ଟଙ୍କା, ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ୧୫ ହଜାର ଟଙ୍କା ଓ ହେଲପରଙ୍କୁ ୧୦,୦୦୦ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା।

ସମ୍ବନ୍ଧିତ ଖବର