ଅନୁଗୁଳ ଆଲୁମିନିୟମ୍‌ ପାର୍କ ଭିତ୍ତିଭୂମି ଉନ୍ନତି କାର୍ଯ୍ୟ ଆରମ୍ଭ ହେବ

ଏହି ପ୍ରକଳ୍ପ ଓଡ଼ିଶା ଅର୍ଥନୀତିକୁ ବଳ ଦେବ : ଧର୍ମେନ୍ଦ୍ର

ଭୁବନେଶ୍ବର: ଅନୁଗୁଳ ଆଲୁମିନିୟମ୍‌ ପାର୍କ ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ପୁନର୍ବାର ଆରମ୍ଭ କରାଯିବ। କେନ୍ଦ୍ର ସରକାର ଏ ନେଇ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ନାଲ୍‌କୋ ଓ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ଉଦ୍ୟୋଗର ମିଳିତ ଉଦ୍ୟମରେ ୨୦୨୦ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ପାଇଁ ୯୯.୬୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ଓ ଏଥି ପାଇଁ ୩୩.୪୪ କୋଟି ଟଙ୍କା କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ଆଲୁମିନିୟମ୍ ଶିଳ୍ପରେ ଅଭିବୃଦ୍ଧି ଘଟିବ ବୋଲି କୁହାଯାଉଛି। ଗତ ମାସ ୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଆଲୁମିନିୟମ୍ ପାର୍କ ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପକୁ ପୁନର୍ବାର ଆରମ୍ଭ କରିବା ନିମନ୍ତେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲ୍‌ଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ। ଚିଠିରେ‌ ସେ ଦର୍ଶାଇଥିଲେ, ସଂଶୋଧିତ ଭିତ୍ତିଭୂମି ଉନ୍ନୟନ ଯୋଜନା(ଏମ୍‌ଆଇଆଇୟୁଏସ୍‌) ଅଧୀନରେ ୧୮.୮.୨୦୧୫ରେ ଏହି ପ୍ରକଳ୍ପ ପାଇଁ ମୋଟ ୯୯.୬୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଆକଳନ କରାଯାଇଥିଲା। ଏଥି ପାଇଁ ୩୩.୪୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା। ପ୍ରକଳ୍ପ ନିମନ୍ତେ କାର୍ଯ୍ୟକାରୀ ଏଜେନ୍ସି ‘ଅନୁଗୁଳ ପାର୍କ ପ୍ରାଇଭେଟ୍‌ ଲିମିଟେଡ୍‌’(ଏଏପିପିଏଲ୍‌) କରାଗଲା। ପ୍ରକଳ୍ପ ବିଶେଷ ଭାବେ ଅଗ୍ରଗତି ହୋଇ ନ ଥିବା କାରଣରୁ ୧.୧.୨୦୧୮ରେ ଅନୁଷ୍ଠିତ ସ‌େର୍ବାଚ୍ଚ କମିଟି ବୈଠକରେ ପ୍ରକଳ୍ପକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଗଲା। କାର୍ଯ୍ୟକାରୀ ସଂସ୍ଥା ଏଏପିପିପଏଲ୍‌କୁ ଏ ବାବଦରେ ମିଳିଥିବା କେନ୍ଦ୍ରୀୟ ସହାୟତା ଫେରାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଗଲା। ତେଣୁ ଏହି ମାମଲାରେ ବ୍ୟକ୍ତିଗତ ହ‌ସ୍ତକ୍ଷେପ କରି ମନ୍ତ୍ରଣାଳୟ ଅଧିକାରୀଙ୍କୁ ପ୍ରକଳ୍ପର ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରାଇବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ଗୋଏଲ୍‌ଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ। ଏହା ସହ ଓଡ଼ିଶାରେ ଆଲୁମିନିୟମ୍‌ କ୍ଲଷ୍ଟର୍‌ ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତାକୁ ନ ଫେରାଇବାକୁ ‌ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଥିଲେ।

ଅନୁରୋଧ ରକ୍ଷା କରି ଆଲୁମିନିୟମ୍‌ ପାର୍କ ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ ପୁନର୍ବାର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋଏଲ୍‌ଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଏହି ନିଷ୍ପତ୍ତି ନରେନ୍ଦ୍ର ମୋଦୀଙ୍କର ଓଡ଼ିଶାର ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ପ୍ରମ‌ାଣିତ କରୁଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ଅର୍ଥନୀତିକୁ ଏହା ବଳ ଦେବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପ୍ରକଳ୍ପରେ ଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ ତଥ‌ା ଏହାକୁ ତ୍ବରିତ ଭା‌ବରେ ପୂର୍ଣ୍ଣ କରିବା‌ ପାଇଁ ଧ୍ୟା‌ନ ଦିଆଯାଉଛି। କେନ୍ଦ୍ର ସରକାର ଓଡ଼ିଶା ପରି ରାଜ୍ୟର ଖଣିଜ କ୍ଷେତ୍ରର ବିକାଶ ମାଧ୍ୟମରେ ଅର୍ଥନୈତିକ ବିକାଶ ତ୍ବରାନ୍ବିତ କରିବା ପାଇଁ ଗୁରୁତ୍ବ ଦେଇ ଆସୁଛନ୍ତି।

ସମ୍ବନ୍ଧିତ ଖବର