ନୀଳଗିରି ଜେଲରେ ଚିକିତ୍ସାଧିନ କଏଦୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ଉତ୍ତ୍ୟକ୍ତ ଲୋକଙ୍କ ଫାଣ୍ତି ଘେରାଉ

ପଥରମାଡ଼ରେ କନେଷ୍ଟବଳଙ୍କ ମୁଣ୍ତଫାଟିଲା

ବାଲେଶ୍ବର/ନୀଳଗିରି: ଏକ ଚୋରୀ ଘଟଣାରେ ନୀଳଗିରି ଜେଲରେ ଥିବା ଜଣେ କଏଦୀର ମୃତ୍ୟୁକୁ ନେଇ ନୀଳଗିରି ଥାନା ଅଧିନ ଅଯୋଧ୍ୟା ଫାଣ୍ତିକୁ ଆଜି ସଂନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ପରିବାର ସହିତ ଅଂଚଳବାସୀ ଘେରାଉ କରିବା ଫଳରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ନୀଳଗିରି ଥାନା ତଥା ଅଯୋଧ୍ୟା ଫାଣ୍ତି ଅଧିନ ବାଲିପାଳ ଶାସନର ଡା. ସତ୍ୟାରଂଜନ ପଣ୍ତାଙ୍କ ଘରେ କିଛିିଦିନ ପୂର୍ବରୁ ୨ଟି ପାଣି ମୋଟର, ୩ଟି ପ୍ରେସରକୁକର,ପାଣି ପାଇପ, ଫ୍ୟାନ,ଷ୍ଟାବିଲାଇଜର , ବାସନକୁସନ ପ୍ରବୃତି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା।

ଏହି ଚୋରି ଘଟଣାରେ ନୀଳଗିରି ଆଇଆଇସି ମିନତୀ ବିଶ୍ବାଳଙ୍କ ନିେର୍ଦ୍ଦଶରେ ଅଯୋଧ୍ୟା ଫାଣ୍ତି ଏଏସଆଇ ମନୋରଂଜନ ପୁହାଣ ଉକ୍ତ ଚୋରି ଘଟଣାରେ କିଛି ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ଚୋରି ସାମଗ୍ରୀ ଜବତ କରିଥିଲେ। ଗତ ୨୦ ତାରିଖରେ ସେମାନଙ୍କ କୋର୍ଟ ଚାଲଣ କରାଯିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ନୀଳଗିରି ଜେଲକୁ ପଠାଇଦିଆଯାଇଥିଲା। ଉକ୍ତ ଦିନ ରାତ୍ରୀ ପ୍ରାୟ ୯ଟା ସମୟରେ ଅଭିଯୁକ୍ତ ମାଙ୍ଗା ଓରଫ ରାଜୁ ସିଂ ନିଶା ପାଇଁ ଜେଲ ଭିତରେ ହାଙ୍ଗାମା କରିଥିଲେ। ପରେ ନୀଳଗିରି ଜେଲର ମନସ୍ବୀନି ନାୟକ ଅଭିଯୁକ୍ତ ରାଜୁକୁ ପ୍ରଥମେ ନୀଳଗିରି ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ରାଜୁ ସିଂଙ୍କ ମୃତ୍ୟୁ ହୋଇଥିଲା।

ସବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇନଥିବାରୁ ଏବଂ ତାଙ୍କୁ ପୋଲିସ ପିଟିପିଟି ମାରିଦେଇଥିବା ଅଭିଯୋଗ କରି ମୃତ କଏଦୀ ରାଜୁସିଂଙ୍କ ସ୍ତ୍ରୀ ବାସନ୍ତି ବାଲେଶ୍ବର ଏସପିଙ୍କ ଠାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ତାଙ୍କୁ କ୍ଷତିପୁରଣ ଦେବା ସହିତ ତାଙ୍କୁ ସ୍ବାମୀଙ୍କୁ ମାରିଥିବା ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛି। ଖବର ପାଇ ମୃତ ରାଜୁଙ୍କ ପରିବାର ସହିତ ଉକ୍ତ ଅଂଚଳର ଶହ ଶହ ଲୋକ ସଂନ୍ଧ୍ୟାରେ ଅଯୋଧ୍ୟା ଫାଣ୍ତି ଘେରାଉ କରିବା ସହିତ ପୋଲିସ ଉପରକୁ ଟେକା ପଥର ପିଙ୍ଗିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଏହି ଘଟଣାରେ ଓଏସଏପି ଦ୍ବିତୀୟ ବାଯାଲିୟନ କନେଷ୍ଟବଳ ଏସ/୫୩୪ ତ୍ରିଲୋଚନ ଜେନା ଙ୍କର ମୁଣ୍ତ ଫାଟିଥିବା ସୂଚନା ମିଳିଛି। ଖବର ପାଇ ନୀଳଗିରି ଏସଡିପିଓ ଅମୂଲ୍ୟ ଧର ଓ ଆଇଆଇସି ମିନତୀ ବିଶ୍ବାଳ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଉତ୍ୟକ୍ତ ଲୋକେ କ୍ଷତି ପୁରଣ ଦାବୀ କରି ଫାଣ୍ତିକୁ ଘେରାଉ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା, ତହସିଲଦାର ତଥା ମାଜିଷ୍ଟ୍ରେଟ ଅଶେଷ ନାୟକ, ଏସଡିପିଓ ଅମୂଲ୍ୟ ଧୀର ଉତ୍ୟକ୍ତ ଲୋକଙ୍କ ସହ ବସି ଘଟଣାର ଆଲୋଚନା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର