ରାଜଧାନୀରେ ଅନୁଗୁଳ ନେତାଙ୍କ ମେଳି, ବଢ଼ୁଛି ଟିକେଟ ଟେନ୍‌ସନ

ଅନୁଗୁଳ: ଘୋଷଣା ହେଉନି ଅନୁଗୁଳ ଟିକେଟ। ୩ ଦଫାରେ ବିଜେଡିର ବିଧାୟକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା ବେଳେ ଏଥିରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ନାଁ ନାହିଁ। ଏହାକୁ ନେଇ ନେତାଙ୍କଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ସମସ୍ତେ ଚାପରେ। ଏପଟେ ଦଳର ଶୀର୍ଷ ନେତୃତ୍ବଙ୍କ ଉପରେ ଚାପ ପକାଇବା ପାଇଁ ବିଧାୟକ ରଜନୀକାନ୍ତ ସିଂହ ନୂଆ ଫନ୍ଦି ବାହାର କରିଛନ୍ତି। ଆଜି ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀ ଭୁବନେଶ୍ବର ଯାଇ ବିଧାୟକଙ୍କ ସପକ୍ଷରେ ଲବି କରିଛନ୍ତି। କାହିଁକି ରଜନୀକାନ୍ତ ସିଂହଙ୍କ ନାମ ଘୋଷଣା ହେଉନି ପ୍ରଶ୍ନ କରିବା ସହ ବିଳମ୍ବ ହେଲେ ଦଳକୁ କ୍ଷତି ହେବ ବୋଲି ସଫା ସଫା ଜଣାଇ ଦେଇଛନ୍ତି।

ଅନୁଗୁଳ ଜିଲ୍ଲାର ୫ଟି ବିଧାନସଭା ଆସନ ଭିତରୁ ଅନୁଗୁଳ ଓ ତାଳଚେର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଉନି। ଅନ୍ୟ ଆସନଗୁଡ଼ିକରେ ପ୍ରାର୍ଥୀ ଘୋଷଣା ହେବା ପରେ ନେତାମାନେ ପ୍ରଚାର ଆରମ୍ଭ କରିଦେଲେଣି। ତାଳଚେର‌ରେ ମଧ୍ୟ ବ୍ରଜକିଶୋର ନିଜ ସମର୍ଥକଙ୍କୁ ଏକଜୁଟ୍‌ କରିବାରେ ଲାଗି ପଡ଼ିଛନ୍ତି। ହେଲେ ଅନୁଗୁଳ ନିର୍ବାଚନମଣ୍ଡଳୀରେ ବିଜେଡିର ସମସ୍ତ କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ଏଠାରେ କାହାକୁ ଟିକେଟ ମିଳିବ ସେଥିନେଇ ଉପରୁ କିଛି ସଙ୍କେତ ମିଳୁ ନ ଥିବାରୁ ଆଶାୟୀମାନେ ହାତ ବାନ୍ଧି ବସିଛନ୍ତି। ଆଉ କିଛି ନେତା ଭୁବନେଶ୍ବରରେ ଡେରା ପକାଇଛନ୍ତି। ବିଭିନ୍ନ ବାଗରେ ନିଜ ପାଇଁ ଲବି ଚଳାଇଛନ୍ତି।

ଏପଟେ ଆଜି ବିଧାୟକ ରଜନୀକାନ୍ତ ସିଂହଙ୍କ ସମର୍ଥକମାନେ ଭୁବନେଶ୍ବରରେ ମେଳି ବାନ୍ଧିଛନ୍ତି। ନିର୍ବାଚିତ ଜନପ୍ରତିନିଧି ଓ ଛାମୁଆ ସଂଗଠନର କର୍ମକର୍ତ୍ତା ରଜନୀକାନ୍ତ ସିଂହଙ୍କ ବାସଭବନରେ ଏକାଠି ହୋଇ ନବୀନନିବାସ ଯିବାକୁ ଯୋଜନା କରିଥିଲେ। ୧୯ ସରପଞ୍ଚ, ୨୫ ସମିତି ସଭ୍ୟ, ୧୦ ଜଣ କାଉନସିଲର, ୪ ଜଣ ଜିଲ୍ଲା ପରିଷଦ ସଭ୍ୟ, ଅନୁଗୁଳ ଓ ବଅଁରପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅନୁଗୁଳ ନଗରପାଳ, ଜିଲ୍ଲା ବିଜେଡି ସଭାପତି, ବ୍ଲକ୍‌ ସଭାପତି, ନଗର ସଭାପତି ଓ ବହୁ କାର୍ଯ୍ୟକର୍ତ୍ତା ଯାଇ ରଜନୀକାନ୍ତଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ହେଲେ ଦଳର ବରିଷ୍ଠ ନେତାମାନେ ଏହାକୁ ବାରଣ କରିବା ସହ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ରଜନୀକାନ୍ତ ସିଂହଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ରଜନୀକାନ୍ତ ସିଂହଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମର୍ଥକଙ୍କ ଦାବି ଶୁଣିଥିଲେ। ସମର୍ଥକମାନେ ପ୍ରଶ୍ନ କରିଥିଲେ ଯେ ଜିଲ୍ଲାର ଅନ୍ୟ ଆସନଗୁଡ଼ିକରେ ପ୍ରାର୍ଥୀ ଘୋଷଣା ସରିଥିଲେ ମଧ୍ୟ କାହିଁକି ଅନୁଗୁଳ ଆସନରେ ପ୍ରାର୍ଥୀ ଦିଆଯାଇନାହିଁ। ବିଜେପି ପ୍ର‌ାର୍ଥୀ ଦେବା ପରେ ସେମାନେ ପ୍ରଚାର ଆରମ୍ଭ କରି ଦେଇଥିଲା ବେଳେ ବିଜେଡି କର୍ମୀ ହାତ ବାନ୍ଧି ବସିଛନ୍ତି। ଏହା ଦଳକୁ କ୍ଷତି ପହଞ୍ଚାଉଛି। ତେଣୁ ତୁରନ୍ତ ପ୍ରାର୍ଥୀ ଘୋଷଣା କରିବାକୁ ସମର୍ଥକ ଦାବି କରିଥିଲେ।

କେବଳ ଏତିକି ନୁହେଁ, ରଜନୀକାନ୍ତ ସିଂହଙ୍କୁ ଟିକେଟ ନ ମିଳିଲେ ସେମାନେ ସାମୂହିକ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ। ସ୍ବାଧୀନ ଭାବେ ଲଢ଼ିବାକୁ ବି ପରୋକ୍ଷରେ ଧମକ ଦେଇଥିଲେ। ଅପରପକ୍ଷରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କର୍ମୀଙ୍କ କଥା ଶୁଣିବା ସହ ଖୁବ୍‌ଶୀଘ୍ର ଅନୁଗୁଳ ଆସନ ପାଇଁ ନାମ ଘୋଷଣା ହେବ ବୋଲି କହିଥିଲେ। ରାଜଧାନୀରେ ନ ରହି ଗାଁକୁ ଯାଇ ସଂଗଠନ ସଜାଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ପରେ କର୍ମୀ ଥଣ୍ଡା ପଡ଼ିଥିଲେ। ସୂଚନା ଅନୁସାରେ, ଅନୁଗୁଳ ଆସନ ପାଇଁ ଏକାଧିକ ଆଶାୟୀ ରହିଥିଲା ବେଳେ ଦଳ ଟିକେଟ ଦେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନେଉଛି। ଦଳରେ ବିଦ୍ରୋହ ହେବାର ଆଶଙ୍କା ଥିବାରୁ ଦଳୀୟ ଟିକେଟ ଘୋଷଣାରେ ବିଳମ୍ବ ହେଉଛି। ଏଠାରେ ରଜନୀକାନ୍ତ ସିଂହଙ୍କ ସମେତ ଆଉ ୩ରୁ ୪ଟି ନାମକୁ ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର