ଅନୁଗୁଳ:  ଅନୁଗୁଳ ବ୍ଲକ୍‌ ନନ୍ଦପୁର ପଞ୍ଚାୟତର ପବଲା ଗାଁକୁ ଯିବାକୁ ହେଲେ ପାହାଡ଼ କାଟି ଝରଣା ଡେଇଁ ଯିବାକୁ ପଡ଼ିବ। ଏହି ରାସ୍ତାରେ  ଦୁଇ ଚକିଆ ଗାଡ଼ି ଯିବା ବି କଷ୍ଟକର। ଆଉ ବର୍ଷା ଦିନ କଥା ନ କହିବା ଭଲ। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ସଦର ମହକୁମାରୁ ମାତ୍ର ୨୦ କିମି ଦୂରରେ ଥିବା ଏହି ଗାଁକୁ ଏ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରିଲା ନାହିଁ। ଏହା କେବଳ ଏହି ଗୋଟିଏ ଗାଁର ଚିତ୍ର ନୁହେଁ। ପାଖରେ ଥିବା ବାଘୁଆପାଟ ଗାଁରେ ବି ସମାନ ଅବସ୍ଥା। ଅନୁଗୁଳ ଜିଲ୍ଲାର ଏମିତି ୨୩୭ଟି ଗାଁକୁ ଏପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନିର୍ମ‌ାଣ ହୋଇପାରିନି।

Advertisment

ଅନୁଗୁଳ ବ୍ଲକ୍‌ ଶରଧାପୁର ପଞ୍ଚାୟତ ବେତର ଗାଁ କେବେ ସବୁଦିନିଆ ରାସ୍ତା ଦେଖିବ, ତା’ କହିବା ମୁସ୍କିଲ। ଜଙ୍ଗଲ ଜମି ନେଇ ସମସ୍ୟା ଥିବାରୁ ଏହି ଗାଁକୁ ସବୁଦିନିଆ ସଡ଼କ ଖଣ୍ଡେ ନିର୍ମାଣ କରାଯାଇପାରୁନି। ଗାଁରୁ ବାହାରିଲେ ପାହାଡ଼ିଆ ରାସ୍ତା ଡେଇଁବାକୁ ପଡ଼ୁଛି। ସେହିପରି ମାଣିକ‌ଯୋଡ଼ି ପଞ୍ଚାୟତର କନ୍ଧକୋଇଲି, ଛିଟିକୋଇଲି, ବୃନ୍ଦାବନପୁର ଗାଁକୁ ଏ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନିର୍ମାଣ କରିପାରି ନାହାନ୍ତି ସରକାର।

ଗ୍ରାମ୍ୟ ଉନ୍ନୟନ ବିଭାଗର ତଥ୍ୟ ଅନୁସାରେ, ଅନୁଗୁଳ ଜିଲ୍ଲାରେ ସମୁଦାୟ ୧୬୯୭ଟି ଗାଁ ରହିଥିଲା ବେଳେ ଏଥିରୁ ୧୪୬୦ଟି ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇଛି। ବାକି ଗାଁକୁ ନେଇ ରହିଛି ସମସ୍ୟା। ଏଠାରେ ପାହାଡ଼ ପର୍ବତ ଘେରା ଅନେକ ଗାଁ ଥିବାରୁ ରାସ୍ତା ନିର୍ମାଣ ହୋଇ ପାରୁନି। ପାଳଲହଡ଼ା ବ୍ଲକ୍‌ ନଗିରା ଓ ବରଡ଼ିହ ପଞ୍ଚାୟତରେ ଅଧା ଡଜନ ଗାଁ ଏବେ ବି ଅପହଞ୍ଚ ହୋଇ ରହିଛି। ଆଠମଲ୍ଲିକ ଓ କିଶୋରନଗର ବ୍ଲକ୍‌ରେ ବି ସମାନ ସମସ୍ୟା। କେଉଁଠି ପାହ‌ାଡ଼ ତ କେଉଁଠି ଝରଣା ରାସ୍ତା ନିର୍ମାଣରେ ବାଧକ ସାଜିଛି। ଏପଟେ ଜଙ୍ଗଲ ଜମି ନେଇ ରହିଥିବା ସମସ୍ୟା ପାଇଁ କିଛି ଗାଁରେ ପକ୍କା ସଡ଼କ ନିର୍ମାଣ ହୋଇପାରୁନି। ସରକାରୀ ନିୟମ ଭିତରେ ବନ୍ଧା ପଡ଼ିଛି ଲୋକଙ୍କ ଜୀବନ। ଏଥିପାଇଁ ଅନୁଗୁଳ ବ୍ଲକ୍‌ର ବଡ଼କନ୍ତକୁଳ ପଞ୍ଚାୟତ କରାବିରାଖୋଲ ଗ୍ରାମବାସୀ ଏବେ ବି ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି। ଏହି ଗାଁରୁ ପଞ୍ଚାୟତ ମହକୁମା କାର୍ଯ୍ୟାଳୟକୁ ଯିବା ପାଇଁ ପାଖାପାଖି ୨୫ କିଲୋମିଟର ଅତିକ୍ରମ କରିବାକୁ ପଡ଼ୁଛି। ସବୁଦିନିଆ ରାସ୍ତା ନ ଥିବାରୁ ଗାଁର 
ଲୋକମାନେ ନିତି ଏମିତି ସଂଘର୍ଷ କରୁଛନ୍ତି।