ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି : ଉପକୃତ ହେବେ ୧.୪୫ ଲକ୍ଷ ଅଙ୍ଗନବାଡ଼ି କର୍ମୀ

ଅବସର ବୟସ ସୀମା ବି ବଢ଼ିଲା, ୭୩ କୋଟିର ଅତିରିକ୍ତ ଆର୍ଥିକ ବୋଝ ବହନ କରିବ ରାଜ୍ୟ

ଭୁବନେଶ୍ବର : ଚାଷୀଙ୍କ ପରେ ଏ‌େବ ଅଙ୍ଗନବାଡ଼ି କର୍ମୀଙ୍କ ପାଳି। ସାଧାରଣ ନିର୍ବାଚନ ପାଇଁ ଦିନ ଗଣନା ଆରମ୍ଭ ହୋଇଯାଇଥିଲା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ ମନ ଜିଣିବାକୁ ସରକାର ଆଜି ଭଣ୍ଡାର ଖୋଲିଦେଇଛନ୍ତି। ଆଜି ସରକାରୀ ଛୁଟି ଦିନ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସେମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଦରମା ବୃଦ୍ଧି କରାଯାଇଛି। ଏହା ସହ ସେମାନଙ୍କ ଅବ୍ୟାହତି ବୟସ ସୀମାକୁ ବି ବଢ଼ାଇଦିଆଯାଇଛି। ସେମାନଙ୍କ ସାମାଜିକ ସୁରକ୍ଷା, ଖରାଦିନ ଛୁଟି, ପଦୋନ୍ନତି କ୍ଷେତ୍ରରେ ମଧ୍ୟ ସୁବିଧା ସୁଯୋଗ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଦୁଇ ଦିନ ଆଗରୁ ରାଜ୍ୟ ସରକାରଙ୍କ ଏହି ଘୋଷଣା ରାଜନୈତିକ ମହଲକୁ ବିତର୍କର ଖୋରାକ ଯୋଗାଇଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀଙ୍କୁ ମାସିକ ପାରିଶ୍ରମିକ ବାବଦରେ ପୂର୍ବରୁ ମିଳୁଥିବା ୬,୦୦୦ ଟଙ୍କାକୁ ବୃଦ୍ଧି କରାଯାଇ ୭,୫୦୦ ଟଙ୍କା କରାଯାଇଛି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀମାନେ ଏଣିକି ପାରିଶ୍ରମିକ ବାବଦକୁ ୫,୩୭୫ ଟଙ୍କା ଏବଂ ସହାୟିକାମାନେ ୩,୭୫୦ ଟଙ୍କା ପାଇବେ।

ପୂର୍ବରୁ ସେମାନେ ଯଥାକ୍ରମେ ୪,୨୧୫ ଟଙ୍କା ଓ ୩,୦୦୦ ଟଙ୍କା ପାଉଥିଲେ। ଏହି ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବେ ୨୦୧୮ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ।

ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ହେଉଛନ୍ତି ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମର ମେରୁଦଣ୍ଡ ସଦୃଶ। ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ସଚେତନ ରହିଛନ୍ତି। ଏହା ସହିତ କର୍ମୀଙ୍କ ଅବ୍ୟାହତି ବୟସ ସୀମାକୁ ମଧ୍ୟ ୬୦ରୁ ୬୨କୁ ବୃଦ୍ଧି କରିଛନ୍ତି ସରକାର। ଅବ୍ୟାହତି ନେବା ସମୟରେ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଏଣିକି ସାମାଜିକ ସୁରକ୍ଷା ବାବଦରେ ଏକାଥରକେ ଯଥାକ୍ରମେ ୨୦ ହଜାର,୧୫ ହଜାର ଓ ୧୦ ହଜାର ଟଙ୍କା ଲେଖାଏଁ ପାଇବେ। ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଦିଆଯିବ। ଖାଲି ସେତିକି ନୁହେଁ, ଏଣିକି ଖରାଦିନରେ ସେମାନେ ୧୫ ଦିନର ଛୁଟି ପାଇବେ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଅଙ୍ଗନବାଡ଼ି ସୁପରଭାଇଜର ପଦବିର ୫୦ ପ୍ରତିଶତ ପଦବି କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କ ଭିତରୁ ପୁରଣ ହେବ। ପୂର୍ବରୁ ଏହି ପଦ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ଭିତରୁ ୩୦ ପ୍ରତିଶତଙ୍କୁ ପଦୋନ୍ନତି ଦିଆଯାଇ ସୁପରଭାଇଜର ପଦରେ ନିଯୁକ୍ତି ଦିଆଯାଉଥିଲା।

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟରେ ୧ ଲକ୍ଷ ୪୫ ହଜାର ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଉପକୃତ ହେବେ। ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବାବଦରେ କେନ୍ଦ୍ର ସରକାର ଟଙ୍କାଟିଏ ବୃଦ୍ଧି କରି ନ ଥିବାବେଳେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଲଗାତାର ଭାବେ ବୃଦ୍ଧି କରିଛନ୍ତି। ୨୦୧୭ ଅକ୍ଟୋବର ୧ ତାରିଖରେ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୪ ହଜାର ଟଙ୍କାରୁ ୬ ହଜାର ଟଙ୍କା କରିଥିଲେ। ଏବେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଅଙ୍ଗନବାଡ଼ି କର୍ମୀଙ୍କ ବର୍ଦ୍ଧିତ ପାରିଶ୍ରମିକ ବାବଦରେ ରାଜ୍ୟ ସରକାର ୪ ହଜାର ୮୦୦ ଟଙ୍କା ବହନ କରୁଥିବାବେଳେ କେନ୍ଦ୍ର ସରକାର ବହନ କରିବେ ୨ ହଜାର ୭୦୦ ଟଙ୍କା। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ବାବଦରେ ରାଜ୍ୟ ବହନ କରିବ ୩ ହଜାର ୨୭୫ ଟଙ୍କା ଆଉ କେନ୍ଦ୍ର ବହନ କରୁଛି ୨ ହଜାର ୧୦୦ ଟଙ୍କା। ସହାୟିକାଙ୍କ ବାବଦରେ ରାଜ୍ୟ ବହନ କରୁଛି ୨ ହଜାର ୪୦୦ ଟଙ୍କା କିନ୍ତୁ କେନ୍ଦ୍ର ବହନ କରୁଛି ମାତ୍ର ୧ ହଜାର ୩୫୦ ଟଙ୍କା। ଫଳରେ ବର୍ଦ୍ଧିତ ପାରିଶ୍ରମିକ ବାବଦରେ ରାଜ୍ୟ ୭୩ କୋଟି ୩୯ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ବହନ କରିବ।

ଦୀର୍ଘ ୪୮ ଦିନ ହେଲାଣି ପାରିଶ୍ରମିକ ବୃଦ୍ଧି ଓ ସରକାରୀ ମାନ୍ୟତା ଦାବିରେ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଛନ୍ତି ବିଭିନ୍ନ ଅଙ୍ଗନବାଡ଼ି କର୍ମୀ ସଂଗଠନ। ସରକାରଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସମୟରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ମହିଳା ଓ ଶିଶୁ ବିକାଶ ପ୍ରମୁଖ ସଚିବ ଅନୁ ଗର୍ଗଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

ଆଜି ମୁଖ୍ୟମନ୍ତ୍ରୀ ସଚିବାଳୟରେ ଏହି ଘୋଷଣା କ‌ଲା ପରେ ଧାରଣା ସ୍ଥଳରେ ଅଙ୍ଗନବାଡ଼ି କର୍ମୀମାନେ ସ୍ବାଗତ କରି ଉତ୍ସବ ପାଳନ କରୁଥିବାର ଦେଖାଯାଇଥିଲା।

ସମ୍ବନ୍ଧିତ ଖବର