ଏଥର ଅନୁଗୁଳ ଜିଲ୍ଲା ଦେଖିବ ବିଧାୟିକା?

ଏପର୍ଯ୍ୟନ୍ତ ବିଧାନସଭାକୁ ଯାଇନାହାନ୍ତି ଏଠାକାର କୌଣସି ମହିଳା

ଅନୁଗୁଳ (ରତ୍ନାକର ଭୋଇ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା କାର୍ଡକୁ ନେଇ ଏବେ ଓଡ଼ିଶାର ପୁରପଲ୍ଲୀଠାରୁ ମିଳିତ ଜାତିସଂଘ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ଚାଲିଛି। ନାରୀ ସଶକ୍ତିକରଣ ଦିଗରେ ନବୀନ ବାବୁ ତାଙ୍କ ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପଦାଙ୍କ ଅନୁସରଣ କରି‌ ଲୋକସଭାର ୩୩ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ଦେବାକୁ ଘୋଷଣା କରି ସାରିଛନ୍ତି। ଅନୁଗୁଳ ଜିଲ୍ଲା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ, ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ‌ଦେବେ‌ନ୍ଦ୍ର ପ୍ରଧାନ, ଭଜମନ ବେହେରାଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ ବହୁ ବଡ଼ ଆଉ ଦକ୍ଷ ନେତା ସୃଷ୍ଟି କରିଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ଜିଲ୍ଲାରୁ କୌଣସି ମହିଳା ବିଧାନସଭାରେ ପାଦ ଥାପି ନାହାନ୍ତି। ରାଜନୈତିକ ଦଳଗୁଡ଼ିକର ଉପେକ୍ଷା ଆଉ ଅବହେଳା ‌ଯୋଗୁଁ ଅନୁଗୁଳ ଜିଲ୍ଲାବାସୀ ରାଜ୍ୟକୁ ଜଣେ ବିଧାୟିକା ନିର୍ବାଚିତ କରି ଦେଇପାରି ନାହାନ୍ତି।

ଅନୁଗୁଳ ଜିଲ୍ଲାରେ ଏବେ ଅନୁଗୁଳ, ଛେଣ୍ଡିପଦା, ପାଳଳହଡ଼ା, ଆଠମଲ୍ଲିକ ଓ ତାଳଚେର ବିଧାନସଭା କ୍ଷେତ୍ର ରହିଛି। ଦେଶର ସ୍ବାଧୀନତା ପ୍ରାପ୍ତି ପରେ ୧୯୫୧ ମସିହାର ନିର୍ବାଚନଠାରୁ ୨୦୧୪ ମଧ୍ୟରେ ଅନୁଗୁଳ, ପାଳଲହଡ଼ା, ତାଳଚେର ବିଧାନସଭା କ୍ଷେତ୍ରରେ ୧୫ ଥର ଲେଖାଏଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ୧୯୫୧ ମସିହ‌ାର ନିର୍ବାଚନ ପରେ ସେହି ବର୍ଷ ପୁଣି ଉପନିର୍ବାଚନ ହେବା କାରଣରୁ ଆଠମଲ୍ଲିକ ବିଧାନସଭାବାସୀ ଏପର୍ଯ୍ୟନ୍ତ ୧୬ଟି ନିର୍ବାଚନରେ ମତଦାନ କଲେଣି। ଛେଣ୍ଡିପଦା ବିଧାନସଭା କ୍ଷେତ୍ର ପାଇଁ କିନ୍ତୁ ମାତ୍ର ୫ ଥର ନିର୍ବାଚନ ହୋଇଛି। ୧୯୬୧, ୧୯୬୭, ୧୯୭୧ ମସିହା ନିର୍ବାଚନ ପରେ ଏହି ବିଧାନସଭା ଆସନ ‌ଉଚ୍ଛେଦ କରି ଦିଆଯାଇଥିଲା। ତେବେ ପୁନର୍ଗଠନ ପରେ ଛେଣ୍ଡିପଦା ଆସନରୁ ୨୦୦୯ ଓ ୨୦୧୪ରେ ନିର୍ବାଚନ ହୋଇଥିବା ବେଳେ ଦୁଇ ଥର ଯାକ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଜିଲ୍ଲାର ୫ଟି ଯାକ ବିଧାନସଭା କ୍ଷେତ୍ରରେ ନିର୍ଦ୍ଦିଷ୍ଟ କେତେ ଜଣ ନେତା ଏକାଧିକ ଥର ନିର୍ବାଚିତ ହୋଇ ଆସିଛନ୍ତି। କଂଗ୍ରେସ, ଜନତା ଦଳ/ବିଜେଡି ହେଉକି ବିଜେପି ନିର୍ଦ୍ଦି‌ଷ୍ଟ ନେତାଙ୍କୁ ବାରଂବାର ପ୍ରାର୍ଥୀ କରାଇ କ୍ଷମତା ଅକ୍ତିଆର ପାଇଁ ସବୁବେଳେ ପ୍ରୟାସ କରି ଚାଲିଛନ୍ତି। ସ୍ବର୍ଗତ ମୌସୁମୀ ପ୍ରଧାନଙ୍କ ଭଳି କେଇ ଜଣ ନେତ୍ରୀ ବିଧାନସଭା ନିର୍ବାଚନ ଲଢ଼ିଥିଲେହେଁ ସଫଳ ହୋଇନାହାନ୍ତି। ଏଥର ଓଡ଼ିଶା ପ୍ରଦେଶ କଂଗ୍ରେସର ଉପସଭାପତି ଥିବା ଇଂ.ସସ୍ମିତା ବେହେରାଙ୍କୁ ଛେଣ୍ଡିପଦା ଆସନରୁ ପ୍ରାର୍ଥୀ କରାଇବା ପାଇଁ କଂଗ୍ରେସ ପକ୍ଷରୁ ଏଆଇସିସିକୁ ନାମ ସୁପାରିସ କରାଯାଇଛି। ତେବେ ଏହି ଆସନ ପାଇଁ କଂଗ୍ରେସ ନେତା ନରୋତ୍ତମ ନାଏକଙ୍କ ନାମ ବି ଦଳ ସୁପାରିସ କରିଛି।

ବିଜେଡି ଯଦିଓ ଲୋକସଭା ଭଳି ବିଧାନସଭା ପାଇଁ ମହିଳାଙ୍କ ନିମନ୍ତେ ୩୩ ପ୍ରତିଶତ ଆସନ ସଂରକ୍ଷଣ ଘୋଷଣା କରି ନାହିଁ, ତଥାପି ଦଳର କେତେକ ନେତ୍ରୀ ଟିକେଟ ପାଇଁ ଲବି ଆରମ୍ଭ କରି ଦେଇଥିବା ଜଣାପଡ଼ିଛି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ(ମଣ୍ଟୁ)ଙ୍କ ପରିବାର ହାତରେ ୨୦୦୦ ମସିହାରୁ ଏହି ଆସନ ରହି ଆସିଛି। ୨୦୦୦ ମସିହା ନିର୍ବାଚନରେ ଅଦ୍ବୈତ ପ୍ରସାଦ ସିଂହ ଏଠାରୁ ନିର୍ବାଚିତ ହୋଇଥିବା ବେଳେ ଗତ ୩ ଥର ହେଲା ତାଙ୍କ ସୁପୁତ୍ର ମଣ୍ଟୁ ସିଂହ କ୍ରମାଗତ ଭାବେ ନିର୍ବାଚିତ ‌ହୋଇ ଆସୁଛନ୍ତି। ତେବେ ଏଥର ଦଳର ଗୋଟିଏ ଗୋଷ୍ଠୀ ତାଙ୍କୁ ପ୍ରବଳ ବିରୋଧ କରୁଥିବା, ପୂର୍ବ ତୁଳନାରେ ୨୦୧୪ ନିର୍ବାଚନରେ ତାଙ୍କ ବିଜୟ ବ୍ୟବଧାନ ହ୍ରାସ ପାଇଥିବା ଆଦି କାରଣରୁ ମଣ୍ଟୁବାବୁଙ୍କ ବଦଳରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଦଳୀୟ କର୍ମୀ ମହଲରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ଜିଲ୍ଲାର ୫ଟି ଯାକ ବିଧାନସଭା କ୍ଷେତ୍ରରେ ବିଜେପିରେ ଆଶାୟୀ ନେତାଙ୍କ ସଂଖ୍ୟା ବହୁତ ରହିଛି। ହେଲେ ଏପର୍ଯ୍ୟନ୍ତ ଜଣେ ହେଲେ ନେତ୍ରୀଙ୍କ ନାମ ସାମ୍‌ନାକୁ ଆସି ନାହିଁ। ଅନୁଗୁଳର ମହିଳାମାନେ ବିଭିନ୍ନ ‌େକ୍ଷତ୍ରରେ ସଫଳତା ହାସଲ କରି ଆସିଛନ୍ତି। ଗତ ଡିସେମ୍ବର ମାସରେ ମାସ୍କଟରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ଏସିଆର ୧୦ଟି ଦେଶର ସୁନ୍ଦରୀଙ୍କୁ ପଛରେ ପକାଇ ଅନୁଗୁଳ ମାଟିର ଝିଅ ନିବେଦିତା ବିଶ୍ବାଳ ମିସ୍‌ ଏସିଆ ଏଲିଗାଣ୍ଟ(୨୦୧୮-୧୯) ମୁକୁଟ ପିନ୍ଧିଛନ୍ତି। ହେଲେ ରାଜନୈତିକ ଦଳଗୁଡ଼ିକ କିନ୍ତୁ ଅନୁଗୁଳ ମାଟିର ମହିଳାମାନଙ୍କୁ କ’ଣ ପାଇଁ ବିଧାନସଭାକୁ ପଠାଇ ଉଦାହରଣ ସୃଷ୍ଟି କରିବାକୁ ଚାହୁଁ ନାହାନ୍ତି, ତାହା ବୁଝି ହେଉ ନାହିଁ।

ସମ୍ବନ୍ଧିତ ଖବର