ଅନୁଗୁଳ: ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ପାଇଁ ସବୁ ଦୃଷ୍ଟିରୁ ଯୋଗ୍ୟ ଥିଲେ ମଧ୍ୟ ଏହାକୁ ସରକାର ଗୁରୁତ୍ବର ସହ ନେଇନାହାନ୍ତି। ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିଭୂମି ଥିବା ସତ୍ତ୍ବେ ଅବହେଳାର ଶିକାର ହେଉଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ୁଛି। ଅନୁଗୁଳ କ‌ଲେଜ ପାଇଁ ୧୯୫୭ ମସିହାରେ ଭିତ୍ତି ପଡ଼ିଥିଲା। ଡ. ହରେକୃଷ୍ଣ ମହତାବ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ବେଳେ ୧୯୫୮ରୁ ଏଠାରେ ପାଠପଢ଼ା ଆରମ୍ଭ ହୋଇଥିଲା। ଏ ଭିତରେ ଅନୁଗୁଳ କଲେଜର କଳେବର ବଢ଼ିଛି। ଭିତ୍ତିଭୂମି ମଜଭୁତ ହୋଇଛି। ଏଠାରେ କଳା, ବାଣିଜ୍ୟ ଓ ବିଜ୍ଞାନରେ ସ୍ନାତକ ସହ ୧୯ଟି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିଲାଣି। ୪୦ ଏକର ଜମିରେ ଛିଡ଼ା ହୋଇଥିବା ଏହି କଲେଜରେ ଏବେ ପ୍ରାୟ ୪ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି।  ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏବେ ଫିଜିକ୍ସ, କେମିଷ୍ଟ୍ରି, ବଟାନି, ଜୁଲୋଜିରେ ଛାତ୍ରଛାତ୍ରୀ ସ୍ନାତକୋତ୍ତର ଶିକ୍ଷାଲାଭ କରୁଛନ୍ତି। ସେହିପରି ଇତିହାସ, ଓଡ଼ିଆ, ଅର୍ଥଶାସ୍ତ୍ର, ସୋସିଓଲୋଜି, ଲଜିକ, ରାଜନୀତି ବିଜ୍ଞାନ, ଇଂରାଜୀ, ସଂସ୍କୃତ, ଭୂଗୋଳ, ଫିଲୋସୋଫି, ଏଜୁକେସନ୍‌ରେ ମଧ୍ୟ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିଛି। କମର୍ସରେ ପିଜି ସହିତ ଏମ୍‌ବିଏ ଓ ଏମ୍‌ସିଏ ପାଠ୍ୟକ୍ରମ ଚାଲିଛି।

Advertisment

ଏତେ ସଂଖ୍ୟକ ପିଜି ପାଠ୍ୟକ୍ରମ ରହିବା ସହ ରାଜ୍ୟର ବିଭିନ୍ନ ଭାଗରୁ ଛାତ୍ରଛାତ୍ରୀ ଏଠାକୁ ପଢ଼ିବାକୁ ଆସୁଥିବାରୁ ଏହାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ପାଇଁ ବହୁବର୍ଷ ହେଲା ଦାବି ହୋଇ ଆସୁଛି। ଏଥିନେଇ ରାଜ୍ୟ ସରକାରଙ୍କୁ ଏକାଧିକ ବାର ବିଭିନ୍ନ ସଂଗଠନ ପକ୍ଷରୁ ଦାବିପତ୍ର ଦିଆଯାଇଛି। କେନ୍ଦ୍ରମନ୍ତ୍ରୀମାନଙ୍କ ପାଖରେ ମଧ୍ୟ ଯୁକ୍ତି ରଖାଯାଇଛି। ଅନୁଗୁଳ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଲେ ଅନୁଗୁଳ ସମେତ ପଡ଼ୋଶୀ ଢେଙ୍କାନାଳ, ବୌଦ୍ଧ, ଦେବଗଡ଼ ଓ କଟକ ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ‌ବିଶ୍ବବିଦ୍ୟାଳୟ କାମ ପାଇଁ ସେମାନଙ୍କୁ ଆଉ ଭୁବନେଶ୍ବର କି ସମ୍ବଲପୁର ଦୌଡ଼ିବାକୁ ପଡ଼ିବନି। ଏପଟେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏହା ଏକ ପ୍ରକୃଷ୍ଟ ସ୍ଥାନ ହୋଇପାରିବ। ତଥାପି ଅନୁଗୁଳ କଲେଜ ପ୍ରତି କାହାର ନଜର ପଡ଼ିନି। 

ଅନୁଗୁଳ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳୁ ନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କାହିଁକି ଅନୁଗୁଳକୁ ଏମିତି ଅବହେଳା କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଅନୁଗୁଳ ସରକାରୀ କଲେଜ ପୁରାତନ ଛାତ୍ରସଂଘର ସାଧାରଣ ସଂପାଦକ ଦେବାଶିଷ ପଟ୍ଟନାୟକ କହିଛନ୍ତି, ଅନୁଗୁଳ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ପାଇଁ ବହୁବର୍ଷ ହେଲା ଦାବି କରି ଆସୁଛୁ। ଏଥିନେଇ ରାଜ୍ୟ ସରକାରଙ୍କୁ ଏକାଧିକ ବାର ଚିଠି ଲେଖାଯାଇଛି। ବିଭିନ୍ନ ସମୟରେ ମନ୍ତ୍ରୀମାନଙ୍କୁ ଦାବିପତ୍ର ଦିଆଯାଇଛି। କେନ୍ଦ୍ରମନ୍ତ୍ରୀମାନଙ୍କୁ ମଧ୍ୟ ଅନୁରୋଧ କରିଛୁ। ବିଶ୍ବବିଦ୍ୟାଳୟ ମାନ୍ୟତା ନେଇ ରହିଥିବା ବିଭିନ୍ନ ଯୁକ୍ତିକୁ ଏଥିରେ ଦର୍ଶଯାଇଛି। ତଥାପି ସରକାର ଏକଥାକୁ କାହିଁକି ଗୁରୁତ୍ବ ଦେଉନାହାନ୍ତି ଜଣାପଡ଼ୁନି। ଖୁବ୍‌ଶୀଘ୍ର ଏଥିନେଇ ସରକାର ବିଚାର ନ କଲେ ଅନୁଗୁଳବାସୀ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇବେ ବୋଲି ସେ କହିଛନ୍ତି।