ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଅନୁଷ୍ଠିତ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଆଜି ଗୋଟିଏ ବଡ଼ ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ଜେନା ଆଜି କହିଛନ୍ତି ଯେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଦାୟିତ୍ବ ସାନୁ ସିଂହ ବୁଝିବେ। କେବଳ ସେତିକି ନୁହେଁ, ପାଦେ ଆଗକୁ ଯାଇ ଶ୍ରୀ ଜେନା ଆହୁରି କହିଛନ୍ତି ଯେ ଏଥିରେ ଦଳୀୟ ନେତୃତ୍ବର ସମର୍ଥନ ରହିଛି। ପ୍ରତାପଙ୍କ ଏଭଳି ମନ୍ତବ୍ୟ ପରେ ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲଗାତାର ୪ ଥର ହେଲା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ରଜନୀକାନ୍ତ ସିଂହ। ଏହା ପୂର୍ବରୁ ତାଙ୍କ ବାପା ଏଠା‌ରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଓଡ଼ିଶା ବିଧାନସଭାର ଉପବାଚସ୍ପତି ହୋଇଥିବାରୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି। ତାଙ୍କ ଅନୁପସ୍ଥିତିରେ ପୁଅ ଅରୁଣାଭ ସିଂହ(ସାନୁ) ଦଳର ସଂଗଠନ ସମ୍ଭାଳୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସେ ସଂଗଠନ ଓ ପ୍ରଚାର ଦାୟିତ୍ବରେ ଥିଲେ। ନିର୍ବାଚନ ପରିଚାଳନାଠାରୁ ଆରମ୍ଭ କରି ଦଳର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସେ ବିଧାୟକଙ୍କ ପ୍ରତିନିଧି ଭାବେ କାମ କରୁଛନ୍ତି। ତେଣୁ ଆସନ୍ତା ନିର୍ବାଚନରେ ସେ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ହେଉଥିବା ନେଇ ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାକୁ ବଳ ଦେଇଛି ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ପ୍ରତାପ ଜେନା।

ଶୁକ୍ରବାର ଦିନ ଅନୁଗୁଳ ସଭାଘର ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜେନା ଦଳୀୟ କର୍ମୀ ଓ ନେତାଙ୍କୁ କହିଛନ୍ତି, ‘ଅନୁଗୁଳବାସୀ ମଣ୍ଟୁ ବାବୁଙ୍କୁ ବିପୁଳ ସମର୍ଥନ ଦେଇଛନ୍ତି। ଏହା ପୂର୍ବରୁ ଅଦ୍ବୈତ ପ୍ରସାଦ ସିଂହଙ୍କୁ ସମର୍ଥନ ଦେଇ ଆସୁଥିଲେ। ଏବେ ମଣ୍ଟୁ ବାବୁ ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରୁନାହାନ୍ତି। ତାଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ସାନୁ ସଂଗଠନ କଥା ବୁଝୁଛି। ବହୁତ ଭଲ କାମ କରୁଛି। ଆପଣମାନେ ସାନୁକୁ ଏମିତି ଆଶୀର୍ବାଦ କରୁଥାନ୍ତୁ। ଆପଣମାନଙ୍କ ସହଯୋଗ ପାଇଲେ ସେ ଆଗକୁ ଆହୁରି ଭଲ ଭାବେ ଆପଣମାନଙ୍କର ସେବା କରିପାରିବ। ମୋର ତଥା ସଭାରେ ବସିଥିବା ସବୁ ନେତାଙ୍କ ସମର୍ଥନ ସାନୁ ସହିତ ରହିଛି।