ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ : କେନ୍ଦ୍ର ଅର୍ଥରେ ବାହାଦୁରି ନେଉଛନ୍ତି ରାଜ୍ୟ ସରକାର – ବିଜେପି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ଏହାକୁ ସମାଲୋଚନା କରିଛି ବିଜେପି। ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, କେବଳ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏପରି କରିଛନ୍ତି। ବାସ୍ତବରେ କେନ୍ଦ୍ର ଅର୍ଥକୁ ନିଜ ନାମରେ ଘୋଷଣା କରି ରାଜ୍ୟ ସରକାର ବାହାଦୁରି ନେଉଛନ୍ତି। ଗତ ବର୍ଷ ସେପ୍ଟମ୍ବର ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଙ୍ଗନବାଡ଼ି କର୍ମୀଙ୍କୁ ଭାରତ ସରକାର ୩ ହଜାର ଟଙ୍କା ବଦଳରେ ୪୫୦୦ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ। ସେହି ଅନୁଯାୟୀ ମିନି ଅଙ୍ଗନବାଡ଼ି କର୍ମୀମାନେ ୨୫୦୦ ଟଙ୍କା ବଦଳରେ ୩୫୦୦ ଟଙ୍କା ଏବଂ ସହାୟିକାମାନେ ୧୫୦୦ ବଦଳରେ ୨୨୫୦ ଟଙ୍କା ପାଇବେ। କିନ୍ତୁ କେନ୍ଦ୍ର ସରକାରଙ୍କ ଅର୍ଥକୁ ନିଜେ ବଢ଼ାଇଛନ୍ତି ବୋଲି କହି ହଜାର ହଜାର ଅଙ୍ଗନବାଡ଼ି କର୍ମୀଙ୍କୁ ସରକାର ଭୂ୍ଆଁ ବୁଲାଉଛନ୍ତି। ଭାରତ ସରକାର ଯେତେବେଳେ ଦରମା ବୃଦ୍ଧି କଲେ, ସେତେବେଳେ ଅଙ୍ଗନବାଡ଼ି କର୍ମୀମାନେ ୭୫୦୦, ମିନି ଅଙ୍ଗନବାଡ଼ି କର୍ମୀ ୫୩୭୫ ଏବଂ ସହାୟିକାମାନେ ୩୭୫୦ ଟଙ୍କା ପାଇବା କଥା। ଅକ୍ଟୋବର ୧ ତାରିଖରୁ ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଆନ୍ଦୋଳନ କରୁଥିବା ଅଙ୍ଗନବାଡ଼ି କର୍ମୀମାନଙ୍କ ଦାବି ଥିଲା ଯେ ସେମାନଙ୍କୁ ୧୮ ହଜାର ଟଙ୍କା ଦରମା ମିଳୁ। ରାଜ୍ୟ ସରକାର ଏହି ଦାବି ତ ପୂରଣ କଲେନି, ବରଂ କେନ୍ଦ୍ର ଅର୍ଥରେ ନିଜେ ବାହାବା ନେବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର