ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନା ହୃଦ୍‌ରୋଗ ବିଭାଗରେ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଚିକିତ୍ସାସେବା ଆରମ୍ଭ ହୋଇଛି। ହୃତ୍‌ପିଣ୍ଡ ଧମନୀରେ ରହିଥିବା ବ୍ଲକେଜ୍‌ର ପ୍ରକୃତ ସ୍ଥିତି (ଲମ୍ବ ଓ ଓସାର) ନିର୍ଦ୍ଧାରଣ କରିବା ପାଇଁ ଓସିଟି(ଅପ୍ଟିକାଲ୍‌ କୋହେରେନ୍ସ ଟମୋଗ୍ରାଫି) ପଦ୍ଧତିରେ ଏନ୍‌ଜିଓପ୍ଲାଷ୍ଟି ଆରମ୍ଭ ହୋଇଛି। ଯାହାକି, ରାଜ୍ୟର ସରକାରୀ ଡାକ୍ତରଖାନାରେ ପ୍ରଥମ ବୋଲି ଏମ୍‌କେସିଜି ହୃଦରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଛବି ଶତପଥୀ ସୂଚନା ଦେଇଛନ୍ତି।

Advertisment

ଏହି ପଦ୍ଧତି ଇଣ୍ଟ୍ରାଭାସକ୍ୟୁଲାର୍‌ ଅଲଟ୍ରାସାଉଣ୍ଡ୍‌ (ଆଇଭିୟୁଏସ୍‌) ସମୟରେ ଲାଇଟ୍‌ ୱେବ୍‌ ଜରିଆରେ ବ୍ଲକେଜ୍‌କୁ ଠିକ୍‌ ଭାବେ ନିରୂପଣ କରାଯାଇ ପାରିବ। ଏହାସହିତ ଧମନୀର ଚାରିପଟେ କେତେ ପରିମାଣ ଚର୍ବି ଜମାଟ ବାନ୍ଧିଛି, ତା’ର ମଧ୍ୟ ଆକଳନ କରାଯାଇ ପାରିବ। ଫଳରେ, ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ସମ୍ଭବ ହୋଇପାରିବ ବୋଲି ପ୍ରଫେସର ଶତପଥୀ ସୂଚନା ଦେଇଛନ୍ତି। ଏହି ପଦ୍ଧତିରେ ଏନ୍‌ଜିଓପ୍ଲାଷ୍ଟି ପାଇଁ ଘରୋଇ ହସ୍ପିଟାଲ୍‌ରେ ରୋଗୀଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। କିନ୍ତୁ,ଏମ୍‌କେସିଜି ହୃଦରୋଗ ବିଭାଗରେ ସମ୍ପୂର୍ଣ୍ଣ ମାଗଣାରେ ଏହି ସେବା ଉପଲବ୍ଧ କରାଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର ଶତପଥୀ, ପ୍ରଫେସର ଡା.ତ୍ରିନାଥ ମିଶ୍ର, ଡା.ସୁବାସ ସିଂଙ୍କ ନେତୃତ୍ବରେ ଏହି ପଦ୍ଧତିରେ ଏନ୍‌ଜିଓପ୍ଲାଷ୍ଟି ଚିକିତ୍ସା ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଗତ ଫେବ୍ରୁଆରି ମାସରେ ଇଣ୍ଟ୍ରାଭାସକ୍ୟୁଲାର୍‌ ଅଲଟ୍ରାସାଉଣ୍ଡ୍‌ (ଆଇଭିୟୁଏସ୍‌) ପଦ୍ଧତିରେ ‌ହୃଦ୍‌ରୋଗୀଙ୍କ ଏନ୍‌ଜିଓପ୍ଲାଷ୍ଟି ଆରମ୍ଭ ହୋଇଥିଲା। ଏବେ ଓସିଟି ପଦ୍ଧତିରେ ଏନ୍‌ଜିଓପ୍ଲାଷ୍ଟି ଆରମ୍ଭ କରାଯାଇଛି। ଏହି ପଦ୍ଧତି ଦ୍ବାରା କ୍ୟାଥେଡର୍‌ରେ ‌କ୍ୟାମେରା ଓ ଏକ ଲାଇଟ୍‌ ଏକାସାଙ୍ଗରେ ଧମନୀରେ ପ୍ରବେଶ କରିବ। ଲାଇଟ୍‌ ୱେବ୍‌ ଦ୍ବାରା ଧମନୀର ବ୍ଲକେଜ୍‌ ସ୍ଥାନକୁ ନିର୍ଭୁଲ୍‌ ଭାବେ ନିରୂପଣ କରାଯାଇ ପାରିବ। ଯାହାଫଳରେ, ଧମନୀରେ କେଉଁ ଆକାରରେ ଷ୍ଟେଣ୍ଡ୍‌ ଦିଆଯିବ ଓ ତାହା ଧମନୀରେ କେତେ ପରିମାଣ ଖୋଲିଛି, ତାର ଠିକ୍‌ ସୂଚନା ଜଣାପଡ଼ିବ। ସେହିପରି, ପରବର୍ତ୍ତୀ ସମୟରେ ଧମନୀରେ ଷ୍ଟେଣ୍ଡ୍‌ ଠିକ୍‌ ଆକାରରେ ଖୋଲିଛି କି ନାହିଁ ମଧ୍ୟ ପରୀକ୍ଷା କରାଯାଇପାରିବ ବୋଲି ପ୍ରଫେସର ଶତପଥୀ କହିଛନ୍ତି।