ଅନୁଗୁଳ ଏସ୍‌ଏନ୍‌ସିୟୁରେ କଅଁଳ ଜୀବନ ସହ ଖେଳ, ପୁଣି ୩ ମୃତ; ୨୬ ଦିନରେ ୧୭

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟର ସ୍ବତନ୍ତ୍ର ନବଜାତ ଶିଶୁ ଯତ୍ନ ବିଭାଗ(ଏସ୍‌ଏନ୍‌ସିୟୁ) ନିଷ୍ପାପ ଶିଶୁଙ୍କ ଜୀବନ ସହ ଖେଳ ଚାଳିଛି। ‌ନବଜାତ ଶିଶୁମାନଙ୍କୁ ସ୍ବତନ୍ତ୍ର ଭାବେ ଅତ୍ୟନ୍ତର ଯତ୍ନ ସହିିତ ଚିକିତ୍ସା କରାଯିବା ପାଇଁ ରହିଥିବା ଏହି ବିଭାଗରେ ସାଂଘାତିକ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଗତ ୨୪ ତାରିଖ ଦିନ ୩ ଜଣ ନବଜାତକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଦିନ ବ୍ୟବଧାନରେ ଆଜି ପୁଣି ୩ ଜଣ ଆଖି ବୁଜିଛନ୍ତି। ଏହାକୁ ମିଶାଇ ଚଳିତ ମାସ ଏ ପର୍ଯ୍ୟନ୍ତ ଏସ୍‌ଏନ୍‌ସିୟୁରେ ୧୭ ଜଣ ନବଜାତକଙ୍କ ମୃତ୍ୟୁ ହୋଇସାରିଥିବାରୁ ବିଭିନ୍ନ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ମୁଖ୍ୟତଃ ଜନ୍ମରୁ ଏକ ମାସ ପର୍ଯ୍ୟନ୍ତ ନବଜାତ ଶିଶୁଙ୍କ ଚିକିତ୍ସା ହୋଇଥାଏ। ଗତ ୪ ଜୁନ୍‌ରେ ଏଠାରେ ୪ ଜଣ ନବଜାତକଙ୍କ ମୃତ୍ୟୁ ଘଟିଥିଲା। ଏହାର ୨୦ ଦିନ ପରେ ପୁଣି ଏକ ସଂଗରେ ୩ ଜଣ ଶିଶୁ ପ୍ରାଣ ହରାଇଲେ। ସେଦିନ ଅନୁଗୁଳ ଜିଲ୍ଲା ବେଳଗୁଣ୍ଠାର ନିରାକାର ଓ ମିନତି ନାୟକଙ୍କ ନବଜାତ ଶିଶୁର ମୃତ୍ୟୁ ହେବାର କିଛି ଘଣ୍ଟା ବ୍ୟବଧାନରେ ପୁଣି ବନ୍ତଳା ଥାନା ମାଣପୁର ଗ୍ରାମର ବିନୋଦ ଓ ଜ୍ୟୋତ୍ସ୍ନାରାଣୀ ନାୟକ ଏବଂ ବଅଁରପାଳ ଥାନା ବୁଢ଼ାପଙ୍କର ଚିତ୍ତରଂଜନ ଓ ପ୍ରିୟଙ୍କା ପରିଡ଼ାଙ୍କ ନବଜାତ ସନ୍ତାନର ମୃତ୍ୟୁ ଘଟିଥିଲା।

ଆଜି ପୁଣି ଏଠାରେ କଣିହାଁ କାକୁଡ଼ିଆ ଗ୍ରାମର ଯାଜ୍ଞସେନୀ ଦେହୁରୀ ଓ ଉମାକାନ୍ତ ପ୍ରଧାନ, କିଶୋନଗର ବ୍ଲକ ଡଂଗାପାଳର ଗୋଳି ଓ କମଳ ଦେହୁରୀ, ଛେଣ୍ଡିପଦାର ଦୀପ୍ତି ଓ ଅଜୟ ଗୋଚ୍ଛାୟତ ନବଜାତ ସନ୍ତାନଙ୍କ ଜୀବନ ଚାଲିଯାଇଛି। ଗତକାଲିର ଏହି ଘଟଣା ସଂକ୍ରାନ୍ତରେ ବିଭାଗୀୟ ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ସେ ଏଭଳି କିଛି ହୋଇନଥିବା କହିଥିଲେ। ଏସ୍ଏନ୍‌ସିୟୁ କତ୍ତୃର୍ପକ୍ଷ ଘଟଣାକୁ ସ୍ବୀକାର ନକରିବା ବିଭାଗୀୟ ଅବ‌ହେଳା ପ୍ରତି ଅଂଗୁଳି ନିର୍ଦ୍ଦେଶ କରୁଛି। ତେବେ ଏ ସଂକ୍ରାନ୍ତରେ ଏଡିଏମ୍ଓ(ମେଡିକାଲ) ଡାକ୍ତର ଲକ୍ଷ୍ମୀ ନାରାୟଣ ବିଶୋଇଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହି‌ଲେ, ଏସ୍‌ଏନ୍‌ସିୟୁକୁ ପ୍ରାୟତଃ ସଂକଟାପନ୍ନ ଅବସ୍ଥାରେ ଥିବା ନବଜାତକଙ୍କୁ ଅଣାଯାଉଛି। ତେ‌ଣୁ ଚିକିତ୍ସା ଅବହେଳା କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ କେବଳ ଅନୁଗୁଳ ନୁହେଁ, ‌ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ସୀମାନ୍ତ ଅଂଚଳର ଲୋକେ ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି। ଏହି ଏସ୍‌ଏନ୍‌ସିୟୁରେ ୧୨ଟି ଶଯ୍ୟା ରହିଛି। ଆଜି ସେଠାରେ ୧୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଜଣେ ଡାକ୍ତରଙ୍କ କହିବା ଅନୁସାରେ, ଅନେକ ଦିନ ୩୦ରୁ ବି ବେଶୀ ନବଜାତ ଶିଶୁ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି। ଗୋଟିଏ ଶଯ୍ୟାରେ ୨/୩ ଜଣ‌ ‌େଲଖାଏଁ ପିଲାଙ୍କୁ ରଖାଯାଉଛି। ଅବସ୍ଥା ଗୁରୁତର ଥିଲେ, ସଂଗେ ସଂଗେ କଟକ ଶିଶୁ ଭବନକୁ ରେଫର କରି ଦିଆଯାଉଛି। ଗରିବ ପିତାମାତା କଟକ ନେବାକୁ ଅମଂଗ ହେଉଥିବା ବେଳେ ଏସ୍‌ଏନ୍‌ସିୟୁ କତ୍ତୃର୍ପକ୍ଷ ସେମାନଙ୍କଠାରୁ ‘ରିକ୍ସ ବଣ୍ଡ’ରେ ଆଗୁଆ ଦସ୍ତଖତ କରି ନେଉଛନ୍ତି।

ଅପରପକ୍ଷରେ ଡାକ୍ତରଖାନା କତ୍ତୃର୍ପକ୍ଷ ଏଠାକାର ଭିତ୍ତିଭୂମି ବିକାଶ ଦିଗରେ ପଦକ୍ଷେପ ନେଉ ନାହାନ୍ତି। ଏହି ବିଭାଗ ପାଇଁ ଅତ୍ୟନ୍ତ ଅବଶ୍ୟକ ଜୀବନ ରକ୍ଷାକାରୀ ଭେଣ୍ଟିଲେଟର ବ୍ୟବସ୍ଥା ନାହିଁ। ୫ ଲକ୍ଷ ଟଙ୍କା ଦରକାର ହେଉଥିବା ଭେଣ୍ଟିଲେଟର ନଥିଲେ, ଏକ ଲକ୍ଷ ଟଙ୍କା ମୂଲ୍ୟର ସି-କେପ୍‌ ମେସିନ ଜରିଆ‌େର ବି ରୋଗୀଙ୍କୁ ସାମୟିକ ଭାବେ ଜୀବନ ବଞ୍ଚାଇ ରଖିବାରେ ସହାୟକ ହୋଇପାରିବ। ମାତ୍ର ଏସ୍‌ଏନ୍‌ସିୟୁ ପାଇଁ ଅନିବାର୍ଯ୍ୟ ଭେଣ୍ଟିଲେଟର କିମ୍ବା ସି-କେପ୍ ମେସିନ ଏଠାରେ ନାହିଁ। କେବଳ ସେତିକି ନୁହେଁ, ବିଲିରୁବି‌ନୋମିଟର ନଥିବାରୁ ନବଜାତ ଶିଶୁମାନଙ୍କ ଜଣ୍ଡିସର ମାତ୍ରା ମାପିବାରେ ସମସ୍ୟା ହେଉଛି। ସେହିପରି ଗ୍ୟାସ, ରକ୍ତ ଆଦି ମାପିବା ପାଇଁ ଉଦ୍ଦିଷ୍ଟ ଏବି‌ଜି( ଆନାଲେସିସ୍ ଅଫ୍ ବ୍ଲଡ୍ ଆଣ୍ଡ ଗ୍ୟାସ୍) ମେସିନ ବି ନାହିଁ। ଏସବୁ ଗୁରୁତ୍ବପୂର୍ଣ୍ଣ ମେସିନ ବ୍ୟତୀତ ଆହୁରି ଅନେକ ଛୋଟବଡ଼ ସମସ୍ୟା ରହିଛି। ଏସବୁ ଯନ୍ତ୍ରପାତି ଅଭାବରୁ ନବଜାତ ଶିଶୁମାନଙ୍କୁ ଉପଯୁକ୍ତ ଚିକିିତ୍ସା ସେବା ପାଇବାରୁ ବଂଚିତ ହେଉଛନ୍ତି। ଆଉ ଦୁନିଆ ଦେଖିବା ପୂର୍ବରୁ ନିଷ୍ପାପ ଶିଶୁମାନେ ଆରପାରିକୁ ଚାଲି ଯାଉଛନ୍ତି।

ସମ୍ବନ୍ଧିତ ଖବର