ଅନୁପସ୍ଥିତି ପାଇଁ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଆଠ ଶିକ୍ଷକଙ୍କ ଦରମା ବନ୍ଦ

ଶିକ୍ଷକଙ୍କ ପ୍ରଶ୍ନ: ପ୍ରତି ଶନିବାର ଜିଲ୍ଲା ଛାଡ଼ୁଛନ୍ତି ଡିଇଓ, ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି?

ଅନୁଗୁଳ: ବିଦ୍ୟାଳୟରେ ଅନୁପସ୍ଥିତି ପାଇଁ ଶିକ୍ଷକମାନଙ୍କୁ ମିଳିଛି ଦଣ୍ଡ। ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା ଅନୁଗୁଳ ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟର କେତେକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଥିବା ଜଣାଯାଇଛି। ଏହାକୁ ନେଇ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ଯଦି ଦଣ୍ଡ ମିଳୁଛି, ତେବେ ଶିକ୍ଷା ବିଭାଗର ମୁଖିଆ ପ୍ରତି ଶନିବାର ଦିନ କେମିତି ଜିଲ୍ଲା ମୁଖ୍ୟାଳୟ ଛାଡ଼ି ଘର ମୁହାଁ ହେଉଛନ୍ତି ? କାହାକୁ ଜଣାଇ ସେ ଜିଲ୍ଲା ଛାଡ଼ୁଛନ୍ତି ? ଏଥିପାଇଁ ତାଙ୍କୁ କି ଦଣ୍ଡ ବୋଲି ଶିକ୍ଷକ ମହଲ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁ ପାଇଁ ପ୍ରଥମେ ସ୍କୁଲ ବନ୍ଦ କରିଥିଲେ ସରକାର। ପରେ ବିଦ୍ୟାର୍ଥୀ ନ ଆସିଲେ ବି ଶିକ୍ଷକ ଉପସ୍ଥିତ ରହିବାକୁ ସରକାର ନିର୍ଦେଶନାମା ଜାରି କଲେ। କିନ୍ତୁ, ସ୍କୁଲ ଖୋଲୁ ନ ଥିବାରୁ ଅନେକ ଶିକ୍ଷକ ବିନା ଅନୁମତିରେ ଛୁଟିରେ ରହୁଥିବା ଅଭିଯୋଗ ଉଠୁଥିଲା। ଗତ ସପ୍ତାହରେ ହଠାତ୍ ଡ଼ିଇଓ ଶ୍ରୀମତୀ ବେହେରା ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଉପସ୍ଥାନ ଖାତା ଯାଞ୍ଚ କରିଥିଲେ। ସେଥିରୁ ବିଦ୍ୟାଳୟର ଆଠ ଜଣ ଶିକ୍ଷକ ନ ଥିବା ସେ ଜାଣିବାକୁ ପାଇଥିଲେ। ଏମିତିକି ଖୋଦ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ନନ୍ଦ ବି ଅନୁପସ୍ଥିତ ଥିବା ଡିଇଓ ଶ୍ରୀମତୀ ବେହେରା କହିଛନ୍ତି। ଏହା ସହିତ ଅନ୍ୟାନ୍ୟ ବିଦ୍ୟାଳୟର ଶିକ୍ଷକମାନଙ୍କର ଦରମା ବନ୍ଦ କରାଯାଇଛି। ଟ୍ରେଜେରିକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ବୋଲି ସେ କହିଛନ୍ତି।
କିନ୍ତୁ, ବିନା ଅନୁମତିରେ ଅନୁପସ୍ଥିତ ଥିବା ଅଭିଯୋଗକୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନନ୍ଦ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ସେଦିନ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଥିଲା। ତେଣୁ, ଭୁବନେଶ୍ୱର ଚିକିତ୍ସା ପାଇଁ ସେ ଚିନ୍ତା କରିଥିଲେ। ସରକାରଙ୍କ ଏଚଆରଏମଏସ ପୋର୍ଟାଲରେ ଡିଇଓଙ୍କୁ ସେ ଛୁଟି ଆବେଦନ କରି ତୁରନ୍ତ ମେଡିକାଲ୍ ଯାଇଥିଲେ। ଅନ୍ୟ କିଛି ଶିକ୍ଷକ ଆସିଥିଲେ। କରୋନା ପାଇଁ ଆଉ କିଛି ଦରଖାସ୍ତ ଦେଇ ଛୁଟିରେ ଥିଲେ। ବିନା କାରଣରେ ଉଦ୍ଦେଶ୍ୟମୂଳକ ଭାବେ ଆମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଶ୍ରୀମତୀ ନନ୍ଦ କହିଛନ୍ତି।

ଅନ୍ୟ ପକ୍ଷରେ ଡିଇଓଙ୍କ ଏ ପ୍ରକାର କାର୍ଯ୍ୟାନୁଷ୍ଠାନକୁ ନେଇ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷକ ମାନେ କହିଛନ୍ତି, ଗୋଟିଏ ଦିନ ଅନୁପସ୍ଥିତ ପାଇଁ ଯଦି ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା, ତେବେ ପ୍ରତି ଶନିବାର କାହା ଅନୁମତିରେ ଡିଇଓ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ଘରକୁ ଦୌଡ଼ୁଛନ୍ତି ? ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି?

ସମ୍ବନ୍ଧିତ ଖବର