ଅନୁଗୁଳ: ଟିକିଏ କଥାରେ ଗର୍ଜୁଛି ବନ୍ଧୁକ। ସାମାନ୍ୟ ଗଣ୍ଡଗୋଳରେ ଭୁଜାଲି ବୁଲୁଛି। ସ୍ଥିତି ଏମିତି ଯେ ଅପରାଧୀଙ୍କ ଆଉ ଭୟ ବୋଲି କିଛି ନାହିଁ। ଖୋଲାଖୋଲି ଆଇନ୍କୁ ହାତକୁ ନେବା ପାଇଁ ବଳ ପାଇଗଲେଣି। ଗତ ୯ ମାସର ଆପରାଧିକ ଗ୍ରାଫ୍ ଏହା ବୟାନ କରୁଛି। ଏହି ସମୟରେ ଅନୁଗୁଳ ଜିଲ୍ଲାରେ ୩୩ଟି ହତ୍ୟାକାଣ୍ଡ ଘଟିଛି। ଅର୍ଥାତ୍ ପ୍ରତି ମାସରେ ହାରାହାରି ୪ ଜଣ ହତ୍ୟାର ଶିକାର ହେଉଥିଲା ବେଳେ ୫୩ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି।
ଗଣେଶ ପୂଜା ଭସାଣି ବେଳେ ସହର ଉପକଣ୍ଠ ଛେଳିଆପଡ଼ା ଓଭରବ୍ରିଜ୍ ନିକଟରେ ଜଣେ ଯୁବକଙ୍କୁ କିଛି ଅପରାଧୀ ଗୋଡ଼େଇ ଗୋଡ଼େଇ ହାଣିବା ସହ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ପରେ ଅନୁଗୁଳ ସହରର ଛାତି ଉପରେ ଜଣେ ଯୁବକଙ୍କୁ କିଛି ଅସାମାଜିକ ଲୋକ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ହଣ୍ଡପା ଥାନା ଅଞ୍ଚଳରେ ଜଣେ ଲୋକଙ୍କର ମୃତ୍ୟୁ ହେବା ଦିନ ତାଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିଲା। ଏପଟେ ବନ୍ତଳାରେ ଜଣେ ବ୍ୟକ୍ତିଙ୍କୁ ଜନଗହଳି ରାସ୍ତାରେ ଗୁଳିମାଡ଼ ହେଲା।
ଏହି ସବୁ ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିଲା ବେଳେ ଅପରାଧୀ ଲଗାମଛଡ଼ା ହୋଇଯାଇଥିବା ପ୍ରମାଣ ଦେଉଛି। ସରକାରୀ ତଥ୍ୟ ଅନୁସାରେ, ଗତ ଜୁନ୍ ପହିଲାରୁ ଫେବ୍ରୁଆରି ୨୮ ଭିତରେ ଅନୁଗୁଳ ଜିଲ୍ଲାରେ ୩୩ଟି ହତ୍ୟାକାଣ୍ଡ ଘଟିଛି। ଏପଟେ ଏହି ୯ ମାସ ଭିତରେ ଅନୁଗୁଳ ଜିଲ୍ଲାରେ ୫୩ ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନାରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ବେଳେ ୨ଟି ଗଣ ଦୁଷ୍କର୍ମ ମାମଲା ଜିଲ୍ଲାକୁ ବଦନାମ କରିଛି। ଉଦ୍ବେଗର ବିଷୟ, ଏହି ୯ ମାସରେ ୧୮ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ହିସାବ ଅନୁସାରେ, ଅନୁଗୁଳ ଜିଲ୍ଲାରେ ପ୍ରତି ମାସରେ ହାରାହାରି ୬ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି।
ଏହାସହ ନାରୀ ନିର୍ଯାତନା ବି ବୃଦ୍ଧି ପାଇଛି। ଗତ ୯ ମାସରେ ୯ ଜଣ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଛି। ଯୌତୁକ ନିର୍ଯାତନା ଅସହ୍ୟ ହେବାରୁ ୩ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି। ୧୧୩ ଜଣ ମହିଳାଙ୍କୁ ଯୌତୁକ ନିର୍ଯାତନା ଦିଆଯାଇଛି। ଅନ୍ୟ କାରଣ ପାଇଁ ୨୪୬ ମହିଳା ନିର୍ଯାତନାର ଶିକାର ହୋଇଥିବା ଜଣାପଡ଼ିଛି। ଏହା ସଭ୍ୟ ସମାଜକୁ ଚିନ୍ତାରେ ପକାଇ ଦେଇଥିଲା ବେଳେ ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।