ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ବର : ନୂତନ ଶିକ୍ଷାନୀତିକୁ ବିରୋଧ କରି ଆଜି ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଲୋୟର୍ ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନୂତନ ଶିକ୍ଷାନୀତି ଅନୁସାରେ ପ୍ରାକ୍-ବିଦ୍ୟାଳୟ କାର୍ଯ୍ୟକ୍ରମ ସବୁକୁ ସ୍କୁଲ ସହିତ ମିଶ୍ରଣ କରାଯିବାକୁ ଥିବାରୁ ଅଙ୍ଗନବାଡ଼ି ଯୋଜନାକୁ ଭାଙ୍ଗିବା ପାଇଁ ଉଦ୍ୟମ ହୋଇଛି ବୋଲି ଅଭିଯୋଗ କରି ସଂଘ ଏହି ବିକ୍ଷୋଭ ପ୍ରଦର୍ଶନ କରିଛି। ନୂତନ ଶିକ୍ଷାନୀତି ଅନୁସାରେ ଅଙ୍ଗନବାଡ଼ି କେନ୍ଦ୍ର ବିଦ୍ୟାଳୟମାନଙ୍କରେ ମିଶ୍ରଣ ହେଲେ କର୍ମୀ ଓ ସହାୟିକାମାନଙ୍କ ଚାକିରି ସର୍ତ୍ତାବଳି କଣ ହେବ, ସେମାନେ କିଭଳି ଭାବେ କାର୍ଯ୍ୟ କରିବେ, ଏ ସଂପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରାଯାଉନଥିବାକୁ ସଂଘ କଡ଼ା ନିନ୍ଦା କରିଛି।

ନୂତନ ଶିକ୍ଷା ନୀତି ବାତିଲ କରିବା, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ସର୍ବନିମ୍ନ ଭତ୍ତା ୨୧ହଜାର ଟଙ୍କାକୁ ବୃଦ୍ଧି କରିବା, ପେନସନ୍ ବାବଦ‌ରେ ମାସିକ ୩ ହଜାର ଟଙ୍କା ପ୍ରଦାନ କରିବା, ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା ଓ ଏଥିପାଇଁ ମାସିକ ୫ହଜାର ଟଙ୍କା ଓ ଦୁଇଟି ଚୁଲା ଦେବାକୁ ଏହି ଅବସରରେ ଦାବି କରାଯାଇଥିଲା। ସରକାରୀ ନିୟମ ଅନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ରସବୁକୁ ବିଦ୍ୟୁତ୍ ସଂଯୋଗ, ବିଦ୍ୟୁତ୍ ଦେୟ ପ୍ରଦାନ, କର୍ମୀମାନେ ପାଉଥିବା ୫ ବର୍ଷିଆ ଓ ୧୦ ବର୍ଷିଆ ଇନ୍‌କ୍ରିମେଣ୍ଟ ପ୍ରଦାନ, ବୀମା ଯୋଜନାର ସଫଳ ରୂପାୟନ, ବଜାର ଦର ଅନୁସାରେ ଏସ୍ଏନ୍‌ପିର ଦର ଧାର୍ଯ୍ୟ ଦାବି କରାଯାଇଥିଲା। ମୋର୍ଚ୍ଚାର ବିଜୟ ଜେନା, ସୁର ଜେନା, ପ୍ରଶାନ୍ତ ପାଢ଼ୀ, ହରପ୍ରିୟା ସ୍ବାଇଁ, ପୁଷ୍ପାଞ୍ଜଳି ଦାଶ, ବିଷ୍ଣୁପ୍ରିୟା ଜେନା, ମମତାଜ ଖୁଣ୍ଟିଆ, ପ୍ରଭାସିନୀ ପାଢୀ, ଲକ୍ଷ୍ମୀପ୍ରିୟା ମହାପାତ୍ର, ମଳୟ ମଞ୍ଜରୀ ଜେନା, ନର୍ମଦା ନାହାକ, ପଙ୍କଜିତା ଶବର, ଅଞ୍ଜନା ପଣ୍ଡା, ଗାୟତ୍ରୀ ପଣ୍ଡା, ସ୍ବର୍ଣ୍ଣଲତା ପ୍ରଧାନ, ଉଜ୍ଜୟିନୀ ଦୀକ୍ଷିତ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର