ଅନୁଗୁଳ: ବର୍ଷକ ତଳେ ଠିକ୍‌ ଏହି ସମୟରେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିଲା ବେଳେ ବିଜେଡି ନେତାମାନେ ଭୁବନେଶ୍ବରରେ ଡେରା ପକାଇଥିଲେ। ନିଜ ଟିକଟ ସୁରକ୍ଷିତ କରିବା ପାଇଁ ଲବି ଚଳାଇଥିଲେ। ଲୋକଙ୍କ ପାଖକୁ ଯିବା ବଦଳରେ ବରିଷ୍ଠ ନେତାଙ୍କ ଘରକୁ ଦୌଡ଼ୁଥିଲେ। ଦଳ ଭିତରେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ଧାରଣ କରିଥିଲା। ଆଉ ଏହାର ନକରାତ୍ମକ ଫଳ ଗତ ସାଧାରଣ ନିର୍ବାଚନରେ ପଡ଼ିଲା। ବହୁବର୍ଷ ଧରି ଅପରାଜେୟ ଥିବା ବିଜେଡି ହାତରୁ ୩ଟି ବିଧାନସଭା ଆସନ ଚାଲିଗଲା। ୫ଟି ବିଧାନସଭା ଆସନରୁ ମାତ୍ର ଦୁଇଟି ଆସନକୁ ବିଜେଡି ନିଜ ପାଖରେ ରଖିବାରେ ସଫଳ ହେଲା। ଏପଟେ ଢେଙ୍କାନାଳ ଲୋକସଭା ଆସନକୁ ବିଜେଡି ହାତରୁ ଛଡ଼ାଇ ନେଲା ବିଜେପି। 

Advertisment

ସାଧାରଣ ନିର୍ବାଚନରେ ଶକ୍ତ ଧକ୍କା ଖାଇବା ପରେ ଆଶା କରାଯାଉଥିଲା, ବିଜେଡି ଏଥିରୁ ନିଶ୍ଚିତ କିଛି ଶିକ୍ଷାଲାଭ କରି ସଂଗଠନକୁ ମଜଭୁତ କରିବ। ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭରସା ସାଉଁଟିବ। ତୃଣମୂଳସ୍ତରରୁ ସଂଗଠନ ସଜାଡ଼ି ପୁଣି ଅଣ୍ଟା ସଳଖି ଛିଡ଼ା ହେବ। କିନ୍ତୁ ନିର୍ବାଚନ ପରେ ତ୍ରୁଟି ସୁଧାରିବା ପରିବର୍ତ୍ତେ ଦଳର ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ନେତାମାନେ ଲୋକଙ୍କ ପାଖକୁ ନ ଯାଇ ଅଧିକ ଦୂରେଇବାରେ ଲାଗିଛନ୍ତି। ଦଳର ସଂଗଠନ ଶିଥିଳ ପଡ଼ି ଯାଇଥିଲା ବେଳେ ବିଜେଡି କୌଣସି ବଡ଼ଧରଣର କାର୍ଯ୍ୟକ୍ରମ କରି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ହିଁ କରୁନି। ସ୍ଥିତି ଏମିତି ଯେ ଅନୁଗୁଳ ଜିଲ୍ଲାରେ ବିଜେଡିର ସଂଗଠନ ଅଛି କି ନାହିଁ, ସେଥି ନେଇ ଖୋଦ୍‌ ଦଳର କର୍ମୀ ମଧ୍ୟ ସନ୍ଦେହରେ ପଡ଼ିଲେଣି। 

ପରାଜୟରୁ କିଛି ଶିଖିଲାନି ଅନୁଗୁଳ ବିଜେଡି
ଲୋକଙ୍କ ପାଖରୁ ଦୂରେଇ ଯାଉଛି ସଙ୍ଗଠନ

ଅନୁଗୁଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ବିଜେଡିର ବିଧାୟକ ଅଛନ୍ତି। ଏହି ଦୁଇ ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ‌ରେ ଯୋଗ ଦେବା ସହ ସାମାଜିକ ଉତ୍ସବରେ ବି ସେମାନଙ୍କୁ ଦେଖିବାକୁ ମିଳୁଛି। ହେଲେ ଅନ୍ୟ ୩ଟି ନିର୍ବାଚନମଣ୍ଡଳୀରେ ସାଂଘାତିକ ସମସ୍ୟା। ପରାଜୟ ପରେ ନେତା‌ମାନେ ଗାଁକୁ ଯିବା ପାଇଁ ଏକପ୍ରକାର ଭୁଲି ଯାଇଛନ୍ତି। ଅନୁଗୁଳରେ ପରାଜିତ ବିଜେଡି ପ୍ରାର୍ଥୀଙ୍କ ସ୍ବାମୀ ଓ ପୁଅ ଏବେ ସଂଗଠନ ସମ୍ଭାଳୁଛନ୍ତି। ପାଳଲହଡ଼ାରେ ପରାଜିତ ପ୍ରାର୍ଥୀ ମୁକେଶ ପାଳଙ୍କ ହାତରେ ସଂଗଠନ ରହିଛି। ଏହି ଦୁଇ ଆସନରେ କାଁଭାଁ ବିଜେଡିର ଉପସ୍ଥିତି ଅନୁଭବ ହେଉଛି। ସେମାନେ କିଛି ଘରୋଇ ସାମାଜିକ କାର୍ଯ୍ୟକ୍ରମକୁ ଯାଉଥିଲେ ମଧ୍ୟ ଆଗରୁ ଯେମିତି କାର୍ଯ୍ୟକ୍ରମ ଚାଲୁଥିଲା ତାହା ଅଟକି ଯାଇଛି। ଉପରୁ ଯାହା ନିର୍ଦ୍ଦେଶ ଆସିବ, ସେଇ ଅନୁସା‌ରେ କାମ ହେବ ନ୍ୟାୟରେ ଏହି ଦୁଇ ନିର୍ବାଚନମଣ୍ଡଳୀରେ ନେତାମାନେ ନିରବ ରହିଛନ୍ତି। ଏହା ଶାସକ ଦଳକୁ ବେଶ୍‌ ସୁହାଉଛି। ତେବେ ସବୁଠାରୁ ଖରାପ ସ୍ଥିତି ହେଉଛି ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ। ଏଠାରେ ପରାଜିତ ହେବା ପରେ ବିଜେଡି ନେତା ସୁଶାନ୍ତ ବେହେରା ଏକପ୍ରକାର ଅଜ୍ଞାତବାସରେ ରହିଛନ୍ତି। ଏପରିକି ଏଠାରେ ଦଳ କାହା ନେତୃତ୍ବରେ ଚାଲିବ, କର୍ମୀ ଜାଣି ପାରୁନାହାନ୍ତି। ଦଳର ତୁଙ୍ଗ ନେତା ପ୍ରଣବ ପ୍ରକାଶ ଦାଶଙ୍କୁ ଏହି ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ତଥାପି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନି। 

ନିର୍ବାଚନରେ ପରାଜୟ ପରେ ଜିଲ୍ଲାରେ ଗୋଟିଏ ହେଲେ ବି ବଡ଼ଧରଣର କାର୍ଯ୍ୟକ୍ରମ କରିନି ବିଜେଡି। ସାଂଗଠନିକ କାର୍ଯ୍ୟକଳାପ ପୂରା ବନ୍ଦ। ଏଥିପାଇଁ ବିଜେଡି କର୍ମୀମାନେ ଧୀରେ ଧୀରେ ଦଳରୁ କରଛଡ଼ା ଦେଲେଣି। ଅନ୍ୟ ଦଳ ଆଡ଼େ ମୁହାଁଇଛନ୍ତି। ତଥାପି ଦଳରେ ଗୋଷ୍ଠୀ କନ୍ଦଳ କମୁନି। ନେତାମାନେ ଏକାଠି ହେବା ପରିବର୍ତ୍ତେ ବିଭିନ୍ନ ଗୋଷ୍ଠୀରେ ଭାଗ ହୋଇ ଯାଇଛନ୍ତି। ଏଭଳି ସ୍ଥିତିରେ ବିଜେଡି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ ନ କଲେ, ବର୍ଷେ ଦୁଇ ବର୍ଷ ଭିତରେ ସଂଗଠନ ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି।