ମାଛ ଗବେଷଣା ପାଇଁ ‘ଅନୁଗୁଳ’ ଭାରତ ବିଖ୍ୟାତ, ୧୯୫୭ରେ ଦେଶକୁ ନୂଆ ଦିଗ ଦେଇଥିଲା ନାରଣ ସାଗର

ଏଠି ଦୁଇ ବୈଜ୍ଞାନିକଙ୍କର ଗବେଷଣା ହୋଇଥିଲା ସଫଳ

ଅନୁଗୁଳ: ଅନୁଗୁଳ ଇତିହାସ ବିଷୟରେ ଚର୍ଚ୍ଚା‌ ‌ହେଲେ ରାଜରାଜୁଡ଼ା ଅମଳର ରାଜତ୍ବ କଥା ସାଙ୍ଗେସାଙ୍ଗେ ମନକୁ ଆସେ। କିନ୍ତୁ ରାଜଶାସନ ବାଦେ ବି ଏମିତି ଐତିହାସିକ ପୃଷ୍ଠଭୂମି ରହିଛି ଯାହା ଅନୁଗୁଳ ମାଟିକୁୁ ସାରା ଦେଶରେ ପରିଚିତ କରାଇଛି। ତାହା ହେଉଛି, ମାଛ ଗବେଷଣା କ୍ଷେତ୍ରରେ ସାରା ଦେଶକୁ ଅନୁଗୁଳ ମାଟିର ଅବଦାନ।

ଆଜିକୁ ପ୍ରାୟ ୬ ଦଶନ୍ଧି ତଳେ ମାଛ ଯାଆଁଳ କଥା କହିଲେ ଲୋକେ ନଦୀ ଓ ନାଳ ଉପରେ ନିର୍ଭର କରୁଥିଲେ। ପ୍ରାକୃତିକ ଉପାୟରେ ନଦୀରେ ମାଛ ଦେଉଥିବାର ଅଣ୍ଡାରୁ ଯାଆଁଳ ଉତ୍ପାଦନ କରାଯାଇ ଚାଷୀଙ୍କୁ ବଣ୍ଟନ କରାଯାଉଥିଲା। ନିଜ ଇଛା ଅନୁସାରେ ମାଛ ଯାଆଁଳ ଏକ ନିର୍ଦ୍ଧିଷ୍ଟ ମାଛ ମାନଙ୍କ ଠାରୁ ଯାଆଁଳା ତିଆରି କରିବା ମଣିଷ ହାତର କଥା ନଥିଲା। ସାରା ଭାରତ ବର୍ଷର ମାଛ ଚାଷୀ ମାନେ ଚିଚାଚରିତ ଢଙ୍ଗରେ ନଦୀରୁ ଏହିପରି ଭାବେ ପ୍ରାକୃତିକ ଉପାୟରେ ମାଛ ଯାଆଁଳ ସଂଗ୍ରହ କରି ଜୀବିକା ତୁଲାଉଥିଲେ। ତେଣୁ ନଦୀ ନାଳ ଉପରେ ମତ୍ସ୍ୟ ଚାଷୀମାନଙ୍କର ଭାଗ୍ୟ ପୂରା ନିର୍ଭର କରୁଥିଲା। ଏହି ସମସ୍ୟାର ସମାଧାନ ପାଇଁ କୃତ୍ରିମ ଉପାୟରେ ଯେପରି ମାଛ ଯାଆଁଳ ଉତ୍ପାଦନ କରିହେବ ସେଥିପାଇଁ ବୈଜ୍ଞାନିକମାନେ ଉଦ୍ୟମ ଆରମ୍ଭ କରିଥିଲେ। ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ଏଥିପାଇଁ ଚାରିଆଡ଼େ ବହୁ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଥିଲା। କୃତ୍ରିମ ଉପାୟରେ ଏକ ନିର୍ଦ୍ଧିଷ୍ଟ ମାଛଠାରୁ ଯେପରି ଉନ୍ନତମାନର ଯାଆଁଳ ପ୍ରଜନନ କରିହେବ ବୈଜ୍ଞାନିକମାନେ ସେଥିପାଇଁ ଲାଗିପଡ଼ିଥିଲେ।

୧୯୫୭ ମସିହା ଜୁଲାଇ ୧୦ ତାରିଖ ଦିନ ମତ୍ସ୍ୟ ବିଜ୍ଞାନୀମାନଙ୍କର ଏହି ପ୍ରୟାସ ଅନୁଗୁଳ ସହର ଶୈଳଶ୍ରୀକ୍ଷେତ୍ର ମନ୍ଦିର ପାଖ ନାରଣସାଗରରେ ଫଳପ୍ରଦ ହୋଇଥିଲା। ବୈଜ୍ଞାନିକମାନଙ୍କର ଇଣ୍ଡ୍ୟୁସ ବ୍ରିଡିଙ୍ଗ ପ୍ରକ୍ରିୟା ଏଇଠି ହିଁ ସଫଳ ରୂପ ନେଇଥିଲା। ବୈଜ୍ଞାନିକ ପ୍ରାଣାଳୀରେ ମାଛ ମାନଙ୍କ ଠାରୁ ଯାଆଁଳ ପ୍ରଜନନ ପାଇଁ ମାଛମାନେ ଆବଶ୍ୟକ କରୁଥିବା ପ୍ରାକୃତିକ ପରିବେଶ ଯୋଗାଇ ଦିଆଯାଇ ସେତେବେଳେ ମତ୍ସ୍ୟବିଜ୍ଞାନୀ ଡ. ହିରାଲାଲ ଚୌଧୁରୀ ଓ ଡ. କେ.ଏଚ୍‌ ଆଲିକୁହ୍ନୀ କୃତ୍ରିମ ଉପାୟରେ ଯାଆଁଳ ପ୍ରଜନନ କରି ମତ୍ସ୍ୟବିଜ୍ଞାନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ। ଯାହା ପରବର୍ତ୍ତୀ ସମୟରେ ଭାରତବର୍ଷକୁ କେବଳ ନୂଆ ଦିଗ୍‌ଦର୍ଶନ ଦେଇନାହିଁ ବରଂ ମତ୍ସ୍ୟଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ବି ସୁଦୃଢ କରିପାରିଛି। ଏହି ଐତିହାସିକ ପୋଖରୀ ପାଇଁ ଦେଶକୁ ନୂଆ ଦିଗ୍‌ଦର୍ଶନ ମିଳିଛି। କୁମ୍ଭୀର ଚାଷ ପାଇଁ ଟିକରପଡ଼ା ଯେତିକି ଚର୍ଚ୍ଚିତ ହୋଇଛି, ମାଛ ଯାଆଁଳ ଗବେଷଣା ପାଇଁ ଏ ପୋଖରୀ ଦେଶରେ ଅନୁଗୁଳ ଜିଲ୍ଲା ପାଇଁ ସେତିକି ଗୌରବ ଅର୍ଜିଛି।

ସେହି ସଫଳତାକୁ ସବୁଦିନ ପାଇଁ ସ୍ମରଣୀୟ କରିବା ପାଇଁ କେନ୍ଦ୍ର ସରକାର ଦ୍ବାରା ଭାରତୀୟ କୃଷି ଗବେଷଣା ପରିଷଦ ଜୁଲାଇ ୧୦ ତାରିଖକୁ ‘ଜାତୀୟ ମତ୍ସ୍ୟଚାଷ ଦିବସ’ ରୂପେ ପାଳନ କରିଆସୁଛି। ଯେଉଁ ପୋଖରୀରେ ମତ୍ସ୍ୟବିଜ୍ଞାନ ଅନୁସନ୍ଧାନ ସଫଳ ରୂପ ନେଇଥିଲା ତାକୁ କିଛି ବର୍ଷ ତଳେ ଏକ ଐତିହସିକ ସ୍ଥଳ ଭାବେ ଘୋଷଣା କରାଯାଇଛି। ଯାହା ଅନୁଗୁଳ ମାଟି ପାଇଁ ନିଶ୍ଚିତ ଗର୍ବ ଓ ଗୌରବର ବିଷୟ ହୋଇଥିଲେ ହେଁ ଏ ପୋଖରୀର ବିକାଶ ଯେମିତି ହେବା କଥା ତାହା ହୋଇପାରି ନାହିଁ। ଐତିହ୍ୟ ସ୍ଥଳୀର ଘୋଷଣାନାମା ସତ୍ତ୍ବେ ଏହି ପୋଖରୀ ଆଜି ବି ଅବହେଳିତ। ଏ ପୋଖରୀର ଆଖି ଦୃଶିଆ ବିକାଶ ପାଇଁ ଲମ୍ବା ଚଉଡା ଯୋଜନା ହୋଇଥିଲା। କିନ୍ତୁ, ବିକାଶ କାମ ଏତେଟା ଆଗେଇ ପାରି ନାହିଁ।

ସମ୍ବନ୍ଧିତ ଖବର