ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ରାଜ୍ୟ ସରକାର ରାଜ୍ୟରେ ଥିବା ସବୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଅଙ୍ଗନବାଡି କର୍ମୀମାନେ ହିତାଧିକାରୀମାନଙ୍କ ଘରକୁ ଯାଇ ଶୁଖିଲା ରାସନ ବଣ୍ଟନ କରିଛନ୍ତି ।

ରାଜ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୩ ରୁ ୬ ବର୍ଷ ବୟସର ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ଶୁଖିଲା ରାସନ ବାବଦକୁ ଛତୁଆ, ବାଦାମ ଲଡୁ, ଚିକି, ଅଣ୍ଡା ଏବଂ ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ହିତାଧିକାରୀମାନଙ୍କୁ ମାଣ୍ଡିଆ ଚୂନାର ପ୍ୟାକେଟ୍ ବଣ୍ଟନ କରାଯାଇଛି । ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଏହି ଯୋଜନା ଦ୍ୱାରା ରାଜ୍ୟର ୪୧ ଲକ୍ଷ ୨୭ ହଜାର ୫୦ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି । ଯେଉଁମାନଙ୍କ ମଧ୍ୟରେ ୬ ମାସରୁ ୩ ବର୍ଷ ବୟସର ୧୭,୯୩,୮୯୬ ଶିଶୁ, ୩ରୁ ୬ ବର୍ଷ ବୟସର ୧୬,୧୩,୭୭୫ ଜଣ ଶିଶୁ ଏବଂ ୭,୧୯,୩୭୯ ଜଣ ଗର୍ଭବତୀ ଓ ପ୍ରସୂତୀ ମହିଳା ଉପକୃତ ହେଉଛନ୍ତି । ଏହାଛଡ଼ା ଲକଡାଉନ ସମୟରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ଯୋଗ୍ୟ ହିତାଧିକାରୀମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇ ଯୋଗ୍ୟତା ଅନୁସାରେ ଶୁଖିଲା ରାସନ ବଣ୍ଟନ କରାଯାଇଛି ।

ସମ୍ବନ୍ଧିତ ଖବର