‘ସୁନାନାଳ’ର ସୁନା ଦିଦି: ୧୨ଶିଶୁଙ୍କୁ କୋଳେଇ ନାଳ ପାର୍‌ କରାଉଛନ୍ତି

କୋଇଡ଼ା : ଦୃଶ୍ୟଟି ଚକିତ କରିଦେବା ଭଳି। ବର୍ଷାରେ ଛୋଟିଆ ନଈର ଭ୍ରମ ସୃଷ୍ଟି କରୁଥିବା ଭରାନାଳର ଏକୂଳରେ ଅପେକ୍ଷା କରିଛନ୍ତି ୧୦-୧୨ ଜଣ କୁନିକୁନି ଶିଶୁ। ଜଣେ ଅଙ୍ଗନବାଡ଼ି ଦିଦି କୋଳରେ ଥରକେ ଦୁଇଜଣଙ୍କୁ ଧରି ନାଳ ପାର କରାଉଛନ୍ତି। ସମସ୍ତେ ପାର ହୋଇସାରିବା ପରେ ସେମାନେ ସେପାରିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି। ଆସିବାବେଳେ ପୁଣି ସେଇ ସମାନ ଘଟଣା ପୁନରାବୃତ୍ତି ହେଉଛି। ବର୍ଷବର୍ଷ ଧରି ଚାଲିଛି ଏଭଳି ବିପଜ୍ଜନକ ଯାତାୟାତ। ଏ ଦୃଶ୍ୟ ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଖଣି ଖାଦାନ ଭରା କୋଇଡ଼ା ବ୍ଲକ୍‌ ଅନ୍ତର୍ଗତ ଓରାଘାଟ ଗାଁ ଗୋପୀସାହିର। ନାଳରେ ପୋଲଟିଏ ପାଇଁ ପଞ୍ଚାୟତ, ବ୍ଲକ୍‌ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରିକରି ଥକିଗଲେଣି ସ୍ଥାନୀୟଲୋକେ। କିଛି ସୁଫଳ ମିଳିନି। ହଁ, ମିଳିଛି ଅବଶ୍ୟ ଗଦାଗଦା ପ୍ରତିଶ୍ରୁତି।

ଗୋପୀସାହିକୁ ଦୁଇଭାଗରେ ବିଭକ୍ତ କରିଛି ଛୋଟିଆ ନଈ ‘ସୁନାନାଳ’। ନାଳର ଗୋଟିଏ ପାଖରେ ଅଛି ଅଙ୍ଗନବାଡ଼ି କେନ୍ଦ୍ର ଓ ଅଛନ୍ତି ୧୦ ଜଣ ଶିଶୁ। ନାଳର ଆରପାଖରୁ ଆସନ୍ତି ଅଙ୍ଗନବାଡ଼ି କର୍ମୀ ପାନମଣି ମୁଣ୍ଡା। ଆସନ୍ତି ମଧ୍ୟ ଅନ୍ୟ ୧୨ ଜଣ କୁନିକୁନି ଶିଶୁ। ଖରାଦିନେ ତ ଶିଶୁମାନେ ଦିଦିଙ୍କ ସହ ହସିଖେଳି ଆରାମରେ ନାଳ ପାର ହୋଇଯାଆନ୍ତି। ସମସ୍ୟା ସୃଷ୍ଟିହୁଏ ବର୍ଷାଦିନେ। ଯଦି କେହି ଅଭିଭାବକ ସାଥୀରେ ଆସନ୍ତି ତ ଭଲକଥା, ନଚେତ୍ ପାନମଣିଙ୍କୁ କୋଳରେ ଥରକେ ଦୁଇଜଣ କରି ଶିଶୁଙ୍କୁ ନାଳ ପାର କରାଇବାକୁ ପଡ଼େ। ଫେରିବାବେଳେ ବି ସେହି ସମାନ ବ୍ୟବସ୍ଥା। ଅବଶ୍ୟ ଆଜିଯାଏ ସେମିତି କିଛି ଦୁର୍ଘଟଣା ଘଟିନାହିଁ, କିନ୍ତୁ ଜଣେ ମହିଳା ବିପଜ୍ଜନକ ଭାବେ ଲପରି ଶିଶୁଙ୍କୁ ନାଳ ପାର କରାଉଥିବା ବେଳେ କୌଣସି ଅଘଟଣ ଘଟିଲେ କିଏ ଦାୟୀ ହେବ! ସାଧାରଣରେ ଏହିଭଳି ପ୍ରଶ୍ନ ଉଙ୍କି ମାରୁଛି।

ସମ୍ବନ୍ଧିତ ଖବର