ବାଘକୁ ବିଦାକର: ଜିଲ୍ଲାପାଳ

ଅନୁଗୁଳ/ବନ୍ତଳା/ପାଇକସାହି : ବାଘୁଣୀ ‘ସୁନ୍ଦରୀ’ ପାଇଁ ବିଷମ ହୋଇଛି ପରିସ୍ଥିତି। ରବିବାର ଦିନ ଟାଇଁସିର ଚାଷୀ ତ୍ରିନାଥ ସାହୁଙ୍କୁ ଘୋଷାଡ଼ି ନେବାର ୨୪ଘଣ୍ଟା ପୂରଣ ନ ହେଉଣୁ ଆଜି କୋଠଭୂଇଁ ପଞ୍ଚାୟତ କୁମୁରୀ ଗାଁର ବ୍ରଜବନ୍ଧୁ ନାୟକଙ୍କ ଭାଗ ବଳଦକୁ ଝୁଣି ମାରିଛି ବାଘୁଣୀ। ଏଭଳି ଘଟଣା ପରେ ‘ସୁନ୍ଦରୀ’ ଭୟ ସାତକୋଶିଆର ଘରେ ଘରେ କେବଳ ଆତଙ୍କ ସୃଷ୍ଟି କରି ନାହିଁ, ବର˚ ବନବାସୀଙ୍କ ମନରେ ଭୟ ଯେତିକି କ୍ରୋଧ ସେତିକି ଫୁଟି ବାହାରିଛି। ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଏବଂ ସୁନ୍ଦରୀ ହଟାଅ ଅଭିଯାନରେ କଂଗ୍ରେସ, ବିଜେପି ସହିତ ‌ବିଜେଡିର ଆଠମଲ୍ଲିକ୍ ବିଧାୟକ ସଂଜୀବ କୁମାର ସାହୁ ମଧ୍ୟ ସାମିଲ ହୋଇଛନ୍ତି। ଅଭିଯାନ ଜୋର୍ ଧରିବା ପରେ ଜିଲ୍ଲା ପ୍ରଶାସନ ଲୋକଙ୍କ ଦାବିି ଆଗରେ ମୁଣ୍ଡ ନୁଆଇଁଛି। ସୋମବାର ସନ୍ଧ୍ୟାରେ ଜିଲ୍ଲାପାଳ ଅନୀଲ ସାମଲ ରାଜ୍ୟ ସରକାରଙ୍କ ଜଂଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ବାଘୁଣୀ ସୁନ୍ଦରୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପତ୍ର ଲେଖିଛନ୍ତି। ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ଏହି ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ କରୁଛି। ବାଘୁଣୀ ବାରଂବାର ମଣିଷ ଓ ଗାଈବଳଦ ମାରୁଥିବା ଅଭିଯୋଗ ହେଉଛି। ଏହାକୁ ‌ନେଇ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ତେବେ ୨୧ ତାରିଖ ଦିନ ବାଘୁଣୀ ଜଣେ ମଣିଷ ମାରିବା ଅଭିଯୋଗ ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲ୍ଲା ପ୍ରଶାସନ ଏହି ବ୍ୟାଘ୍ର ପ୍ରକଳ୍ପ ପାଇଁ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଚଳାଇଛି। କିନ୍ତୁ ଗତକାଲିର ଦୁର୍ଭାଗ୍ୟଜନକ ଘଟଣା ପରେ ଅଂଚଳରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ଧରିବା ଏବଂ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ ସାମଲ ଏହି ପତ୍ରରେ ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି।

ଗତକାଲି ଟାଇଁସି ଘଟଣା ପରେ ଗାଁରେ ତାଟି କବାଟ ପଡ଼ିଥିଲା। ଏମିତିକି ଲୋକେ ଘରୁ ପରିଶ୍ରା ପାଇଁ ବି ପଦାକୁ ବାହାରି ନ ଥିଲେ। ଅସନବାହାଳ ଗାଁର ଛବି ସାହୁ କୁମୁରୀ ଗାଁର ଶ୍ରୀ ନାୟକଙ୍କୁ ଏକ ବଳଦ ଭାଗରେ ଦେଇଥିଲେ। ବଳଦ ଶ୍ରୀ ନାୟକଙ୍କ ବାଡ଼ିରେ ଚରୁଥିବା ବେଳେ ଆଜି ଭୋର୍ ସମୟରେ ବାଘୁଣୀ ତା’ ଉପରକୁ ଲମ୍ଫ ଦେଇଥିଲା। ବଳଦ ଶିକାର କରି ଘୋଷାଡ଼ି ନେଇଥିଲା। ପୁଳାଏ ମାଂସ ଖାଇ ପଳାଇଥିଲା ବୋଲି ଗାଁ ଲୋକେ କହିଛନ୍ତି। ଅପରପକ୍ଷେ ଗତକାଲିଠାରୁ ବାଘୁଣୀ ଟ୍ରାଙ୍କୁଲାଇଜ କରିବା ପାଇଁ ୧୦ଜଣିଆ ଟିମ୍ ଅନୁଗୁଳ ଆସିଛନ୍ତି। ଓୟୁଏଟିର ବିଶେଷଜ୍ଞ ଡା. ଇନ୍ଦ୍ରମଣି ନାଥଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍‌ରେ ଶିମିଳିପାଳ ଓ ନନ୍ଦନକାନନର ବିଶେଷଜ୍ଞମାନେ ଅଛନ୍ତି। କିନ୍ତୁ ଉତ୍ତେଜନା ଭୟରେ ସାତକୋଶିଆକୁ ଟିମ୍ ଯାଇ ନାହାନ୍ତି। ମଧ୍ୟପ୍ରଦେଶରୁ ଆଉ ଏକ ଟିମ୍ ଭୁବନେଶ୍ବରରେ ପହଞ୍ଚିଥିବା ଜଣାପଡ଼ିଛି। ଅପରପକ୍ଷରେ ଗତ ରାତିରେ ତ୍ରିନାଥ ସାହୁଙ୍କ ଶବ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିଲା। ସୋମବାର ସକାଳେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ଆସିବା ପାଇଁ ପୁଲିସ-ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। କୌଣସି ଅଘଟଣ ଆଶଙ୍କାରେ ଡାକ୍ତରଖାନା ପରିସରରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ଜଗି ରହିଥିଲେ। ଦିନ ସାଢ଼େ ୧୨ଟାରେ ତ୍ରିନାଥଙ୍କ ମୃତଦେହକୁ ପୁଅ ସୁରେଶ ସାହୁ ତାଙ୍କ ସଂପର୍କୀୟ ଓ ଗାଁର ଅନ୍ୟ କିଛି ଲୋକଙ୍କ ସହିତ ଆଣି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚିଥିଲେ। ପରିବାରର ଜଣଙ୍କୁ ଚାକିରି, ୫୦ ଲକ୍ଷ କ୍ଷତିପୂରଣ ଓ ବାଘୁଣୀ ସୁନ୍ଦରୀକୁ ସ୍ଥାନାନ୍ତର ଲାଗି ଦାବି କରିଥିଲେ। ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସେଠାରେ ପହଂଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଶେଷକୃତ୍ୟ ପାଇଁ ରେଡକ୍ରସ ପାଣ୍ଠିରୁ ନଗଦ ୨୦ ହଜାର ଟଙ୍କା ଓ ବନ ବିଭାଗର ପକ୍ଷରୁ ୪୦ ହଜାର ଟଙ୍କା ଦିଆଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଓ ବନ ବିଭାଗରେ ପରିବାର ଜଣକୁ ଚାକିରି ଦିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଶତପଥୀ କହିଥିଲେ। ବହୁ ସମୟ ଧରି ଶବ ପଡ଼ି ରହି ପଚିବା ଆରମ୍ଭ ହୋଇଯିବାରୁ ପରିବାର ଲୋ‌େକ ବ୍ୟ‌ବଚ୍ଛେଦ ପାଇଁ ଶେଷରେ ରାଜି ହୋଇଥିଲେ। ଶବ ବ୍ୟବଚ୍ଛେଦ ବେଳେ ଆସିଷ୍ଟାଣ୍ଟ କଲେକ୍ଟର ବିବେକାନନ୍ଦ ସାହୁ ଓ ପତିତପାବନ ଦେବତା ମାଜି‌େଷ୍ଟ୍ରଟ ରୂପେ ଉପସ୍ଥିତ ଥିଲେ। ବ୍ୟବଚ୍ଛେଦ ପରେ ମୃତ ତ୍ରିନାଥଙ୍କ ଶବ ନେଇ ରାତିରେ ଟାଇଁସି ଗାଁରେ ସତ୍କାର କରାଯାଇଥିବା ପ୍ରକାଶ।

ଟ୍ରାନ୍‌କୁଲାଇଜ୍‌ ପରିବର୍ତ୍ତେ ଜଙ୍ଗଲ‌େର ରଖାଯାଉ

ନୂଆଦିଲ୍ଲୀ : ବାଘୁଣୀ ସୁନ୍ଦରୀକୁ ଟ୍ରାନ୍‌କୁଲାଇଜ୍‌ କରାଯିବ ବୋଲି ପିସିସିଏଫ୍‌ଙ୍କ ଦ୍ବାରା କୁହାଯାଇଥିବା ବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ଭିନ୍ନ ମତ ପ୍ରକାଶ ପାଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ସୂତ୍ର ଅନୁଯାୟୀ ଟ୍ରାନ୍‌କୁଲାଇଜ କରାଯିବାର ଆବଶ୍ୟକତା ନାହିଁ। ସୁନ୍ଦରୀ ଜଙ୍ଗଲକୁ କିଭଳି ଯିବ ‌େ‌ସନେଇ ଗୁରୁତ୍ବ ଦେବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ମତ ରଖିଛି। ଆଗକୁ ସାତକୋଶିଆ ଅଭୟାରଣ୍ୟକୁ ମଧ୍ୟପ୍ରଦେଶରୁ ଆଉ ଦୁଇ ଯୋଡ଼ା ବାଘ ଆସିବାର ଯୋଜନା ରହିଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଟ୍ରାନ୍‌କୁଲାଇଜର ଭଳି ପଦକ୍ଷେପ ସେଭଳି ଅନୁକୂଳ ପ୍ରଭାବ ପକାଇବାରେ ଫଳପ୍ରଦ ହେବନାହିଁ ବୋଲି ପ୍ରାଧିକରଣ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର