ଅନୁଗୁଳ ବିଷାକ୍ତ ମଦ ମୃତ୍ୟୁ ଘଟଣା : ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ଭୋଜିର ରୋଷେୟା ମୃତ, ଠିକାଦାର ରାନ୍ଧିଥିଲା ମହୁଲି !

ବନ୍ତଳା: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଗଡ଼ିଛି ଚତୁର୍ଥ ମୁଣ୍ଡ। ଗତ କାଲି ପର୍ଯ୍ୟନ୍ତ ଏ ଘଟଣାରେ ୩ ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉଜଣକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ମୃତକ ହେଉଛନ୍ତି ଉକ୍ତ ଗ୍ରାମର  ପ୍ରମୋଦ ସାହୁ(୪୪) । ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତେବେ  ଚିନ୍ତାଜନକ ବିଷୟ ହେଉଛି ଏହି ବିଷାକ୍ତ ମଦ ପିଇଥିବା ଆହୁରି ତିନିଜଣ ଲୋକ ଗୁରୁତର ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏହି ଶ୍ରମିକ ଏବଂ ମିସ୍ତ୍ରୀମାନେ ସ୍ଥାନୀୟ ଅଞ୍ଚଳରେ ଏକ ଘରର ଛାତ ପକାଇବା କାମରେ ନିୟୋଜିତ ଥିଲେ ।  ମୃତ ପ୍ରମୋଦ ଭୋଜି ରାନ୍ଧିବା ପାଇଁ ସେଠାକୁ ଯାଇଥିଲା । ଏହି ଛାତ କାମ ଜଣେ ଠିକାଦାର ନେଇଥିଲା । ସେ ହିଁ କୁଆଡେ ଶ୍ରମିକ, ରାଜ ମିସ୍ତ୍ରୀ ଏବଂ ରୋଷେୟାକୁ ରନ୍ଧା ମହୁଲି ମଦ ଦେଇଥିଲା ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି । ଠିକାଦାର ହିଁ ଏକ ଜଙ୍ଗଲରେ ମଦ ରାନ୍ଧୁ ଥିବା କଥା ପଦାକୁ ଆସିଛି । ତେବେ ଏ ଠିକାଦାର କିଏ ଓ କେଉଁଠି ମହୁଲି ରାନ୍ଧୁଥିଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର