ହାତଟେକି ଦେଲା ଅନୁଗୁଳ ସ୍ୱାସ୍ଥ୍ୟ ବିଭାଗ: ଆମେ ପାରୁନୁ, ୧୦୮କୁ ଦିଅ

ସରକାରଙ୍କୁ ଚିଠି ଲେଖିବାକୁ ଉପବାଚସ୍ପତିଙ୍କୁ ଅନୁରୋଧ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉପବାଚସ୍ପତି ରଜନୀକାନ୍ତ ସିଂହ ୪୦ଲକ୍ଷ ଟଙ୍କାର ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଦେଇଛନ୍ତି। ପାଖାପାଖି ବର୍ଷେ କାଳ ଏହା ପଡ଼ିରହିବା ପରେ ଏବେ ଏହାର ପରିଚାଳନା ନେଇ ହାତଟେକି ଦେଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଏହି ଆମ୍ବୁଲାନ୍ସ ଚଳାଇବାକୁ ଅସମର୍ଥ ବୋଲି ବିଭାଗ ସ୍ପଷ୍ଟ କରିଦେଇଛି।

ଏହି ଆମ୍ବୁଲାନ୍‌ସ ୧୦୮ଆମ୍ବୁଲାନ୍‌ସଠାରୁ ବିଭିନ୍ନ ଦିଗରୁ ଭିନ୍ନ ଥିଲା। ଏହି ଆଇସିୟୁ ଆମ୍ବୁଲାନ୍ସ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହୋଇଥିଲାବେଳେ ଏଥିରୁ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜା ଯାଇଥିଲା । ଗୁରୁତର ରୋଗୀଟିଏ ମେଡିକାଲ୍ ଯାଏ ପହଞ୍ଚିବା ପାଇଁ ଯାହା କିଛି ଲାଇଫ୍‌ ସପୋର୍ଟିଂ ଆବଶ୍ୟକତା ରହିଛି, ସବୁ କିଛି ଏଥିରେ ରହିଥିଲା। ଭେଣ୍ଟିଲେଟରଠାରୁ ଆରମ୍ଭ କରି ମନିଟର, ଜମ୍ବୋ ଅକ୍ସିଜେନ୍‌ ସିଲିଣ୍ଡର, ହାର୍ଟବିଟ୍, ପଲ୍‌ସ ମାପ ଆଦି ସବୁ ପ୍ରକାର ମାପଚୁପ ପାଇଁ ଅତ୍ୟାଧୁନିକ ଯନ୍ତ୍ରାଂଶ ସବୁ ଖଞ୍ଜା ହୋଇଛି। କୋଭିଡ୍ ସମୟରେ ଭେଣ୍ଟିଲେଟରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁଗୁଳ ବିଧାୟକ ତଥା ଉପ-ବାଚସ୍ପତି ଶ୍ରୀ ସିଂହ ନିଜ ହାତପାଣ୍ଠିରୁ ପ୍ରାୟ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରି ଆଡଭାନ୍ସ ଲାଇଫ୍‌ ସପୋର୍ଟିଂ ବ୍ୟବସ୍ଥାଯୁକ୍ତ ଆମ୍ବୁଲାନ୍‌ସ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଦାନ କରିଥିଲେ।

୧୦୮ଆମ୍ବୁଲାନ୍‌ସ ଥିଲା ସାଧାରଣ। ଜଣେ ଡ୍ରାଇଭର ଏବଂ ସହଯୋଗୀ ହୋଇଗଲେ ରୋଗୀ ବୁହା ହୋଇ ପାରିବ। କିନ୍ତୁ ଏହି ଅତ୍ୟାଧୁନିକ ଆମ୍ବୁଲାନ୍‌ସ ଭିତରେ ଥିବା ଯନ୍ତ୍ରାଂଶକୁ ଚଳାଇବା ପାଇଁ ନିହାତି ଭାବେ ଜଣେ ଟେକ୍ନିସିଆନ ନ ହେଲେ ଆମ୍ବୁଲାନ୍ସ ଚାଲିପାରିବ ନାହିଁ। ତା’ ସହିତ ଗାଡ଼ି ଚଳାଇବା ପାଇଁ ଡ୍ରାଇଭରଙ୍କ ମଧ୍ୟ ଆବଶ୍ୟକତା ରହିଛି। ଉପବାଚସ୍ପତି ଆମ୍ବୁଲାନ୍‌ସ ସିନା ଯୋଗାଇଲେ, କିନ୍ତୁ ଏ ଗାଡ଼ି ପାଇଁ ଡ୍ରାଇଭର ଏବଂ ଟେକ୍ନିସିଆନ ନାହାନ୍ତି ବୋଲି ଆମ୍ବୁଲାନ୍‌ସ ଗଡ଼ି ପାରିଲା ନାହିଁ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଟେକ୍ନିସିଆନ୍ ଯୋଗାଡ଼ କରିପାରିଲା ନାହିଁ ବୋଲି ଏ ମୂଲ୍ୟବାନ ଗାଡ଼ି ଶେଷରେ ଧୂଳି ଖାଇଲା।

ତେଣୁ ଅନୁଗୁଳ ସିଡିଏମ୍‌ଓ ଆମ୍ବୁଲାନ୍‌ସ ଚଳାଇବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଜିଲ୍ଲା ଖଣିଜ ପାଣ୍ଠିରୁ ଏଥିପାଇଁ ଟେକ୍ନିସିଆନ୍‌ ଏବଂ ଡ୍ରାଇଭର ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ସିଡିଏମ୍‌ଓଙ୍କର ସେ ଅନୁରୋଧ ମଧ୍ୟ ବିଫଳ ହୋଇଛି। ତେଣୁ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ବ ସରକାରଙ୍କ ୧୦୮ଆମ୍ବୁଲାନ୍ସ ଏଜେନ୍ସିକୁ ଦେବାକୁ ରୋଗୀ କଲ୍ୟାଣ ସମିତି ବୈଠକରେ ଅନୁରୋଧ କରାଯାଇଛି। ଏଥିପାଇଁ ସରକାରଙ୍କୁ ଚିଠି ଲେଖିବାକୁ ଉପ-ବାଚସ୍ପତିଙ୍କୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର