ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ଏସ୍‌ଏନ୍‌ସିୟୁରେ ଲାଞ୍ଚ କାରବାର, ଶିଶୁ ମୁଣ୍ଡ ପିଛା ୩୦୦ ଟଙ୍କା!

ଅଭିଯୋଗ ପରେ ଡିଇଓ ହଟିଲେ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର। ନବଜାତ ଶିଶୁଙ୍କ ମୁଣ୍ଡ ପିଛା ଆଦାୟ ହେଉଛି ତିନିଶହ ଟଙ୍କା। ଏ ପ୍ରକାର ଅଭିଯୋଗ କୌଣସି ଶିଶୁଙ୍କ ବାପାମା’ କିମ୍ବା ମେଡିକାଲ୍ ଅନ୍ତେବାସୀ କରିନାହାନ୍ତି। ଖୋଦ୍‌ ଏସ୍‌ଏନ୍‌ସିୟୁ କର୍ତୃପକ୍ଷ (ସ୍ପେସାଲ୍ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍) ଏଡିଏମ୍‌ଓ(ମେଡିକାଲ୍)ଙ୍କ ନିକଟରେ ଏମିତି ଫେରାଦ ହୋଇଛନ୍ତି। ଆଉଟ୍ ସୋର୍ସିଂରେ ଚାକିରି ପାଇଥିବା ଜଣେ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କର ଏ କାରନାମା ପଦାକୁ ଆସିଲା ପରେ ତୁରନ୍ତ ତାଙ୍କୁ ବିଭାଗରୁ ହଟାଇ ଦିଆଯାଇଛି। ଏ ପ୍ରକାର ଅଭିଯୋଗ ପରେ ମେଡିକାଲ୍ ଭିତରେ ଲୁଚାଛପାରେ ଚାଲିଥିବା ଲାଞ୍ଚ କାରବାରର କେବଳ ପର୍ଦାଫାସ କରୁନାହିଁ, ବରଂ କାହାର ପ୍ରଚ୍ଛନ୍ନ ସହାୟତାରେ ଜଣେ ଆଉଟ୍‌ ସୋର୍ସିଂ ଡାଟା ଏଣ୍ଟ୍ରି ଅପରେଟର୍‌ ବିଭାଗ ଭିତରେ ଏମିତି ଟଙ୍କା ଆଦାୟ କରିବାକୁ ସାହସ ପାଇଲେ ତାହା ତଦନ୍ତର ଅପେକ୍ଷା ରଖୁଛି।

ସୂଚନା ମୁତାବକ, ଏସ୍‌ଏନ୍‌ସିୟୁ ହେଉଛି ନବଜାତ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଯତ୍ନ କେନ୍ଦ୍ର। ଜନ୍ମ ହେଲାପରେ ଯେଉଁ ଶିଶୁର ଓଜନ ୨୬ଶହ ଗ୍ରାମ୍‌ରୁ କମ୍ ଥାଏ, ସେମାନଙ୍କୁ ଏହି ଏସ୍‌ଏନ୍‌ସିୟୁ ବିଭାଗରେ ଭର୍ତ୍ତିକରି ସ୍ବତନ୍ତ୍ର ଚିକିତ୍ସା କରାଯାଏ। ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଲା ପରେ ଶିଶୁ ଏଠାରୁ ଡିସ୍‌ଚାର୍ଜ ହୁଅନ୍ତି। ଡିସ୍‌ଚାର୍ଜ ବେଳାରେ ହିଁ ଏ ସବୁ ଲାଞ୍ଚ କାରବାର ଚାଲୁଥିଲା ବୋଲି ଏଡିଏମ୍‌ଓ(ମେଡକାଲ୍) ନିକଟରେ ମେଡିକାଲ୍ କର୍ତୃପକ୍ଷ ଅଭିଯୋଗ କରିଥିଲେ। ଡିସ୍‌ଚାର୍ଜ ବେଳାରେ ଜନ୍ମିତ ଶିଶୁର ସମ୍ପୂର୍ଣ୍ଣ ତଥ୍ୟ ଏଣ୍ଟ୍ରି କରାଯାଏ। ଏହାର ଫାଇଦା ନେଇ ସମ୍ପୃକ୍ତ ଆଉଟ୍‌ ସୋର୍ସିଂ କର୍ମଚାରୀ ଲୋକଙ୍କଠାରୁ ଶିଶୁ ମୁଣ୍ଡ ପିଛା ୩ଶହ ଟଙ୍କା ଆଦାୟ କରୁଥିଲେ। ଏ ନେଇ ଅଭିଯୋଗ ପରେ ଏଡିଏମ୍‌ଓ(ମେଡିକାଲ୍) ଘଟଣାକୁ ବେଶ୍ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। ଏହା ବିରୋଧରେ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ)ଙ୍କୁ ସୁପାରିସ କରିଥିଲେ। ଏହାପରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଡିଏମ୍‌ଓ ଡିପିଏମ୍‌(ଏନ୍‌ଏଚ୍‌ଏମ୍‌)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ଏସ୍ଏନ୍‌ସିୟୁ ବିଭାଗରୁ ହଟାଇ ଦିଆଯାଇ ଆଇଡିଏସ୍‌ପି ବିଭାଗକୁ ବଦଳି କରାଯାଇଛି।

ଅନୁଗୁଳ ସିଡିଏମ୍‌ଓ ଡାକ୍ତର ତ୍ରିଲୋଚନ ପ୍ରଧାନ ବଦଳି ଘଟଣାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ତାଙ୍କ ନାଁରେ ଟଙ୍କା କାରବାର ଅଭିଯୋଗ ଆସିଥିଲା। ମେଡିକାଲ୍‌ରେ ଟଙ୍କା କାରବାରକୁ ବରଦାସ୍ତ କରାଯିବ ନାହିଁ। ତେଣୁ, ଅଭିଯୋଗ ଆସିଲା କ୍ଷଣି ତାଙ୍କୁ ସେ ବିଭାଗରୁ ବଦଳି କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷ‌ରେ, ନବଜାତ ଶିଶୁ ଏବଂ ଗର୍ଭବତୀ ମା’ଙ୍କ ସୁରକ୍ଷା ପାଇଁ ସରକାର କାହିଁ କେତେ ଯୋଜନା ଚଳାଇଛନ୍ତି। ଖାଦ୍ୟଠୁ ରକ୍ତ ଯାଏ ସବୁ ବ୍ୟବସ୍ଥା ମାଗଣାରେ କରିଛନ୍ତି। ମାଗଣା ଯୋଜନା ଭିତରେ ଏହିଭଳି ଟଙ୍କା କାରବାର ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର