ଜୟପୁର:  ୩୧ଦିନରେ ପହଚିଂଲା ଅଙ୍ଗନୱାଡୀ କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ। ଜୟପୁର ସିଡିପିଓଙ୍କ ଅଧିନରେ ଥିବା ଜୟପୁର ବ୍ଲକ ଓ ସହରାଂଚଳର ୩୩୭ଟି ଅଙ୍ଗନୱାଡୀ କେନ୍ଦ୍ର ମଧ୍ୟରୁ ୨୪୨ଟି ରେ ଏବେ ରନ୍ଧାଖାଦ୍ୟ ଓ ଅଣ୍ଡା ବିତରଣ ବନ୍ଦ ରହିଛି। କେବଳ ସୁପରଭାଇଜର ମାନଙ୍କ ଜରିଆରେ ସୁଖିଲା ଖାଦ୍ୟ ବିତରଣ କଷ୍ଠମଷ୍ଟେ ଚାଳିଚି। ଗତ ୨୫ତାରିଖରୁ ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ ଓଡିଶା  ଅଙ୍ଗନୱାଡୀ ଲେଡିଜ୍ ୱାର୍କସ୍ ଏ‌ସୋସିଏସନର ରାଜ୍ୟସ୍ତରୀୟ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ କରି ୫ଦଫା ଦାବି ନେଇ ଜୟପୁରରେ ବି  ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରୀ ରହିଛି।  ଜୟପୁର ବ୍ଲକ ସଭାନେତ୍ରୀ  ଅହଲ୍ୟାବାଇ ପଣ୍ଡା, ସଂପାଦିକା ଗାଙ୍ଗୀ ପାଳ, ସ୍ବର୍ଣ୍ଣଲତା ପାତ୍ର, ବିଜୟ ଲକ୍ଷ୍ମୀନାୟକ, ରୀନା ରାଉତ, ସୁମତି ପ୍ରଧାନ, ମାଣିକ ହରିଜନ, ସୁଷମା ନାୟକ, କୁମୁଦିନୀ ସାହୁ, କଲ୍ୟାଣୀହାଲଦାର,  ସୁଲୋଚନା ରଥ ପ୍ରମୁଖ ନେତୃତ୍ବ ନେଇ ଆନ୍ଦୋଳନ ଜାରୀ ରଖିଛନ୍ତି। ଆସନ୍ତା ୨୮ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସଭାନେତ୍ରୀ, ସଂପାଦିକା।

Advertisment

ସୂଚନା ଅନୁଯାୟୀ, ଜୟପୁର ବ୍ଲକ ଓ ପୌରାଂଚଳରେ ଆନ୍ଦୋଳନ ପ୍ରଭାବରେ ୨୩୫୯ଟି ଗର୍ଭବତୀ ମା’, ୨୩୦୯ ପ୍ରସୁତି ମା’, ୧୨ହଜାର ୨୬୬ଜଣ ୬ମାସରୁ ୩ବର୍ଷର ନବଜାତ ଶିଶୁ  ଓ ୭୬୯୮ଜଣ ପ୍ରାକଃ ବିଦ୍ୟାଳୟ ଶିଶୁ ରନ୍ଧାଖାଦ୍ୟରୁ ୨୪ହଜାର ୬୩୨ଜଣ ବଂଚିତ ହେଉଥିବା ସୂଚନା ମିଳିଛି। ୯୫ଟି କେନ୍ଦ୍ର ଖୋଲା ଥିବା ବେଳେ ବଳକା କେନ୍ଦ୍ର ଗୁଡିକରେ ଛତୁଆ (ସୁଖିଲା) ଖାଦ୍ୟ ବିତରଣ ଜାରୀ ରହିଛି ବୋଲି କହିଛନ୍ତି ସିଡିପିଓ ସୁଚିତା ପଣ୍ଡା, ସୁପରଭାଇଜର ଏନ୍ ଲକ୍ଷ୍ମୀ ସେନାପତି, ଲକ୍ଷ୍ମୀ ପୁଜାରୀ, ଇନ୍ଦୁମତି ପାଣିଗ୍ରାହୀ, ସୁବର୍ଣ୍ଣମୟୀ ଦେବୀ।  କେନ୍ଦ୍ର ଥିବା ଅଂଚଳର ୱାର୍ଡସଭ୍ୟ, ମହିଳା ସ୍ବୟଂସହାୟକ, ଯାଂଚ କମିଟି ଆଦିର ସଭ୍ୟଙ୍କୁ ସାମିଲ କରି ସୁପରଭାଇଜର ମାନେ ଗାଁକୁ ଗାଁ ବୁଲି ସୁଖିଲା ଖାଦ୍ୟ ବିତରଣ କରୁଥିବା କହିଛନ୍ତି ସୁପରଭାଇଜର। ୧୧ଜଣ ସୁପରଭାଇଜର ନିଜ ନିଜ ଅଧିନରେ ଥିବା ୨୦ରୁ ୪୦ଟି କେନ୍ଦ୍ରର ହିତାଧିକାରୀଙ୍କୁ ଏସବୁ ବିତରଣ କରୁଛନ୍ତି ବୋଲି କହିଛନ୍ତି ସିଡିପିଓ। ଗାଁରେ ଏକାସ୍ଥାନରେ ପୁରୁଣା ତାଳିକାକୁ ନେଇ ହିତାଧିକାରୀଙ୍କୁ ଜମା କରି ସୁଖିଲା ଖାଦ୍ୟ ବିତରଣ କରାଯାଉଛି ବୋଲି କହିଛନ୍ତି ସୁପରଭାଇଜର। ନବଜାତ ଓ ପ୍ରାକଃ ବିଦ୍ୟାଳୟ ପିଲା ମାନେ ରନ୍ଧାଖାଦ୍ୟ  ଓ  ଗର୍ଭବତୀ ମା’ ଓ ପ୍ରସୁତି ମା’ ମାନେ ସିଝା ଅଣ୍ଡା ଓ ପୃଷ୍ଟିକର ରନ୍ଧା ଖାଦ୍ୟ ପାଇବାରୁ ମାସାଧିକକାଳ ବଂଚିତ ହେବା ଠିକ ନୁହେଁ, ଏହା ମାନବିକ ଅଧିକାର ଉଲଂଘନ। ଏଥି ପାଇଁ କିଏ ଉତ୍ତରଦାୟୀ ହେବେ ବୋଲି ପ୍ରଶ୍ନ କରିଛନ୍ତି ମାନବାଧିକାର କର୍ମୀ ଅନୁପ ପାତ୍ର, ସତୀଶ ନନ୍ଦ।